ଭୁବନେଶ୍ୱର: ମାଟି ମା’ ସେମାନେ ବୋଉ ଭଳି ମାନନ୍ତି। ମାଟି ବି ଠିକ୍ ବୋଉ ଭଳି ପିଲାଙ୍କ ମନ ଚାହିଁ ଫସଲ ଅଜାଡ଼ି ଦିଏ। ହେଲେ ପ୍ରକୃତିର ଅଜବ ନିୟମର ସାମ୍ନା କରିବାକୁ ପଡ଼େ ପାହାଡ଼ି ତଳର ଚଷା ପୁଅମାନଙ୍କୁ। ପାଚିଲା ଫସଲ ଦେଖି ପଲପଲ ହାତୀ ପାହାଡ଼ ଉପରୁ କଳା ବାଦଲ ପରି ମାଡ଼ି ଆସନ୍ତି। ଚାଷୀ ନିଜ ଫସଲକୁ ବଞ୍ଚାଇବାକୁ ଟିଣ ଓ ମଶାଲ ନେଇ ଘଉଡ଼ାଏ। ମଣିଷ ଓ ହାତୀ ଭିତରେ ସଂଘର୍ଷ ଆଜି ବି ଏକ ସମସ୍ୟା। ମାତ୍ର ରଂଗପୁରରେ ସବୁବର୍ଷ ଭଳି ଆଉ ହାତୀ ଆସିନି। ଦେଖା ଦେଇଛି ଏକ ବ୍ୟତିକ୍ରମ। ଏହିଭଳି ଏକ ରୋଚକ କଥାବସ୍ତୁକୁ ନେଇ ଆଜି ଭଂଜ କଳାମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ହାତୀ ଓ ଲଣ୍ଠନ’। ଅସୀମ ବସୁ ଫାଉଣ୍ଡେସନ୍ ଏବଂ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଅସୀମ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏଇ ନାଟକ ଭେଟି ଦେଇଥିଲେ ନାଟ୍ୟସଂସ୍ଥା ‘ଉତ୍ତର ପୁରୁଷ’ର କଳାକାରବୃନ୍ଦ। ଅସୀମ ବସୁ ସଶରୀରେ ନଥିଲେ ହେଁ ତାଙ୍କ ନିର୍ଦେଶିତ ଶେଷ ନାଟକ ଦେଖିବାର ସୁଯୋଗ ଦେଇଥିଲା ଅସୀମ ଉତ୍ସବ। ସୁପ୍ରିୟା ପଣ୍ଡା ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ପ୍ରୟୋଗ କରିଥିଲେ ଚକ୍ରଧର ପାତ୍ର। ସୀମନ୍ତ ମହାନ୍ତି ଆଲୋକ ସମ୍ପାଦନ କରିଥିଲେ। ସଂଗୀତରେ ଥିଲେ ମାରୁତି ଓ କ୍ଷୀରୋଦ। ଭାସ୍ୱତୀ ବସୁ, ପ୍ରସନ୍ନ, ରାସ ବିହାରୀ, ସୁନିଲ୍, ସଚ୍ଚିଦାନନ୍ଦ, ଦେବଦତ୍ତ, ନିଶିକାନ୍ତ, ରାକେଶ, ଅମିତ, ଜଗନ୍ନାଥ, ଅନ୍ତର୍ଯ୍ୟାମୀ, ରାଜା ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ‘ପ୍ରମେୟ’ର ସମ୍ପାଦକ ଗୋପାଳ ମହାପାତ୍ର, ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦେଶକ ଅଜିତ ଦାସ, ନାଟ୍ୟକାର ସୁପ୍ରିୟା ପଣ୍ଡା, ଉତ୍ତରପୁରୁଷର ସମ୍ପାଦକ ଗୌରୀଶ୍ୟାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅସୀମ ଦାଙ୍କ ସ୍ମୃତି ଚାରଣ କରିଥିଲେ। ଆସନ୍ତାକାଲି ‘ଅସୀମ ବସୁ ଏକ ଭିନ୍ନ ମଣିଷ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ଅସୀମ ବସୁଙ୍କ ଜୀବନୀକୁ ନେଇ ନାଟକ ‘ସେଇ ଲୋକଟି’ ମଞ୍ଚସ୍ଥ ହେବ।
ଅସୀମ ଉତ୍ସବରେ ଅସୀମଙ୍କ ଶେଷ ନାଟକ : ‘ହାତୀ ଓ ଲଣ୍ଠନ’
/sambad/media/post_attachments/wp-content/uploads/2018/02/m20.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)