ଲିପିତତ୍ତ୍ବ ବିଭାଗକୁ ଗଲା ଉଦ୍ଧାର ବ୍ରାହ୍ମୀଲିପି

ଶୁକଶାରି ମନ୍ଦିର ନିକଟ ଖନନ ପ୍ରସଙ୍ଗ

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର କଡ଼ରେ ଚାଲିଥିବା ଖନନ ବେଳେ ମାଟିତଳୁ ଉଦ୍ଧାର ହୋଇଥିବା ଶିଳାଲିପିକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଲିପିତତ୍ତ୍ବ ବିଭାଗକୁ ପଠାଇଛି। ସେହିଭଳି ମାଟି ତଳେ ପୋତି ହୋଇଥିବା ମନ୍ଦିର କାନ୍ଥର ଅଭିଲେଖକୁ ବି ଲିପିତତ୍ତ୍ବ ବିଭାଗକୁ ପଠାଯାଇଛି। ସେଠାରେ ବ୍ରାହ୍ମୀଲିପି ଓ ଅଭିଲେଖକୁ ନେଇ ଅଧିକ ଅନୁସନ୍ଧାନ କରାଯିବ। ଫଳରେ ମାଟି ତଳେ ପୋତି ହୋଇଯାଇଥିବା ମନ୍ଦିର ବାବଦରେ, ୧୪ ଶହ ବର୍ଷ ତଳର ଉତ୍କଳୀୟ ସଭ୍ୟତା ଓ ଶାସନ ବ୍ୟବସ୍ଥା ସମ୍ବନ୍ଧରେ ବହୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଆଜି ଗର୍ଭଗୃହରେ ଖନନ କାର୍ଯ୍ୟ ଜାରି ରହିଥିଲା ଓ ସିଂହାସନରେ ବିରାଜମାନ ମା’ ମହିଷମର୍ଦ୍ଦିନୀ (ମା’ ଭବାନୀ ମୂର୍ତ୍ତି ବୋଲି କୁହାଯାଉଛି ମଧ୍ୟ) ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଉଦ୍ଧାର କରାଯାଇଛି। ଉକ୍ତ ମୂର୍ତ୍ତିକୁ ସେହି ଗର୍ଭଗୃହରେ ଯତ୍ନର ସହ ରଖାଯାଇଛି। ତେବେ ମାଟି ତଳୁ ମିଳିଥିବା କିଛି ଭଗ୍ନାଂଶକୁ ଶୁକଶାରି ମନ୍ଦିର ନିକଟରେ ରଖାଯାଇଛି। ଖନନ କାର୍ଯ୍ୟ ଆସନ୍ତା ଶନିବାର ବି ପୁଣି ଚାଲୁ ରହିବ ଓ ବିନ୍ଦୁସାଗର ପର୍ଯ୍ୟନ୍ତ ଖନନ ହେବ ବୋଲି କୁହାଯାଇଛି। ଏଥିସହିତ ଶୁକଶାରି ମନ୍ଦିର ସମ୍ମୁଖରେ ମଧ୍ୟ ଖନନ କରାଯିବ ବୋଲି ସୂଚନା ମିଳିଛି।

ଆଜି ଖନନ କାର୍ଯ୍ୟ ଦେଖିବାକୁ ଏଏସ୍ଆଇ ଅଧୀକ୍ଷକ ଅରୁଣ ନାୟକ ଆସିଥିଲେ। ସେ ପର୍ଯ୍ୟବେକ୍ଷଣ କରୁଥିବା ବେଳେ ପୋତି ହୋଇଥିବା ମନ୍ଦିରର କାନ୍ଥରୁ କିଛି ଅଭିଲେଖ ଉଦ୍ଧାର ହୋଇଛି। ମହିଷମର୍ଦ୍ଦିନୀ ମୂର୍ତ୍ତିର ବାହାରେ ଥିବା ବାମ କାନ୍ଥରେ ବ୍ରାହ୍ମୀଲିପି ମିଳିଛି। ସେହିଭଳି ସମ୍ମୁଖ କାନ୍ଥର ଝରକା ଓ ଖମ୍ବରୁ ମଧ୍ୟ ବ୍ରାହ୍ମୀଲିପି ମିଳିଛି। ସେହିପରି ପୁରାତନ ମନ୍ଦିରର ଭଗ୍ନାଂଶ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଭି‌ଲେଖ ଓ ବ୍ରାହ୍ମୀଲିପିଗୁଡ଼ିକ ଏଏସ୍‌ଆଇ ଲିପିତତ୍ତ୍ବ ବିଭାଗରେ ଅନୁଧ୍ୟାନ କରାଯିବ। ବ୍ରାହ୍ମୀଲିପିଗୁଡ଼ିକର ଅନୁଧ୍ୟାନ ଓ ଅଧ୍ୟୟନ ପରେ ମନ୍ଦିର ବାବଦରେ ଅଧିକ କଥା ସ୍ପଷ୍ଟ ହେବ ବୋଲି ଏଏସ୍‌ଆଇ ଭୁବନେଶ୍ବର ସର୍କଲର ପ୍ରତ୍ନତତ୍ତ୍ୱବିତ୍ ପି.କେ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର