ଦହଗଞ୍ଜ ନିଃସଙ୍ଗ ବୃଦ୍ଧ ପିତାମାତା, ସେବା ଯୋଗାଇ ଦେବାକୁ ନିବେଦନ

ଭୁବନେଶ୍ବର: ପୁଅ ଝିଅମାନେ ବାହାରେ ରହୁଥିଲେ ବି ବୃଦ୍ଧ ପିତାମାତାଙ୍କ ପାଇଁ ରାଜଧାନୀରେ କୌଣସି ଜିନିଷ ଅପହଞ୍ଚ ନଥିଲା। ଘର ସାମ୍ନାରେ ସବୁକିଛି ମିଳୁଥିଲା। ନଚେତ ଦୂରରୁ ଆଣିବା ପାଇଁ ପାଖରେ ଗାଡ଼ି ଥିଲା, ଅବା ଯା’ ଆସ ପାଇଁ ପରିବହନ ବ୍ୟବସ୍ଥା ଥିଲା। ମାତ୍ର ଲକ୍‌ଡାଉନ ପରେ ବରିଷ୍ଠ ନାଗରିକଙ୍କ ଜୀବନ ଧାରଣ ଦୁର୍ବିସହ ହୋଇପଡ଼ିଛି। ଅନେକ ଔଷଧ ପାଇଁ ବି ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ବାର୍ଧକ୍ୟ ସମୟରେ ଅଧିକାଂଶଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ ଘରୁ ନବାହାରିବା ପାଇଁ ବାରମ୍ବାର ଚେତାଇ ଦିଆଯାଉଛି। ମାତ୍ର ରାଜଧାନୀରେ ଅଧିକାଂଶ ପିତାମାତାଙ୍କ ସନ୍ତାନସନ୍ତତିମାନେ ବାହାରେ ଥିବାରୁ ଲକ୍‌ଡାଉନରେ ଜୀବନଯାପନ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଅନେକଙ୍କଠାରେ ବିରକ୍ତିଭାବ ବି ପ୍ରକାଶ ପାଉଛି। ଏହାଦ୍ବାରା କେବଳ ସେହି ବୃଦ୍ଧ ପିତାମାତା ନୁହଁନ୍ତି, ବରଂ ବିଦେଶ ଓ ରାଜ୍ୟ ବାହାରେ ଥିବା ସେମାନଙ୍କ ପୁଅ ଝିଅଙ୍କର ମଧ୍ୟ ଚିନ୍ତା ବଢ଼ି ଯାଇଛି।

‌ଚକେଇସିଆଣି ଅଞ୍ଚଳର ୭୨ବର୍ଷୀୟ ବରିଷ୍ଠ ନାଗରିକ କୃଷ୍ଣ ପ୍ରସାଦ ମହାନ୍ତି ଯେତେବେଳେ ଭିଏସ୍‌ଏସ୍‌ ନଗରକୁ ଗାଡ଼ି ନେଇ ଔଷଧ କିଣିବା ପାଇଁ ବାହାରିଲେ, ବାଟରେ ତାଙ୍କୁ ପୁଲିସ ଅଟକାଇଲା। ଜାରି ହୋଇଥିବା ନିର୍ଦ୍ଦେଶ ମୁତାବକ ପୁଲିସ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ଚାଲିଚାଲି ଯିବା ପାଇଁ କହି‌ଲା। ଫଳରେ ବୃଦ୍ଧଜଣକ ଅସହାୟତା ପ୍ରକାଶ କରି ଅନୁରୋଧ କରିଥିଲେ। ସେହିଭଳି ସୂର୍ଯ୍ୟନଗର ଭଳି କରୋନା ସଂକ୍ରମଣ ପ୍ରତିରୋଧ ଅଞ୍ଚଳର ବରିଷ୍ଠ ନାଗରିକ କ୍ରିଷ୍ଣା ଦେ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। କିନ୍ତୁ ଉଚ୍ଚ ରକ୍ତଚାପ ପାଇଁ ମୋ’ର ଏକ ଅତ୍ୟନ୍ତ ଦରକାରୀ ଔଷଧ ଆଣିବାକୁ ଚାହୁଁଥିଲେ ବି ମୁଁ ଯାଇ ପାରୁନାହିଁ। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଓଡ଼ିଶା ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ ରାଜଧାନୀର ୨ବିଧାୟକ ଓ ମନ୍ତ୍ରୀଙ୍କୁ ବରିଷ୍ଠ ନାଗରିକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ତତଃ ଯେଉଁମାନଙ୍କ ପୁଅ ଝିଅ ପାଖରେ ରହୁନାହାନ୍ତି, ସେମାନେ କିପରି ଏ ଅସମୟରେ ସେବା ପାଇପାରିବେ ସେଥିପାଇଁ ସୁବିଧା କରିବାକୁ ନିବେଦନ କରିଥିଲେ।

ଏନେଇ ଓଡ଼ିଶା ବରିଷ୍ଠ ନାଗରିକ ସଂଘର ଉପସଭାପତି କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି, ନିଃସଙ୍ଗ ଜୀବନ ବିତାଉଥିବା ବୃଦ୍ଧ ପିତାମାତାଙ୍କ ସମ୍ପର୍କିତ ଖବର ପୁଲିସ ପାଖରେ ମହଜୁଦ ଅଛି। ସେମାନଙ୍କୁ ଏ ବିପତ୍ତି ସମୟରେ ସହଯୋଗ କରିବା ପାଇଁ ଏହି ରେକର୍ଡର ସହାୟତା ନିଆଯାଇପାରନ୍ତା। ଏଥିପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ଓ ଆସିଷ୍ଟାଣ୍ଟ ନୋଡାଲ ଅଫିସରଙ୍କୁ ମଧ୍ୟ ଦାୟିତ୍ବ ଦେଇଛନ୍ତି। ମୋଟର ସାଇକେଲ୍‌ ସହ ସ୍ବତନ୍ତ୍ର ମୋବାଇଲ୍‌ ପ୍ରଦାନ କରାଯାଇଛି। ତେଣୁ ଅନ୍ତତଃ ଏ ଲକ୍‌ଡାଉନ ସମୟରେ ଯୋଗାଯୋଗ କରି ସେମାନଙ୍କ ଆବଶ୍ୟକତା ଜାଣିବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଛନ୍ତି। ଆଚାର୍ଯ୍ୟବିହାର ବାସିନ୍ଦା ଇଂ ବଳରାମ ପ୍ରସାଦ ବସୁମଲ୍ଲିକ କହିଛନ୍ତି, ସବୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖ ଦୋକାନରେ ଉପଲବ୍ଧ ହେଉଛି ବୋଲି ‌ସରକାର କହୁଛନ୍ତି। କିଛି ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କୁହାଯାଉଛି। ମାତ୍ର ବାସ୍ତବ କଥା ଓଲଟା। ଗଳିକନ୍ଦିରେ ଛୋଟଛୋଟ ତେଜରାତି ଓ ପରିବା ଦୋକାନ ଖୋଲୁ ନାହିଁ। ଔଷଧ ଦୋକାନ ମଧ୍ୟ ଘର ପାଖରେ ନାହିଁ। କରୋନା ମହାମାରୀ ମୁକାବିଲା ପାଇଁ ଲକ୍‌ଡାଉନ ଘୋଷଣା କରି ସମସ୍ତଙ୍କୁ ଘରେ ରହିବା ପାଇଁ ଉପଦେଶ ଦେବା ଠିକ୍‌ କଥା। ମାତ୍ର ମୌଳିକ ସୁବିଧା ପାଇବା ପାଇଁ ସେମାନଙ୍କର ଅତ୍ୟନ୍ତ ଆବଶ୍ୟକତା କ’ଣ, ତାହା ବି ଉପଲବ୍ଧି କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର