ଗର୍ଭଗୃହରୁ ପାଣି ଝରିବା ଘଟଣା: ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ଥିତି ଅନୁଧ୍ୟାନ କଲା ଏଏସ୍ଆଇ

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ପାଣି ଝରୁଥିବା ଘଟଣାକୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ଗୁରୁତ୍ବର ସହ ନେଇଛି। ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ଓ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ପାଇବାରେ ଆଜି ଏଏସ୍‌ଆଇର ଏକ ସ୍ବତନ୍ତ୍ର ଟିମ୍‌ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଜି ଏଏସ୍‌ଆଇର ଯନ୍ତ୍ରୀ ଓ ଭୁବନେଶ୍ବର ସଂଗ୍ରହାଧୀକ୍ଷକ ମନ୍ଦିରକୁ ଆସିଥିଲେ। ସର୍କଲ ମୁଖ୍ୟ ଅରୁଣ କୁମାର ମଲ୍ଲିକଙ୍କ ସହ ଆଲୋଚନା କରିବା ପରେ ଯନ୍ତ୍ରୀ ସିଆର୍‌ ଦାସ ଓ ସଂଗ୍ରହାଧୀକ୍ଷକ ସୁଶାନ୍ତ ଗୋଛାୟତ ଆଜି ମନ୍ଦିରକୁ ଆସିଥିଲେ। ସେମାନେ ପ୍ରଥମେ ମୁଖ୍ୟ ମନ୍ଦିରର ଭୋଗ ମଣ୍ଡପ ଓ ଜଗମୋହନର ସ୍ଥିତି ପରଖିଥିଲେ। ସେଠାରୁ ମଧ୍ୟ ପାଣି ଗଳୁଥିବା କୁହାଯାଉଥିଲା। ଏହା ପରେ ସେମାନେ ଗର୍ଭଗୃହକୁ ଯାଇଥିଲେ। ସେମାନେ ମନ୍ଦିରକୁ ଯାଇଥିବା ବେଳେ ବର୍ଷା ହେଉନଥିବାରୁ ପାଣି ଝରିବା ଦେଖା ଯାଇନଥିଲା। କିନ୍ତୁ ସେବାୟତମାନେ ପାଣି ଝରିବା ସମ୍ପର୍କରେ କହିଥିଲେ। ଯାଞ୍ଚ କରିବା ପରେ ଗର୍ଭଗୃହରୁ ପାଣି ଝରୁଥିବା କଥା ସତ୍ୟ ବୋଲି ଏଏସ୍ଆଇ ଅଧିକାରୀ ସ୍ବୀକାର କରିଛନ୍ତି। ସେହିଭଳି ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଥିବା ଖବର ଜାଣିବା ପାଇଁ ସେମାନେ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର