ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଏସିଆ ପାସିଫିକ୍ ଦ୍ବାରା ମନୋନୀତ ହୋଇଛି। ଏହି କାର୍ଯ୍ୟାବଳୀକୁ ପରିଦର୍ଶନ କରିବା ପାଇଁ ଏସିଆ ପାସିଫିକ୍ ରିଜିଅନ୍ ଫିଲିପାଇନସ୍ର ୬ଜଣିଆ ଉଚ୍ଚପଦସ୍ତ ଅଧିକାରୀ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିଦର୍ଶକ ଦଳରେ ଆଞ୍ଚଳିକ ନିର୍ଦ୍ଦେଶକ ଜେଆର୍ସି ପାଙ୍ଗିଲିନାନ୍, ସିଡ୍ କାଷ୍ଟିଲୋ, ଲାନ୍ସ ପାପା ଇଭରସନ, ଆର୍ଯ୍ୟ ଫ୍ରାନ୍ସିସ୍କୋ କାମେରୋଷ, ବ୍ୟାଟ୍ରେରିଜ୍ କାନେଡିସ୍ ଓ ମଧୁସୂଦନ ଆଭାଲା ପ୍ରମୁଖ ଅଛନ୍ତି। ପ୍ରତିନିଧିମଣ୍ଡଳୀ ଆଜି ମଧ୍ୟାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସ୍କାଉଟିଂ ସଫଳତା ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା ରାଜ୍ୟ ଭାରତୀୟ ସ୍କାଉଟସ୍ ଓ ଗାଇଡସ୍ ପକ୍ଷରୁ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ନିର୍ଦ୍ଦେଶକ ଶ୍ରୀ ପାଙ୍ଗିଲିନାନ୍ ଓଡ଼ିଶାକୁ ଭାରତର ସବୁଠୁ ଶ୍ରେଷ୍ଠ ରାଜ୍ୟ ବୋଲି କହିଥିଲେ। ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଓଡ଼ିଶା ସ୍କାଉଟସ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍କାଉଟସ୍ ଓ ଗାଇଡସ୍ର ରେଞ୍ଜର ରୋଭର ମାନେ ଖୋର୍ଦ୍ଧା ପାଇକ ଆଖଡ଼ା, ସମ୍ବଲପୁରୀ ନୃତ୍ୟ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ରାଜ୍ୟ ମୁଖ୍ୟ କମିସନର କାଳିପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ।
ଏସିଆ ପାସିଫିକ୍ ରିଜିଅନ୍ ଫିଲିପିନ୍ସ ଅଧିକାରୀଙ୍କ ଓଡ଼ିଶା ଗସ୍ତ
/sambad/media/post_attachments/wp-content/uploads/2022/07/645g65g4j65gj4g65jd.jpg)