ଭୁବନେଶ୍ବର: ଆଲୁଅ ଜଳି ପାରିଲା ନାହିଁ, ଯୋଉଁଠି ଯାହା ବି ଟିକିଏ ଆଲୁଅ ଥିଲା, ଲିଭିଗଲା ଏବଂ ସମସ୍ତେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଗଲେ। କିନ୍ତୁ ଶବଟା ପଡ଼ି ରହିଲା, ଆଗରୁ ଯେମିତି ପଡ଼ିଥିଲା। ଶବ ପଚିଲା ନାହିଁ। ମିଳେଇ ଯାଇନାହିଁ। ରହି ରହି କେବଳ ଦୁର୍ଗନ୍ଧ ବଢୁଛି, ତାକୁ ସିନା ସେମାନେ ଖୁବ ତରତରରେ ପୋତି ଦେଲେ, କିନ୍ତୁ ତା’ର ଗନ୍ଧ ସମସ୍ତଙ୍କ ଅବଚେତନ ମନକୁ ସଂକ୍ରମିତ କରି ସାରିଥିଲା। ସେହି ଶବ ଯେତେବେଳେ ଜୀବିତ ଥିଲା, ନିଜକୁ ଆମ୍ପୁଡ଼ି ବିଦାରି ଲହୁଲୁହାଣ କରିଥିଲା। ଏବେ କେବଳ ଦୁର୍ଗନ୍ଧ ବିତରଣ କରୁଛି। ଏକ ନିର୍ଦିଷ୍ଟ ବସ୍ତୁକୁ ଆଖି ଆଗରେ ରଖି ଚିରନ୍ତନ ମଣିଷର ରଙ୍ଗହୀନ ରୂପ ହେଉଛି ନାଟକ ‘ଶବ ବାହକମାନେ’। ଆଜି ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ଏହି ନାଟକଟି ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କର ଏକ ପରୀକ୍ଷାଧର୍ମୀ ନାଟକ। ନାଟ୍ୟ ନିର୍ଦ୍ଦେଶକ ଅସୀମ ବସୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ‘ଅସୀମ ବସୁ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଅସୀମ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ତର ପୁରୁଷ ନାଟ୍ୟାନୁଷ୍ଠାନ ପକ୍ଷରୁ ପରିବେଷିତ ଏହି ନାଟକର ନିର୍ଦ୍ଦେଶନା ଚକ୍ରଧର ପାତ୍ର ଦେଇଥିଲେ। ବିଭିନ୍ନ ଚରିତ୍ରରେ ନିଶିକାନ୍ତ, ଜଗନ୍ନାଥ, ଅମିତ୍, ରାମପ୍ରସାଦ, ଦେବଳେନ୍ଦୁ, ଜିତେନ୍ଦ୍ର ଓ ପିହୁ ଅଭିନୟ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ନାଟ୍ୟକାର ବିଜୟ ମିଶ୍ର ଓ ସାମ୍ବାଦିକ କପିଳାସ ଭୂୟାଁ। ଫାଉଣ୍ଡେସନ୍ର ସମ୍ପାଦକ ପବିତ୍ର ମୋହନ କର ଓ ଭାସ୍ବତୀ ବସୁ ଏଥିରେ ଉପସ୍ଥିତ ଥିଲେ। ଦେବଦତ୍ତ ପତି ଉତ୍ସବକୁ ପରିଚାଳନା କରିଥିଲେ।