ଯମେଶ୍ବର ମନ୍ଦିରରେ ଏଏସ୍ଆଇ କାମ ବନ୍ଦ

ଭଗ୍ନ ଅବସ୍ଥାରେ ସିଂହାସନ

ପୁରୁଣା ଭୁବନେଶ୍ୱର: ଆସୁଛି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଯମ ଦ୍ବିତୀୟା। ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯମେଶ୍ବର ମନ୍ଦିରକୁ ଆସିଥିନ୍ତି। ସେଠାରେ ଥିବା ସିଂହାସନ ପିଣ୍ଡି ଉପରେ ବିରାଜମାନ ହେବା ପରେ ପୂଜାର୍ଚ୍ଚନା କରାଯାଇଥାଏ। ମାତ୍ର ସେହି ସିଂହାସନ ଏବେ ଭଗ୍ନ ଅବସ୍ଥାରେ ପଡ଼ିଛି। ପିଣ୍ଡିର ପୁନରୁଦ୍ଧାର କାର୍ଯ୍ୟ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) କରୁଥିବା ବେଳେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏହି କାମ ବନ୍ଦ ପଡ଼ିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋ‌ଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଦ୍ବାଦଶ ଶତାବ୍ଦୀରେ ସପ୍ତରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ଏକାମ୍ର କ୍ଷେତ୍ରରେ ବେଶ ପରିଚିତ। ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ପର୍ବ ସହିତ ଏହି ମନ୍ଦିରର ସଂପୃକ୍ତି ରହିଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ଦୁଇ ବର୍ଷ ତଳେ ଏହି ମନ୍ଦିରରେ ବଜ୍ରପାତ ହେବାରୁ ବହୁ କ୍ଷୟକ୍ଷତି ହୋଇଥିଲା। ଗତବର୍ଷ ଏଏସ୍ଆଇ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଅଢ଼େଇ ମାସ ହେଲା ଏଠାରେ କାମ ବନ୍ଦ ରହିଛି। ଠାକୁରଙ୍କ ସିଂହାସନ ପିଣ୍ଡି ଅଧା ଭଙ୍ଗା ଅବସ୍ଥାରେ ପଡ଼ିଛି। ସିହାଂସନ ପିଣ୍ଡି ପୁନରୁଦ୍ଧାର ନ ହେଲେ ଠାକୁର କେଉଁଠାରେ ବସିବେ ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି। ଫଳରେ ମହାପ୍ରଭୁଙ୍କ ଆଉ ଏକ ପରମ୍ପରା ଭଙ୍ଗ ହେବା ଆଶଙ୍କା ପ୍ରକାଶ ପାଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏନେଇ ଆଜି ଏଏସ୍ଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏନେଇ ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହନ୍ତି, ଏ ସଂପର୍କରେ ବିଭାଗୀୟ ମୁଖ୍ୟଙ୍କୁ ଜଣାଇ ଦିଆଯିବ। କର୍ମଚାରୀଙ୍କୁ ଠିକାଦାରଙ୍କ ମାଧ୍ୟମରେ ରଖାଯାଇ କାମ କରାଯିବ।

ସମ୍ବନ୍ଧିତ ଖବର