ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି, ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଅସୀମ ବସୁଙ୍କର ଜନ୍ମ ଉତ୍ସବ

ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆଜି ରାଜ୍ୟ ଅଭିଲେଖାଗାରଠାରେ ଅସୀମ ବସୁଙ୍କର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବରବର୍ଣ୍ଣ ପକ୍ଷରୁ ଏକ କବିତା ଆବୃତ୍ତି ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ କପିଳାସ ଭୂୟାଁଁ ଯୋଗଦେଇ ଅସୀମ ବସୁଙ୍କ କର୍ମମୟ ଜୀବନ ତଥା କଳାତ୍ମକ ତଥା ସୃଜନାତ୍ମକ ଜୀବନ ଉପରେ ଆଲୋକପାତ କରିଥିଲେ। ପରେ ସ୍ବରବର୍ଣ୍ଣ ପକ୍ଷରୁ କବିତା ପାଠ କରାଯାଇଥିଲା। ଏଥିରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଜୀବନୀକୁ ନେଇ ମନୁଆ ଦାସ, ନେତାଜୀ ଅଭିନନ୍ଦନ, ତନ୍ଦ୍ରାଳସା ଦାସ, ପବିତ୍ର ମହାନ୍ତି, ଦେବଦତ୍ତ ପତି, ମିନତି ମିଶ୍ର, ପ୍ରଣବ ପ୍ରକାଶ ନାୟକ, ଉମାକାନ୍ତ ରାଉତ ଏବ˚ ବନୋଜ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ। ସଂଧ୍ୟା‌େର ଅତିଥି ଭାବେ କବି ରାଜେନ୍ଦ୍ର କିଶୋର ପଣ୍ତା, ହରପ୍ରସାଦ ଦାସ, ଅସିତ ମହାନ୍ତି ଓ ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ଦେବଦତ୍ତ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କଥାକାର ଅଜୟ ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଚନ୍ଦ୍ରଶେଖର ରଥଙ୍କ ୯୦ତମ ଜନ୍ମ ଜୟନ୍ତୀ
ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ଓ ଚନ୍ଦ୍ରଶେଖର ରଥ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ୯୦ତମ ଜନ୍ମ ଜୟନ୍ତୀ ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ‘ସମୟ’ର ସମ୍ପାଦକ ସାତକଡ଼ି ହୋତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ୍ ରାଜକିଶୋର ମିଶ୍ର, ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ, କବି ଅପର୍ଣ୍ଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଚନ୍ଦ୍ରଶେଖରଙ୍କ ବ୍ୟକ୍ତିତ୍ବ ଓ ସାହିତ୍ୟିକ ରଚନାରେ ଆତ୍ମାର ଐଶ୍ବର୍ଯ୍ୟ ପ୍ରତିଫଳିତ ହୋଇଥିଲା। ତାଙ୍କର ଜୀବନଧାରା ଓ ଲିଖନଧାରା ମଧ୍ୟରେ କୌଣସି ତାରତମ୍ୟ ନ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ‘ଟାଇମ୍‌ପାସ୍‌’ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ‘ଚନ୍ଦ୍ରଶେଖର ଶ୍ରେଷ୍ଠ ଗଳ୍ପ’ ଓ ସୃଜନିକା ଦ୍ବାରା ପ୍ରସ୍ତୁତ ‘ଚନ୍ଦ୍ରଶେଖର ରଚନା ସଂଗ୍ରହ’ ଶୀର୍ଷକ ସିଡି ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଆରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟିକ ପୀତବାସ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‌ଚନ୍ଦ୍ରଶେଖର ରଥ ସ୍ମୃତି ପରିଷଦର ସଂପାଦକ ଶଶିଭୂଷଣ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର