ପବିତ୍ର ପୁଷ୍କରିଣୀ ଏବେ ପରିତ୍ୟକ୍ତ କୁଣ୍ଡ, ଶୋଇଯାଇଛି ଏଏସ୍ଆଇ

ଭୁବନେଶ୍ବର: ଦିନେ ଯାହାକୁ ପବିତ୍ର ତୀର୍ଥ ଜଳ ବୋଲି ବିବେଚନା କରି ଲୋକେ ସେ ପାଣିକୁ ପ୍ରସାଦ ରୂପେ ପାଉଥିଲେ ଆଜି ସେ ପାଣିକୁ ହାତ ଲଗାଇବାକୁ ବି ଡରୁଛନ୍ତି। ପାପ କ୍ଷୟ ହେବ ବୋଲି ବିଶ୍ବାସ କରି ଲୋକେ ଯୋଉ ତୀର୍ଥ ଜଳ ଦେହ ମୁଣ୍ଡରେ ସିଞ୍ଚି ହେଉଥିଲେ ଆଜି ତା ପାଖ ମାଡ଼ିଲେ ଚର୍ମ ରୋଗ ଧରିବ ବୋଲି କହି ଲେଉଟି ଆସୁଛନ୍ତି। ଇତିହାସ ଓ ପୌରାଣିକ ଯୁଗ ସହ ଯୋଡ଼ି ହୋଇ ରହିଥିବା ଏହି ସବୁ ଐତିହ୍ୟ ଧୀରେଧୀରେ ଅସ୍ତିତ୍ବ ହରାଉଥିଲେ ମଧ୍ୟ ଏହା ଏଏସ୍ଆଇ ନିରବ। ଧୀରେଧୀରେ ମୃତ୍ୟୁ ଆଡ଼କୁ ଟାଣି ହୋଇ ଯାଉଥିବା ପବିତ୍ର ପୁଷ୍କରିଣୀ ଏବେ ପରିତ୍ୟକ୍ତ କୁଣ୍ଡରେ ପରିଣତ ହେଲାଣି। ହେଲେ ସରକାରଙ୍କ ଚେତା ପଶୁନି। ୨୦୧୫ ମସିହାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦୦ କୋଟି ଟଙ୍କା ବିନିମୟରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହେଲା। ମୋଟ ୧୨୮ଟି ପୁଷ୍କରିଣୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ବର୍ଷରେ ୬୭ ପୁଷ୍କରିଣୀକୁ ସଜାଡ଼ିବାକୁ ନିଷ୍ପତ୍ତି ନିଆଗଲା। ହେଲେ ସେତିକିରେ ଏହାର ଭାଗ୍ୟ।

ପରିତ୍ୟକ୍ତ ପାପନାଶିନୀ: ପାପ ନାଶେ ବୋଲି ନାଁ ତା’ର ପାପ ନାଶିନୀ। ମାତ୍ର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପରମ୍ପରା ସହ ଜଡ଼ିତ ଏହି ପୋଖରୀ ଏବେ ଏକ ପରିତ୍ୟକ୍ତ କୁଣ୍ଡ। ୧୧ଶହ ଖ୍ରୀଷ୍ଟାବ୍ଦର ଏହି ପୋଖରୀରେ ଏକ ନିର୍ଦିଷ୍ଟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ସ୍ନାନ କରନ୍ତି। ତେଣୁ ଏଇ ପାଣିକୁ ଛିଞ୍ଚି ହେବା ଦ୍ବାରା ପାପ ନାଶ ଯାଏ ବୋଲି ବିଶ୍ବାସ ରଖି ଅନେକ ଏଇ ପୋଖରୀକୁ ଆସୁଛନ୍ତି ସତ, ମାତ୍ର ପରିତ୍ୟକ୍ତ ଏହି କୁଣ୍ଡର ଅବସ୍ଥା ଦେଖି ପାଣିରେ ହାତ ବୁଡ଼ାଇବାକୁ ବି ଚେଷ୍ଟା କରନ୍ତି ନାହିଁ ପର୍ଯ୍ୟଟକ। ୬ହଜାର ବର୍ଗଫୁଟ ପରିମିତ ପୋଖରୀ କେବଳ ଶିଉଳି ଦ୍ବାରା ଆଚ୍ଛାଦିତ ହୋଇନି, ବରଂ ପ୍ଲାଷ୍ଟିକ୍, ଜରି, ଚା କପ୍, ଅନ୍ୟାନ୍ୟ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ଏହାର ଚତୁଃପାର୍ଶ୍ବର ଚିତ୍ର ଆହୁରି କଦର୍ଯ୍ୟ। ପାଚେରି ସଂଲଗ୍ନ ଏହି ପୋଖରୀ ଚାରି ପାଖରେ ଅନାବନା ଗଛ ଉଠି ଯାଇଛି। କୋଉଠି ପଥର ଗଦା ତ କୋଉଠି ଆବର୍ଜନା ଗଦା ହୋଇଛି। ପୋଖରୀକୁ ଆକର୍ଷଣୀୟ କରିବାକୁ ୪ ପାଖରେ ଆକର୍ଷଣୀୟ ଲାଇଟ୍ ଖଞ୍ଜାଯାଇଛି। ହେଲେ ସେ ଲାଇଟ୍ ଜଳିଲେ ପବିତ୍ର ପୋଖରୀର ପରିତ୍ୟକ୍ତ ଚିତ୍ର ଉପହାସ କରିବା ଭଳି ମନେ ହେଉଛି।

ଅସ୍ତିତ୍ବ ଖୋଜୁଛି ଦେବୀ ପାଦହରା: ୨ ହଜାର ବର୍ଷ ତଳେ ରାଜା ଯଯାତି କେଶରୀଙ୍କ ଦ୍ବାରା ନିର୍ମିତ ଐତିହ୍ୟ ପୋଖରୀର ଅସ୍ତିତ୍ବ ଡୁବି ଡୁବି ଯାଉଛି। ଏହାର ଚତୁପାର୍ଶ୍ବରେ ଛୋଟ ଛୋଟ ମନ୍ଦିରରେ ଥିବା ୧୦୮ ଛୋଟ ଶିବଲିଙ୍ଗ ପ୍ରତିମା ହିଁ ଏହାର ବିଶେଷତା। ଶ୍ରୀଲିଙ୍ଗରାଜ ମନ୍ଦିର ବୁଲି ଆସିଲେ ୧୦୮ ଲିଙ୍ଗ ଦର୍ଶନ ପାଇଁ ଦେବୀ ପାଦହରା ଆଡ଼କୁ ପର୍ଯ୍ୟଟକଙ୍କ ପାଦ ବଢ଼େ। ହେଲେ ବିଡ଼ମ୍ବନା ଏହି ଯେ, ଏହା ମଧ୍ୟକୁ ଯିବାକୁ ପର୍ଯ୍ୟଟକ ବାଟ ଖୋଜି ପାଆନ୍ତି ନାହିଁ। ସଂପ୍ରତି ଏହି ପୋଖରୀ ଦଳରେ ଭର୍ତି। ଏହାର ଚତୁଃପାର୍ଶ୍ବରେ ଆକର୍ଷଣ ସାଜିଥିବା ୧୦୮ ଲିଙ୍ଗ ବି ଏବେ ସତ୍ତା ହରାଇଛନ୍ତି। ଛୋଟଛୋଟ ମନ୍ଦିରରେ ଏବେ ଲିଙ୍ଗ ବଦଳରେ ପ୍ଲାଷ୍ଟିକ୍ ସିମେଣ୍ଟ୍ ଜରି ଓ ଆବର୍ଜନା ଦିଶୁଛି। ଖାଲି ସେତିକି ନୁହେଁ କିଛି ସ୍ଥାନରେ ଏହି କ୍ଷୁଦ୍ର ଶିବଲିଙ୍ଗକୁ ଆଶ୍ରା ଦେଇଥିବା ୨ହଜାର ବର୍ଷ ତଳର କିଛି ମନ୍ଦିର ଭାଙ୍ଗି ଯାଇଥିଲେ ସୁଦ୍ଧା ଏହାକୁ ସଜାଡ଼ିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଏଯାଏଁ ଉଦ୍ୟମ କଲା ନାହିଁ। ୨୦୧୮ ମସିହାରେ ପୋଖରୀ ଓ ସମ୍ପୂର୍ଣ୍ଣ ଐତିହ୍ୟର ପୁନରୁଦ୍ଧାର ଓ ନବୀକରଣ ପାଇଁ ଏଏସ୍ଆଇ ବିଜ୍ଞପ୍ତି ଜାରି କଲା। ମାତ୍ର ଏଯାଏଁ କଥା ମୁତାବକ କାମ ଆରମ୍ଭ ହେଲା ନାହିଁ।

ସମାଧି ନେଇଛି ନଳକୁଣ୍ଡ: ଯମେଶ୍ବର ମନ୍ଦିର ପାର୍ଶ୍ବରେ ନିକଟରେ ରହିଛି ଐତିହ୍ୟ ସମ୍ପନ୍ନ ନଳକୁଣ୍ଡ ପୋଖରୀ। ମାତ୍ର ପୋଖରୀଟି ଆପଣ ଚାହିଁଲେ ବି ଦେଖିପାରିବେ ନାହିଁ। ପ୍ରଥମତଃ ଏହା ଚତୁଃପାର୍ଶ୍ବ ଘରଦ୍ବାରା ଆଚ୍ଛାଦିତ ହୋଇଥିବା ବେଳେ ଏହି ପୋଖରୀକୁ ଯେଉଁ ବାଟ ଅଛି, ତାହା ସମ୍ପୂର୍ଣ୍ଣ ବନ୍ଦ। ଯଦି ବି ସେ ବାଟକୁ ଅତିକ୍ରମ କରିଯାଆନ୍ତି, ଏଠି ଯେ ଗୋଟେ ଐତିହ୍ୟ ପବିତ୍ର ପୋଖରୀ ଥିଲା, ତାହା ଆପଣଙ୍କୁ ଦୃଷ୍ଟିଗୋଚର ହେବ ନାହିଁ। କାରଣ ଯୋଉଠି ଦିନେ ନଳକୁଣ୍ଡ ଥିଲା, ସେଠି ଏବେ ସାରୁ ବୁଦା ଓ ବଡ଼ବଡ଼ ବୃକ୍ଷରାଜି ସବାର ହୋଇଛି। ନଳକୁଣ୍ଡ ପୋଖରୀ ସମ୍ପୂର୍ଣ୍ଣ ଭାବେ ସତ୍ତା ହରାଇଛି। ଭାରତୀ ମଠର ମହନ୍ତ ଏହି ନଳକୁଣ୍ଡ ଖୋଳାଇଥିଲେ। ଲୋକଙ୍କ ଅସୁବିଧା ପଡ଼ିଥିବା ସମୟରେ ସ୍ଥାନୀୟ ଭାରତୀ ମଠର ଜଣେ ମହନ୍ତ ଲୋକଙ୍କୁ ଖାଇବାକୁ ଦେଇ ଏହି ପୋଖରୀ ଖୋଳାଇଥିଲେ। ଲୋକେ ଏହାକୁ ବ୍ୟବହାର ମଧ୍ୟ କରୁଥିଲେ। ଧୀରେଧୀରେ ଏହା ଚାରି ପାଖେ ଜନବସତି ନଳକୁଣ୍ଡକୁ ଲୁଚାଇଦେଲା। ସେଇଠୁ ହିଁ ବିପର୍ଯ୍ୟୟ ଆରମ୍ଭ ହେଲା। ପରେ ଏହା ମଧ୍ୟକୁ ଡ୍ରେନ୍‌ର ବାଟ ଫିଟାଇ ଦିଆଗଲା। ଖିଲିଖିଲି ହସୁଥିବା ଶତାବ୍ଦୀ ତଳର କଳକଳ ଜଳରାଶି ସମ୍ପୂର୍ଣ୍ଣ ସମାଧି ନେଲା। ନା ପ୍ରତ୍ନତତ୍ତ୍ବ ବିଭାଗ ଆଗେଇ ଆସିଲା ନା ବିଏମ୍‌ସି ଏହାକୁ ଉଦ୍ଧାର ପାଇଁ ପ୍ରୟାସ କଲା।

ସମ୍ବନ୍ଧିତ ଖବର