ଡମ୍ପିଂୟାର୍ଡରେ ଶୁକଶାରି କୀର୍ତ୍ତିରାଜି ଖୋଜୁଛି ଏଏସ୍‌ଆଇ

ପୁରୁଣା ଭୁବନେଶ୍ବର : ଇନ୍‌ଟାକ୍‌ର ସଂଗିନ୍ ଅଭିଯୋଗ। ବୁଲ୍‌ଡୋଜର ଆଘାତରେ ପ୍ରାଚୀନ ଐତିହ୍ୟ ଶୁକଶାରି ମନ୍ଦିରର କାରୁକାର୍ଯ୍ୟ ଖିନ୍‌ଭିନ୍‌ ହୋଇଛି। କାରୁକାର୍ଯ୍ୟପୂର୍ଣ୍ଣ ବହୁ ପଥର ଏବେ ଡମ୍ପିଂୟାର୍ଡରେ ପଡ଼ିଛି। ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ କାମର ଦାୟିତ୍ବ ନେଇଥିବା ସଂସ୍ଥା ଓବିସିସି ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ପ୍ରାଚୀନ କୀର୍ତ୍ତିରାଜି ଧ୍ବଂସ ହୋଇଛି ବୋଲି ଇନ୍‌ଟାକ୍ ଅଭିଯୋଗ କରିଛି। ତେଣୁ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଅଳିଆଗଦାରେ ଶୁକଶାରି ମନ୍ଦିର ଭଗ୍ନାବଶେଷ ଦରାଣ୍ଡିବା ଆରମ୍ଭ କରିଛି। ମାତ୍ର ପାହାଡ଼ ସଦୃଶ ମାଟି ଗଦା ଭିତରୁ ଆଜି କିଛି ମିଳିନଥିବା ସୂଚନା ମିଳିଛି।

ଏବେ ଶୁକଶାରି ଦେଉଳ ଖନନ କାମ ଜାରି ରଖିଛି ଏଏସ୍‌ଆଇ। ମାଟି ତଳୁ ପୁରୁଣା ମନ୍ଦିରର ଚଟାଣ ବାହାରିଛି। ତେଣୁ ପୂର୍ବରୁ ଓବିସିସି ଦ୍ବାରା ଖୋଳା ଯାଇଥିବା ସ୍ଥାନରୁ କିଛି ଭଗ୍ନାବଶେଷ ବାହାରିଥିବା ସନ୍ଦେହ କରାଯାଇଛି। ସେସବୁ କେଉଁଠି ପଡ଼ିଛି ବୋଲି ଆଜି ଏଏସ୍ଆଇ ପକ୍ଷରୁ ଖୋଳତାଡ୍‌ ଆରମ୍ଭ ହୋଇଛି। ଖନନ ହୋଇଥିବା ସବୁ ମାଟି ସ୍ବର୍ଣ୍ଣ ଜଳେଶ୍ବର ମନ୍ଦିର ପଛ ପଟେ ଓ ନୂଆ ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସ ନିକଟ ଖାଲରେ ପଡ଼ିଛି। ତେଣୁ ଏଏସ୍ଆଇ ଅଧକାରୀମାନେ ସେଠାରେ ପୁରୁଣା କୀର୍ତିରାଜି ପଥର ଖଣ୍ଡକୁ ଖୋଜିବା ଆରମ୍ଭ କରିଛନ୍ତି। ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକଙ୍କ କହିବା କଥା ଉକ୍ତ ଦୁଇ ସ୍ଥାନରେ ଅନ୍ୟ ମାଟି ବହୁ ପରିମାଣରେ ମିଶିକି ଗଦା ହୋଇ ପଡ଼ିଛି। ତେଣୁ ଶୁକଶାରି ମନ୍ଦିରର ଭଗ୍ନାବଶେଷ ମିଳିବା କଷ୍ଟକର ହୋଇପଡ଼ିଛି। ତେବେ ଏହା ଜାରି ରହିବ ବୋଲି ସେ କହିଛନ୍ତି।

୧୦ ଦିନ ପୂର୍ବରୁ ବିଏମ୍‌ସି ଓ ଓବିସିସିର ଖନନ କାମ ଯୋଗୁଁ ଅନେକ ପୁରୁଣା କୀର୍ତ୍ତିରାଜି ବୁଲ୍‌ଡୋଜର ମାଡ଼ରେ ଭାଙ୍ଗିରୁଜି ଚୁରମାର୍‌ ହୋଇଯାଇଛି ବୋଲି ଅଭିଯୋଗ କରି ଇନ୍‌ଟାକ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍ ଧୀର ଅଭିଯୋଗ କରିଛନ୍ତି ଯେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିବା ନିୟମ ରହିଛି। ସେହିଭଳି ୨୦୦ ମିଟର ପର୍ଯ୍ୟନ୍ତ ରେଗୁଲେଟେଡ୍ ଅଞ୍ଚଳ ରହିଛି। ଅତି ଗୁରୁତ୍ବପୂର୍ଣ୍ଣ ସମୟରେ ହିଁ ଏହି ପରିସୀମା ଭିତରେ କୌଣସି ନବୀକରଣ ଓ ପୁନଃ ନିର୍ମାଣ ପାଇଁ ଅନୁମତି ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ବିଏମ୍‌ସି ଏବଂ ଓବିସିସି କର୍ତ୍ତୃପକ୍ଷ ଏହାକୁ ଖୋଲାଖୋଲି ଭାବେ ଉଲଂଘନ କରିଛନ୍ତି। ଐତିହ୍ୟ ଜୋନ୍‌ରେ କୌଣସି ନୂଆ ନିର୍ମାଣ ଓ ପୁରୁଣା କୀର୍ତ୍ତିରାଜି ଭଙ୍ଗାରୁଜା କଲାବେଳେ ଜିପିଆର୍ ସର୍ଭେ ହେବା କଥା। ଏହା ଦ୍ୱାରା ମାଟିତଳେ ରହିଥିବା ପୁରୁଣା କୀର୍ତ୍ତିରାଜି ବାବଦରେ ସହଜରେ ଜଣା ପଡ଼ିଥାଏ। ମାତ୍ର ବିଏମ୍‌ସି ଏବଂ ଓବିସିସି କର୍ତ୍ତୃପକ୍ଷ ଜିପିଆର୍ ସର୍ଭେ କରିବା ତ ଦୂରର କଥା, ଐତିହ୍ୟ ଗବେଷକଙ୍କ ମତ ବି ଲୋଡ଼ିନାହାନ୍ତି। ଏନେଇ ଇନ୍‌ଟାକ୍ କର୍ତ୍ତୃପକ୍ଷ ଏକାମ୍ର କ୍ଷେତ୍ର ଅଞ୍ଚଳରେ ଥିବା ୨୮ଟି ସଂରକ୍ଷିତ ଐତିହ୍ୟର ପରିଦର୍ଶନ କରିବା ସହ କିଛି ସମ୍ବେଦନଶୀଳ ସ୍ଥାନର ତାଲିକା ପ୍ରସ୍ତୁତ କରିଛନ୍ତି। ଏକାମ୍ରକ୍ଷେତ୍ରର ନବୀକରଣ ବେଳେ ଇନ୍‌ଟାକ କର୍ତ୍ତୃପକ୍ଷ ଏଠାରେ ଜିପିଆର୍ ସର୍ଭେ କରିବା ପାଇଁ ବିଏମ୍‌ସି ଓ ଓବିସିସିକୁ ଆବେଦନ କରିଛି ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ଧୀର କହିଛନ୍ତି।

ସମ୍ବନ୍ଧିତ ଖବର