ଭୁବନେଶ୍ୱର: ବର୍ତ୍ତମାନ ଏ.ଆଇ. ଯୁଗରେ ଲୋକଙ୍କର ପଠନ ଅଭ୍ୟାସ କମିବାରେ ଲାଗିଛି। ଫଳରେ ରାଜ୍ୟ ଓ ଦେଶର କଳା, ସାହିତ୍ୟ, ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ନୂଆ ନୂଆ ବିକଳ୍ପ, ଯେପରିକି ନାଟକ, ନୃତ୍ୟ, ଚିତ୍ର, ବିତର୍କ ଆଦିକୁ ମାଧ୍ୟମ କରାଯିବା ଉଚିତ। ଯଦିଓ ଏ.ଆଇ. ଯୁଗରେ ସବୁ ଜିନିଷ ଆଙ୍ଗୁଠି ଟିପରେ ମିଳିଯାଉଛି, କିନ୍ତୁ ମଣିଷର ସୃନଶୀଳତା ସହ ଏହା କେବେ ସମତୁଲ୍ୟ ହୋଇପାରିବ ନାହିଁ ବୋଲି ଡିଏଭି ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟର ସାହିତ୍ୟ କ୍ଲବ ‘ଭେତ୍ରତ୍ୱ’ର ସାହିତ୍ୟ ମହୋତ୍ସବ ‘ଇନକିମପ୍ୟାକ୍ଟ’ରେ ଯୋଗଦେଇ କହିଛନ୍ତି ‘ସମ୍ୱାଦ’ର ସମ୍ପାଦକ ତନୟା ପଟ୍ଟନାୟକ। ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ସେ ଆହୁରି କହିଥିଲେ ଯେ ସେମାନେ ନିଜର ସୃନଶୀଳତା ଓ ଦକ୍ଷତା ବଢ଼ାଇବା ପାଇଁ ପ୍ରଶ୍ନ ପଚାରନ୍ତୁ। 

Advertisment

ଅନ୍ୟତମ ଅତିଥି ତଥା ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ପାଠପଢ଼ା ସହିତ ଦକ୍ଷତା ବଢ଼ାଇବା ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜେଏସ୍‌ପିଏଲ୍‌ର ଡି଼ଜିଏମ ସଞ୍ଜୟ କୁମାର ସାହୁ, ପ୍ରଫେସର ଶରତ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କ୍ଲବ୍‌ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିତର୍କରେ ବିଜେଇଏମ ସ୍କୁଲ-୧ର ଛାତ୍ରୀ ଅନନ୍ୟା ଅପରାମିତା, କବିତା ପାଠତ୍ସୋବରେ ମଦର୍ସ ପବ୍ଲିକ ସ୍କୁଲର ଅପରାଜିତା ମହାପାତ୍ର, ଟକ୍‌ ଫେଷ୍ଟ୍‌ରେ ବିଜେଇଏମ୍‌ ସ୍କୁଲ-୧ର ଛାତ୍ରୀ ଅଦିତି ମହାନ୍ତି, ଫେସ୍‌ ପେଣ୍ଟିଂରେ ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁରର ଶ୍ରୁତି ପ୍ରଧାନ, କାରିକା ତନ୍‌ଭି, ସ୍ନେହା ରାଧୀକା, ଅଂଶୀତା ଅଭିଳାଷା ସମ୍ୱର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡିଏନ୍‌ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅଂଶୁମାନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।