ପୁରୁଣା ଭୁବନେଶ୍ୱର: ପୁଣି କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ଶୁକଶାରୀ ମନ୍ଦିର ପରିସର ଖୋଳିବ। ମାଟି ତଳେ ପୋତିହୋଇ ରହିଥିବା ଭଗ୍ନ ମନ୍ଦିରର ଅତୀତ କାହାଣୀ ଲୋକଲୋଚନକୁ ଆଣିବାକୁ ଶେଷ ଚେଷ୍ଟା କରିବ। ୨୦୨୨ ମସିହାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଅଧାରୁ ବନ୍ଦ ହୋଇଯାଇଥିଲା। ପାଖାପାଖି ଅଢ଼େଇ ବର୍ଷ ପୂର୍ବେ ଅଧାରୁ ବନ୍ଦ ହୋଇଥିବା ଖନନ କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏଏସ୍ଆଇ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଛି ବୋଲି ଏଏସ୍ଆଇ ଭୁବନେଶ୍ବର ଜୋନ୍ ମୁଖ୍ୟ ନନ୍ଦକିଶୋର ସ୍ବାଇଁ ସୂଚନା ଦେଇଛନ୍ତି। ସେତେବେଳେ ଖନନ କାର୍ଯ୍ୟ ବେଶ୍ ଅଗ୍ରଗତି କରିଥିଲା। ମାତ୍ର ବର୍ଷାଋତୁ ଆରମ୍ଭ ହୋଇଯିବାରୁ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମାଟି ତଳୁ ଅଧା ଦୃଶ୍ୟମାନ ହେଉଥିବା ମନ୍ଦିର ଭିତରେ ପାଣି ପଶିଯିବାରୁ ଖନନ କାମ ବନ୍ଦ ରଖାଯାଇଥିଲା। ମାଟି ତଳୁ ଉଦ୍ଧାର ହୋଇଥିବା ବିଭିନ୍ନ ମୂର୍ତ୍ତି ଓ ପ୍ରସ୍ତର ଲିପିକୁ ଜରିପାଲ ଘୋଡ଼ାଇ ରଖାଯାଇଥିଲା। ବର୍ଷା ଦିନ ସରିବା ପରେ ପୁଣି ଖନନ କାମ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଏସ୍ଆଇ କାମ ବନ୍ଦ କରି ଦେଇଥିଲା। ଅଧିକାରୀ ବଦଳିବା ସହ ବଜେଟ୍ ନଥିବାରୁ ଖନନ କାମ ବନ୍ଦ ରହିଥିଲା ବୋଲି ଚର୍ଚ୍ଚା ହେଲା। ଏଥିପାଇଁ ମାଟି ତଳେ ପୋତି ହୋଇ ରହିଥିବା ମନ୍ଦିରର ରହସ୍ୟ ଜାଣିବାକୁ ଉତ୍ସୁକ ଥିବା ସାଧାରଣ ଲୋକ ଓ ଐତିହ୍ୟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେବେଠୁ ଖନନ ସ୍ଥାନକୁ ତାରବାଡ଼ ଘେରାଇ ରଖାଯାଇଛି ଏବଂ ସେଠାକୁ ସର୍ବସାଧାରଣଙ୍କ ଯିବାଆସିବା ବାରଣ କରାଯାଇଛି। ଏବେ ଏଏସ୍ଆଇ ଅଧିକାରୀ ଶ୍ରୀ ସ୍ବାଇଁଙ୍କ କହିବା କଥା ବଜେଟ୍ ବାଧକ କଥାରେ ସତ୍ୟତା ନାହିଁ। ଅନ୍ୟାନ୍ୟ କାରଣରୁ ଖନନ କାମ ବନ୍ଦ ରହିଥିଲା। ଖୁବ୍ଶୀଘ୍ର ଖନନ କାମ ଆରମ୍ଭ ହେବ ଏବଂ ଭଗ୍ନ ମନ୍ଦିରର ପୁନରୁଦ୍ଧାର କରାଯିବ।
ଭାଙ୍ଗିନି କଳାପାହାଡ଼
ଶୁକଶାରୀ ମନ୍ଦିର ନିକଟରେ ପୋତି ହୋଇଯାଇଥିବା ଏହି ମନ୍ଦିର ଭାଙ୍ଗିଯିବା ନେଇ ମୁଖ୍ୟତଃ ତିନିଟି କାରଣ ଉପରେ ଗବେଷକମାନେ ଅନୁମାନ କରନ୍ତି। ମୋଗଲ ଶାସନ କାଳରେ କଳାପାହାଡ଼ ଆକ୍ରମଣରେ କିଛି ମନ୍ଦିର ଭାଙ୍ଗିଯାଇଥିଲା। ମାତ୍ର ଏହି ମନ୍ଦିରଟି କଳାପାହାଡ଼ ଭାଙ୍ଗି ନାହିଁ ବୋଲି ଅନୁମାନ କରାଯାଉଛି। ଶୁକଶାରୀ ମନ୍ଦିର ସହିତ ଏଠାରେ ଅନେକ ମନ୍ଦିର ଆଜି ବି ତିଷ୍ଠି ରହିଥିବାରୁ ଏଠାରେ କଳାପାହାଡ଼ ଆକ୍ରମଣ କରିଥିବା କଥାକୁ ବିଶ୍ବାସ କରାଯାଉନାହିଁ। ମାତ୍ର ଆଉ କିଛି ଗବେଷକଙ୍କ ମତ ଯେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିବା ପରେ ଶୁକଶାରୀ ମନ୍ଦିର ନିର୍ମାଣ କରାଯାଇଛି। ସେହିଭଳି ଆଉ କିଛି ଗବେଷକମାନଙ୍କ କହିବା କଥା ପୂର୍ବରୁ ରାଜାମାନଙ୍କ ଦ୍ବାରା ମନ୍ଦିର ତିଆରି ହେଉଥିଲା। ନିର୍ମାଣ ଶୈଳୀରେ ସାମାନ୍ୟ ତ୍ରୁଟି ଦେଖାଗଲେ, ସେହି ମନ୍ଦିରକୁ ଭାଙ୍ଗି ଦିଆଯାଉଥିଲା। ସେହିପରି କୌଣସି କାରଣରୁ ମନ୍ଦିର ଆପେଆପେ ଭାଙ୍ଗିଗଲେ, ତାକୁ ମଧ୍ୟ ପୋତି ଦିଆଯାଉଥିଲା। ଏହି ମନ୍ଦିରଟି ବହୁବର୍ଷ ପରିତ୍ୟକ୍ତ ହୋଇ ରହିବା ଓ ଭାଙ୍ଗିପଡ଼ିବା ପରେ ସ୍ବତଃ ପୋତି ହୋଇଯାଇଛି ବୋଲି ବିଶ୍ବାସ କରାଯାଉଛି। ତେଣୁ ଏହି ମନ୍ଦିର ଭାଙ୍ଗିଯିବା ପରେ ନିକଟରେ ଶୁକଶାରୀ ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଅନିଲ ଧୀର, ଐତିହ୍ୟ ଗବେଷକ
ଯତ୍ନ ଅଭାବରୁ ଭାଙ୍ଗିଛି ପାତାଳୀ ମନ୍ଦିର
ଏକାମ୍ର କ୍ଷେତ୍ରରେ ଥିବା ବହୁ ମନ୍ଦିର ପାତାଳୀ। ଅର୍ଥାତ୍ ମନ୍ଦିରର ପୂଜାବେଦି ବା ରତ୍ନବେଦି ଭୂପୃଷ୍ଠରୁ ତଳକୁ ରହିଛି। ପର୍ଶୁରାମେଶ୍ବର ମନ୍ଦିର, ଶିଶିରେଶ୍ବର ମନ୍ଦିର, ମହନୀ ମନ୍ଦିର, ଗୌରୀଶଙ୍କର ମନ୍ଦିର, ଶ୍ରୀଲିଙ୍ଗରାଜଙ୍କ ବାପାମାଆଙ୍କ ମନ୍ଦିର, ଏକାମ୍ରେଶ୍ବର ମନ୍ଦିର ଆଦି ପାତାଳରେ ରହିଛି। ତେଣୁ ଏହି ମନ୍ଦିରଟି ବି ପାତାଳରେ ଥିଲା ବୋଲି ଅନୁମାନ କରାଯାଉଛି। କୌଣସି କାରଣରୁ ଯତ୍ନ ଅଭାବ ଯୋଗୁ ଏହି ଭଙ୍ଗିଛି। ଏହା ଭୌମ୍ୟକର ରାଜବଂଶର କେହି ଗଢ଼ାଇଥିବା ଜଣାପଡ଼ୁଛି। ସେହି ସମୟରେ କୌଣସି ବାହ୍ୟ ଆକ୍ରମଣରେ ମନ୍ଦିରଗୁଡ଼ିକ ଭାଙ୍ଗି ନାହିଁ। ସେହିଭଳି ଏଠାରେ ଯୁଦ୍ଧ ବା ଆକ୍ରୋଶମୂଳକ ଭଙ୍ଗାଭଙ୍ଗିର ପ୍ରମାଣ ନାହିଁ। ମନ୍ଦିର ଭଗ୍ନ ଅବସ୍ଥାକୁ ଆସିଲେ, ସେତେବେଳେ ରାଜାମାନେ ମନ୍ଦିରର ମରାମତି ବା ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଉନଥିଲେ। ନୂଆ ମନ୍ଦିର ଗଢ଼ିବା ଉପରେ ପ୍ରାଧାନ୍ୟ ଦିଆଯାଉଥିଲା।
ଭାଗୀରଥି ମହାସୁପକାର, ସେବାୟତ ଓ ସ୍ତମ୍ଭକାର
ବାହାରିଥିଲା ମହିଷାମର୍ଦ୍ଦିନୀ ମୂର୍ତ୍ତି ଓ ବ୍ରାହ୍ମୀଲିପି
ଶୁକଶାରୀ ମନ୍ଦିର ନିର୍ମାଣ ଦଶମ କିମ୍ବା ଏକାଦଶ ଶତାବ୍ଦୀ ସମୟର ବୋଲି ପ୍ରତ୍ନତତ୍ତ୍ବବିତ୍ମାନେ ମତ ଦିଅନ୍ତି। ତେଣୁ ଶୁକଶାରୀ ମନ୍ଦିର ନିକଟରେ ପୋତି ହୋଇପଡ଼ିଥିବା ମନ୍ଦିରଟି ସମସାମୟିକ ବୋଲି କୁହାଯାଉଛି। ଖନନ କାମ ପରେ ଏକ ମନ୍ଦିରର ଚଟାଣ ଦେଖିବାକୁ ମିଳିଥିଲା। ଚଟାଣର ନିର୍ମାଣ ଶୈଳୀ ପଞ୍ଚାୟତନ ଢାଞ୍ଚାରେ ହୋଇଥିବା ପ୍ରମାଣ ମିଳିଥିଲା। ୨୦୨୨ ଏପ୍ରିଲ ୨୩ ତାରିଖ ଦିନ ମାଟି ଭିତରୁ ଏକ ମହିଷାମର୍ଦ୍ଦିନୀ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଏହି ଭଗ୍ନ ମୂର୍ତ୍ତି ଦେଖିବାକୁ ପର୍ଯ୍ୟଟକ, ଐତିହାସିକ, ଐତିହ୍ୟପ୍ରେମୀଙ୍କ ଭିଡ଼ ହେବାରୁ ସେତେବେଳେ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେଣୁ ସେହି ମୂର୍ତ୍ତି ଖନନସ୍ଥଳରେ ଜରିପାଲ ଘୋଡ଼ାଇ ରଖାଯାଇଛି। ସେହିଭଳି ମନ୍ଦିର ଭିତର ଏକ କାନ୍ଥ, ଝରକା ଓ ଖମ୍ବରେ ବ୍ରାହ୍ମୀଲିପି ଦେଖିବାକୁ ମିଳିଥିଲା। ମହିଷାମର୍ଦ୍ଦିନୀ ମୂର୍ତ୍ତି ଠାବ ହୋଇଥିଲେ ହେଁ ମନ୍ଦିରରେ କେଉଁ ଦେବତାଙ୍କ ପୂଜା ପାଉଥିଲେ, ତାହା ଅସ୍ପଷ୍ଟ ରହିଛି। ଅନେକ ଏହା ଏକ ଶିବ ମନ୍ଦିର ବୋଲି ଅନୁମାନ କରୁଥିବା ବେଳେ କେହିକେହି ଏହାକୁ କୌଣସି ଶକ୍ତିପୀଠ ବୋଲି କହୁଛନ୍ତି। ତେବେ ମନ୍ଦିରଟି କିଭଳି ପରିତ୍ୟକ୍ତ ହେଲା, କେଉଁ ପରିସ୍ଥିତିରେ ଭାଙ୍ଗିଯାଇ ପୋତି ହୋଇଗଲା, ତାହା ଜାଣିବାକୁ ଖନନ କାମ ସାରିବାକୁ ପଡ଼ିବ ଏବଂ ଅଧିକ ଗବେଷଣା ଦରକାର ବୋଲି କୁହାଯାଉଛି।
ଭୌମକର ରାଜବଂଶର କୌଣସି ରାଣୀ ଗଢ଼ାଇଥିଲେ
ଭୌମକର ରାଜାଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବେ କ୍ରମାନୁଯାୟୀ ୬ଜଣ ମହିଳା ଉତ୍ତରାଧିକାରୀ ଶାସନ ଭାର ସମ୍ଭାଳି ଥିଲେ। ସେମାନେ ଶକ୍ତି ଉପାସକ ବା ଶାକ୍ତ ଥିଲେ। ଏଠାରୁ ମହିଷାମର୍ଦ୍ଦିନୀ ମୂର୍ତ୍ତି ମିଳିଥିବାରୁ ଏହା ଏକ ଦେବୀ ମନ୍ଦିର ବୋଲି ଅନୁମାନ କରାଯାଉଛି। କାଳକ୍ରମେ କୌଣସି କାରଣରୁ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ଦେବୀ ଅପୂଜା ରହିବାରୁ ମନ୍ଦିର ପରିତ୍ୟକ୍ତ ଅବସ୍ଥାକୁ ଆସି ନଷ୍ଟ ହେବା ସହ ମାଟି ତଳେ ପୋତି ହୋଇଯାଇଥିବା କୁହାଯାଉଛି।
ପ୍ରତ୍ନତତ୍ତ୍ବବିତ୍ ଅନାମ ବେହେରା
ଅପୂଜା ମନ୍ଦିର ପୋତି ହୋଇଯାଇଛି
ଏହି ମନ୍ଦିରଟି ପର୍ଶୁରାମେଶ୍ବର ମନ୍ଦିର ଓ ବିନ୍ଦୁସାଗର ପୁଷ୍କରିଣୀର ସମସାମୟିକ ବୋଲି ଜଣାପଡ଼ୁଛି। କୌଣସି କାରଣରୁ ଏଠାରେ ପୂଜାର୍ଚ୍ଚନା ବaନ୍ଦ ହୋଇଯିବା ଦ୍ବାରା ମନ୍ଦିର ଅପୂଜା ରହିଗଲା। ସେହିଭଳି ପୁଷ୍କରିଣୀ ନିକଟରେ ଜନବସତି ଗଢ଼ିଉଠିବାରୁ ଭଙ୍ଗା ମନ୍ଦିରଟି ପୋତି ହୋଇଗଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇନପାରେ, କେବଳ ବିଭିନ୍ନ ଗବେଷଣାରୁ ଅନୁମାନ କରାଯାଉଛି। ଏ ବାବଦରେ ଅଧିକ ଅନୁସନ୍ଧାନ ଆବଶ୍ୟକ।
ପ୍ରତ୍ନତତ୍ତ୍ବବିତ୍ ମାନସ ସାହୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/ddgjjdjg-2025-10-25-03-49-29.jpg)