ପୁରୁଣା ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଭିତର ଓ ବାହାରେ ପଥର ନଷ୍ଟ ହେଉଛି। ମନ୍ଦିର ଭିତର କେଉଁ ଅବସ୍ଥାରେ ଅଛି ତାହା ଚିନ୍ତାର ବିଷୟ। ତେଣୁ ଖୁବ୍ ଶୀଘ୍ର ମୁଖ୍ୟ ମନ୍ଦିରର ଭିତର ଓ ବାହାର ଯାଞ୍ଚ କରାଯିବ। ମନ୍ଦିର ଟ୍ରଷ୍ଟ ବୋର୍ଡର ଅନୁମତି ଏବଂ ସେବାୟତମାନଙ୍କ ସହଯୋଗ ମିଳେଲେ ତୁରନ୍ତ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ଆରମ୍ଭ ହେବ। ମନ୍ଦିର ସରଂକ୍ଷଣ ପାଇଁ ଯାହା ଆବଶ୍ୟକ କରାଯିବ। ଆଜି ଅପରାହ୍ନରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସ୍ଥିତି ଅନୁଧ୍ୟାନ କରି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ନିର୍ଦ୍ଦେଶକ (ସଂରକ୍ଷଣ) ଭିମା ଆଜ୍ମିରା ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଶ୍ରୀ ଅଜମିର ମନ୍ଦିରର ସ୍ଥିତି ଦେଖି ଚିନ୍ତାପ୍ରକଟ କରିଥିଲେ। ପ୍ରଥମେ ସେ ଜଗମୋହନ, ଅରଗଳି ଓ ନାଟମଣ୍ଡପରେ ପାଣି ଗଳୁଥିବା ସ୍ଥାନକୁ ବୁଲି ଦେଖିଥିଲେ। ଏଥିସହ ଜଗମୋହନ, ଆଡ଼କାଠ, ଦ୍ବାରବନ୍ଧ ନିକଟ ଏବଂ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ପାର୍ଶ୍ବ ଦେବତା ମୂର୍ତ୍ତି ପଥର ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଏଥିସହ ବେଢ଼ାରେ ଥିବା ମା’ ପାର୍ବତୀଙ୍କ ମନ୍ଦିର ଭିତର ସ୍ଥିତି ପରଖିଥିଲେ। ବେଢ଼ାରେ ଥିବା ପ୍ରାୟ ସବୁ ମନ୍ଦିର ପାଣି ଗଳୁଥିବା ନେଇ ସେବାୟତମାନେ କହିଥିଲେ। ଏଥିସହ ରୋଷ ଘର ସ୍ଥିତି ପରଖି ଥିଲେ। ରୋଷଘର ଓ ଏହାର ପରିବେଶ ଅସ୍ବଚ୍ଛତା ଓ ଅସ୍ବାସ୍ଥ୍ୟକର ପରିବେଶ ହୋଇଥିବାରୁ ଏଥିରେ ପ୍ରଭୁଙ୍କ ପାଇଁ ପ୍ରସାଦ ନରାନ୍ଧିବାକୁ କହିଥିଲେ।
ତୁରନ୍ତ ଅନ୍ୟସ୍ଥାନରେ ଅସ୍ଥାୟୀ ଭାବେ ରୋଷେଇଘର କରି ଏହାକୁ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଥମେ ରୋଷ ଘରକୁ ସଫା କରିବା ସହ ମାଡ଼ି ଯାଇଥିବା ଗଛ ଲତାକୁ କାଟିବା ଏବଂ ତଳେ ନନ୍ପଲିସ୍ ଟାଇଲ୍ ଲଗାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ରୋଷେଇ ପାଇଁ ବ୍ୟବହାର ହେଉଥିବା କୂଅ ପାଣି ଅପରିଷ୍କାର ଥିବାରୁ ବିରକ୍ତ ହୋଇଥିଲେ। କୂଅ କଡ଼ରେ ଅନାବନା ଗଛ ଉଠିବା ସହ ଭିତରେ ଜରି, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବଜର୍ନାକୁ ତୁରନ୍ତ ସଫା କରିବା ଏବଂ କୂଅ ଉପରେ ଢାଙ୍କୁଣି ତିଆରି କରିବାକୁ କହିଥିଲେ। ଏହାପରେ ମନ୍ଦିର ସିଂହଦ୍ବାର ଓ ବୃଷବ ସ୍ତମ୍ଭ ଭିତରେ ଥିବା ପାହାଚ ଓ ଗଣେଶ ମନ୍ଦିର ଭିତରେ ଜମୁଥିବା ପାଣି ସହ ମନ୍ଦିର ଭିତରର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ। ସେହିପରି ମନ୍ଦିର ଗୁଡ଼ିକ ଭିତରେ ଥିବା ଦୀପ ଷ୍ଟାଣ୍ଡ ବାହାରକୁ ଉଠାଇବା, ଅବଢ଼ା ପାଇଁ ଉଦିଷ୍ଟ ନିର୍ଦ୍ଦିଷ୍ଟ ସ୍ଥାନରେ ଅବଢ଼ା ବିକ୍ରି କରିବା, ମନ୍ଦିର ପରିସରରେ ପଥରରେ କଣ୍ଟା ବାଡ଼େଇବା ଏବଂ ଦଉଡ଼ି ବାନ୍ଧି ତମ୍ବୁ ଟାଣିବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଟ୍ରଷ୍ଟ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସମସ୍ତ ଅନୁଧ୍ୟାନ ପରେ ଶ୍ରୀ ଅଜମିର ଉପସ୍ଥିତ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାପାତ୍ର, ଟ୍ରଷ୍ଟବୋର୍ଡର ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ମନ୍ଦିର ଭିତର ବାହାର ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନେଇଥିଲେ।
ଯାଞ୍ଚ ସମୟରେ ସାଟେଲାଇଟ୍ ମାଧ୍ୟମରେ ଡିଜିପିଏପ୍ ପ୍ରକ୍ରିୟାରେ ମନ୍ଦିରର ଫଟୋଗ୍ରାମେଟ୍ରିକ୍ (ଡ୍ରୋନ୍) ସର୍ଭେ କରାଯିବ। ଏଥିରେ ହାଇ ରିଜୋଲ୍ୟୁସନ୍ର ଲକ୍ଷାଧିକ ଫଟୋ ନିଆଯିବ। ଏହାସାଙ୍ଗକୁ ମନ୍ଦିର ଭିତର ପାଖରେ ଥ୍ରିଡି ଲେଜର ସ୍କାନିଂ ହେବ। ଏଥିପାଇଁ ପ୍ରଥମେ ୭ ଦିନ ସମୟ ଦେବାକୁ ସେ ନିବେଦନ କରିଥିଲେ। ମନ୍ଦିରର ସୁରକ୍ଷା ଯାଞ୍ଚ ପାଇଁ ମନ୍ଦିର ଭିତରେ ୨୫୦ ଫୁଟର ଉଚ୍ଚ ଏବଂ ୫୦ ଟନ୍ ଓଜନ ବହନ କରୁଥିବା ଏକ କ୍ରେନ୍ ଏଏସ୍ଆଇ ପକ୍ଷରୁ ରଖାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏଡିଏମ୍ ଶ୍ରୀ ମହାପାତ୍ର କହିଛନ୍ତି ଏଏସ୍ଆଇ ପକ୍ଷରୁ ଚିଠି ଆସିଲେ ସେବାୟତମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏହି ଯାଞ୍ଜ ସମୟରେ ଭୁବନେଶ୍ବର ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍ ସୁଶାନ୍ତ କୁମାର କର, ଭୁବନେଶ୍ବର ବିଜ୍ଞାନ ଶାଖାର ଅଧୀକ୍ଷଣ ପ୍ରତ୍ନତାତ୍ତ୍ବିକ ରସାୟନବିତ୍ ରଞ୍ଜନା ପୁଷ୍କର, ସହକାରୀ ଯନ୍ତ୍ରୀ ପଙ୍କଜ ଦାସ, ସଂଗ୍ରକ୍ଷଣ ସହାୟକ ଦେବାଶିଷ ବିଶ୍ବାସ, ସୁଶାନ୍ତ ଗୋଛାୟତ, ସର୍ବେକ୍ଷକ ପ୍ରଦୀପ ରାଉତ, ଟ୍ରଷ୍ଟ ବୋର୍ଡର ଅଧିକାରୀ ଦ୍ବାରିକାନାଥ ପତି ପ୍ରମୁଖ ଉପସ୍ଥିତ ଥିଲେ।