ନିର୍ବାଚନ ଇସ୍ତହାରରେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରଶ୍ନ ପଚାରନ୍ତୁ, ଦୁଷ୍କର୍ମ ମୁକ୍ତ ଭାରତ

ଭୁବନେଶ୍ବର: ଦେଶରେ ଦୁଷ୍କର୍ମ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି। ଦୃଢ଼ ଆଇନ ପ୍ରଣୟନ ସତ୍ବେ ମହିଳାଙ୍କ ସୁରକ୍ଷା ନିଶ୍ଚିତ ହୋଇପାରୁ ନାହିଁ। ପ୍ରତି ଘଣ୍ଟାରେ ୪ଜଣ ଶିଶୁ ‌ଯୌନ ନିର୍ଯାତନାର ଶିକାର ହେଉଥିବା ବେଳେ ପ୍ରତି ଘଣ୍ଟାରେ ୨ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଦେଶରେ ବର୍ଷକୁ ଯେତିକି ସଂଖ୍ୟକ ଦୁଷ୍କର୍ମ ହେଉଛି ତା’ର ୯୪ ପ୍ରତିଶତ ଘଟଣାରେ ଅପରାଧୀ ଜଣାଥିବା ବେଳେ ଓଡ଼ିଶାରେ କିନ୍ତୁ ଏହା ଓଲଟା। ରାଜ୍ୟରେ ୭୨ ପ୍ରତିଶତ ଘଟଣାରେ ଅଜଣା ବ୍ୟକ୍ତି ଏଭଳି କାଣ୍ଡ ଘଟାଉଛନ୍ତି। ୨୦୧୫ ପରଠାରୁ ରାଜ୍ୟରେ ଏଭଳି ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି। ସେହିପରି ରାଜ୍ୟରେ ୬୩ ପ୍ରତିଶତ କ୍ଷେତ୍ରରେ ନାବାଳିକା ଏହାର ଶିକାର ହେଉଥିବା ବେଳେ ଏହି ଘଟଣାରେ ଦଣ୍ଡାଦେଶ ତଳଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ପଶ୍ଚିମବଙ୍ଗରେ ୩ ପ୍ରତିଶତ ଓ ଓଡ଼ିଶ‌ାରେ ୬ ପ୍ରତିଶତ ଦଣ୍ଡାଦେଶ ଯୋଗୁଁ ଅପରାଧୀମାନେ ଏଭଳି କାଣ୍ଡ ଭିଆଇବା ପାଇଁ ସାହସ ଜୁଟାଇ ପାରୁଛନ୍ତି। ତେଣୁ ଏକ ଦୁଷ୍କର୍ମଭୁକ୍ତ ଭାରତ ପାଇଁ ଲୋକମାନଙ୍କ ମାନସିକତାରେ ପରିବର୍ତନ ଆଣିବା ଜରୁରୀ ବୋଲି ପିକକ୍ ଓ କୈଳାସ ‌ସତ୍ୟାର୍ଥୀ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ଜୟଦେବ ଭବନରେ ଆୟୋଜିତ ‘ଦୁଷ୍କର୍ମ ମୁକ୍ତ ଭାରତ’ ଅଭିଯାନରେ ମତ ପ୍ରକାଶ ପାଇଛି।ପିକକ୍‌ର ନିର୍ଦେଶକ ମୀନାକ୍ଷୀ ପଣ୍ଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ୍‌ର ନିର୍ଦେଶକ ରାକେଶ ସେଙ୍ଗର କହିଲେ, ଦୁଷ୍କର୍ମ ପାଇଁ ବୟସର କୌଣସି ସୀମା ନାହିଁ। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ମହିଳାଙ୍କ ପ୍ରତି ଅତ୍ୟାଚାର କରାଯାଉଛି। କଠୋର ନିୟମ ରହିଥିଲେ ହେଁ ଠିକ୍‌ଭାବେ କାର୍ଯ୍ୟକାରୀ ହୋଇ ନପାରିବା କାରଣରୁ ଦୁଷ୍କର୍ମ ଘଟଣା ବଢ଼ି ବଢ଼ି ଚାଲିଛି। ଆଇସିଡିଏସ୍‌ ଯୋଜନାରେ ସବୁ ଟଙ୍କା ଖର୍ଚ ହୋଇପାରୁନାହିଁ। ଏବେ ଦେଶରେ ନିର୍ବାଚନ ଚାଲିଥିବା ବେଳେ କେଉଁ ଦଳ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ନିର୍ବାଚନ ଇସ୍ତହାରରେ ଏହା ଉଲ୍ଲେଖ କରିଛନ୍ତି ତାହା ପଚାରନ୍ତୁ। ଏହାସହ ନିର୍ବାଚିତ ପ୍ରତିନିଧିମାନଙ୍କୁ ଆସନ୍ତା ୫ବର୍ଷ ପାଇଁ ମହିଳାଙ୍କ ସୁରକ୍ଷା ନେଇ ସେମାନେ କ’ଣ ପଦକ୍ଷେପ ନେଲେ ତାହା ପଚାରିବା ଜାରି ରଖିବା ଦରକାର। ଦୁଷ୍କର୍ମମୁକ୍ତ ଭାରତ ପାଇଁ ଦେଶର ଜିଡିପିର ୧୦ ପ୍ରତିଶତ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଖର୍ଚ କରାଯାଉ ବୋଲି ଶ୍ରୀ ସେଙ୍ଗର କହିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଲେ, ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଶୋଷଣର ଶିକାର ହେଉଛନ୍ତି। ଚିହ୍ନା ଲୋକ ଅଧିକ ଦୁର୍ବ୍ୟବହାର କରୁଥିବା ନଜରକୁ ଆସୁଛି। ୨୦୨୨ ମସିହା ସୁଦ୍ଧା ଦେଶକୁ ଦୁଷ୍କର୍ମମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି। କଠୋର ନିୟମ ସହିତ ପାଠ୍ୟକ୍ରମରେ ମହିଳାଙ୍କୁ କିଭଳି ବ୍ୟବହାର କରିବାକୁ ହେବ ତାହା ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଡା. ସେବା ମହାପାତ୍ର ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପିକକ୍‌ର ସଚିବ ରଂଜନ ମହାନ୍ତି କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିଥିବା ବେଳେ ନିର୍ବାହୀ ନିର୍ଦେଶକ ଅନୁରାଧା ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରବର୍ତୀ ଅଧିବେଶନରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର