ଦୋଷ ଲୁଚାଇବାକୁ ଏଏସ୍‌ଆଇର ପ୍ରୟାସ, ଫଟୋ ଇଠାଇବାକୁ ବାରଣ କଲେ

ଶୁକଶାରି ମନ୍ଦିର ଚଟାଣ ଡ୍ରେନ୍‌ ପ୍ରସଙ୍ଗ

ପୁରୁଣା ଭୁବନେଶ୍ୱର: ଖନନ କାମ ଚାଲିଥିବାବେଳେ ଶୁକଶାରି ମନ୍ଦିର ଚଟାଣରୁ ମିଳିଥିବା ଡ୍ରେନ୍‌କୁ ନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ଅକଳରେ ପଡ଼ିଛନ୍ତି। ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାରେ ଅବହେଳା ହୋଇଥିବା କାରଣରୁ ଡ୍ରେନ୍‌ ନିର୍ମାଣ ହୋଇଥିଲା ବୋଲି ଜଣାପଡ଼ିବା ପରେ ଏଏସ୍‌ଆଇ ଦୋଷ ଲୁଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ତେଣୁ ଖନନ ଚାଲିଥିବା ସ୍ଥାନକୁ ବାହାର ଲୋକଙ୍କୁ ଛଡ଼ା ଯାଉନାହିଁ କି କାହାକୁ ଫଟୋ ଉଠାଇବାକୁ ଦିଆଯାଉନାହିଁ। ଏମିତିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଫଟୋ ଉଠାଇବାକୁ ବାରଣ କରାଯାଉଛି।

ସୂଚନାଯୋଗ୍ୟ ମାଟି ତଳେ ପୋତି ହୋଇ ପଡ଼ିଥିବା ଶୁକଶାରି ମନ୍ଦିର ଚଟାଣ ଖନନ ଚାଲିଛି। ଗତକାଲି ଏହି ଚଟାଣରେ ଏକ ଡ୍ରେନ୍‌ ଥିବା ଦେଖାଯାଇଥିଲା। ଡ୍ରେନ୍‌ରେ ହ୍ୟୁମ୍‌ ପାଇପ୍‌ ମଧ୍ୟ ପଡ଼ିଛି। ଉକ୍ତ ଡ୍ରେନ୍‌ ପ୍ରାୟ ୨୦ ବର୍ଷ ତଳର ବୋଲି ଜଣାପଡ଼ିଛି। ତେଣୁ ସ୍ଥାନୀୟ କେହି ବ୍ୟକ୍ତି ବା ଅନୁଷ୍ଠାନ ଏହି ଡ୍ରେନ୍‌ ନିର୍ମାଣ କରିଥିବା ଅନୁମାନ କରାଯାଉଛି। ତେବେ ପ୍ରାଚୀନ କୀର୍ତ୍ତିରାଜିକୁ ଭାଙ୍ଗି ତାଡ଼ି ଡ୍ରେନ୍‌ କିଏ କଲା ଓ ଏଏସ୍‌ଆଇ ତାଙ୍କୁ କାହିଁକି ବାରଣ କଲା ନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି। ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବରେ ଥିବା ଏଏସ୍‌ଆଇ ଏହି ଡ୍ରେନ୍‌ ନିର୍ମାଣ ଦେଖି ପାରିଲା ନାହିଁ କି ଦେଖିକି ଚୁପ୍ ରହିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଲୋକଙ୍କ ପ୍ରଶ୍ନବାଣରୁ ନିଜକୁ ବଞ୍ଚାଇବାକୁ ଯାଇ ଏଏସ୍‌ଆଇ ଉକ୍ତ ଖନନ କାର୍ଯ୍ୟସ୍ଥଳକୁ ବାହାର ଲୋକଙ୍କୁ ବାରଣ କରିଛି। ଏପରିକି କାହାକୁ ବି ଫଟୋ ଉଠାଇବାକୁ ଦେଉନାହିଁ।

ଏନେଇ ସ୍ଥାନୀୟ ସେବାୟତ ସଞ୍ଜୀବ ପୂଜାପଣ୍ଡା କହିଛନ୍ତି ଯେ ଏଏସ୍ଆଇ ନିଜ ଦୁର୍ବଳତା ଲୁଚାଇବା ପାଇଁ ବାଉଳିଚାଉଳି ହେଉଛି। ଇନ୍‌ଟାକ୍‌ର ସଭ୍ୟ ଅନିଲ ଧିର କହିଛନ୍ତି ଯେ କୀର୍ତିରାଜିର ସୁରକ୍ଷାରେ ଅବହେଳା ହୋଇଥିବାରୁ ସେଠାରେ ରହୁଥିବା ଲୋକେ ନିଜ ଆବଶ୍ୟକତା ଅନୁଯାୟୀ ମନ ଇଚ୍ଛା ଡ୍ରେନ୍‌ କରିଥିଲେ। ତେଣୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିବା ସ୍ପଷ୍ଟ ହୋଇଛି। ତେବେ ଏ ନେଇ ଏଏସ୍ଆଇର ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକ କିଛି ନ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର