ନିଜ ଅସ୍ତିତ୍ବ ଜାହିର କରିବା ହିଁ ଅସ୍ମିତା

ସାଂସ୍କୃତିକ କନ୍‌କ୍ଲେଭ୍ ‘ଓଡ଼ିଆ ଅସ୍ମିତା’

ଭୁବନେଶ୍ୱର: କୌଣସି ନା କୌଣସି ଉପାୟରେ ନିଜର ଅସ୍ତିତ୍ବ ଜାହିର କରିବା ହିଁ ଅସ୍ମିତା। ଖାଲି ନିଜେ ନିଜର ଗୁଣଗାନ ନ କରି ଅନ୍ୟ ଦ୍ବାରା କରାଇଲେ, ଗୋଟିଏ ଜାତି ବିଶ୍ବ ସମୁଦାୟରେ ପରିଚିତ ହୁଏ। ନିଜ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ରୀତିନୀତି ଆଦିକୁ ସୁରକ୍ଷିତ କରିବାର ମନୋଭାବ, ଅନ୍ୟ ଆଗରେ ବାରମ୍ବାର ବ୍ୟାଖ୍ୟା କରିବାର ଅଭିଳାଷ ଏକ ଜାତିର ଅସ୍ମିତାକୁ ପରିପ୍ରକାଶ କରିଥାଏ। ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍ ସର୍କଲ୍’ ପକ୍ଷରୁ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌‌ରେ ଆୟୋଜିତ ‘ଓଡ଼ିଆ ଅସ୍ମିତା’ର ଦ୍ବିତୀୟ ସଂସ୍କରଣ‌ରେ ଉପସ୍ଥିତ ଅତିଥିମାନେ ଆଜି ଏହା କହିଛନ୍ତି।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ, ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ, ଆମ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ, ଆମ ରସଗୋଲା ଶ୍ରେଷ୍ଠ, ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ୟ। ଭୀମ ଭୋଇଙ୍କ ଲେଖନୀରୁ ଉଦ୍ଧୃତ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ… ଜାତିସଂଘ ଯାଏ ପରିବ୍ୟାପ୍ତ। ଓଡ଼ିଆ ନିଜ ଜାତି ଓ ଅସ୍ମିତାକୁ ନେଇ ଗର୍ବ କରିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ।
ଅନୁଷ୍ଠାନର ଉପାଧ୍ୟକ୍ଷ ଜେନାମଣି ସଞ୍ଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ରାଷ୍ଟ୍ରଭକ୍ତି, ଭାଷାପ୍ରୀତି ଓ ଧର୍ମପ୍ରୀତିକୁ ନେଇ ଏ ଓଡ଼ିଆ ଜାତି ଗଠିତ। ଆମର ପ୍ରତିଟି କଥାକୁ ଅନୁବାଦ ଜରିଆରେ ବିଶ୍ବ ଦରବାରରେ ପହଞ୍ଚାଇ ପାରିଲେ ଆମର ଭାଷା, ଧର୍ମ, ପରମ୍ପରା, ସଂସ୍କୃତି ସ୍ପଷ୍ଟ ଭାବେ ଅନ୍ୟମାନଙ୍କ ଆଗରେ ଉପସ୍ଥାପିତ ହୋଇପାରିବ।
ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ଓଡ଼ିଆ ଅସ୍ମିତା ଉପରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏହି ଅବସରରେ ସେ ‘ଅ’ ଅକ୍ଷର ଶିକ୍ଷାଠାରୁ ଆରମ୍ଭ କରି ଓଡ଼ିଆ ବର୍ଣ୍ଣର ସୌନ୍ଦର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ, କୋଣାର୍କ, ପଖାଳ, ରସଗୋଲା, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଆଦିର ‌ଗର୍ବ ଓ ଗୌରବର ଗାଥା ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର୍‌ ଜ୍ୟୋତିରଞ୍ଜନ ଦାସ ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ମଞ୍ଚାସୀନ ଥିଲେ।
ଉଦ୍‌ଘାଟନୀ ସଭା ପରେ ‘ଓଡ଼ିଆ ଅସ୍ମିତା’ ଉପରେ ବିଭିନ୍ନ ପର୍ଯ୍ୟାୟରେ ବୌଦ୍ଧିକ ଚର୍ଚ୍ଚା ହୋଇଥିଲା। ‘ଓଡ଼ିଶା: ଭାବ ଓ ଭୂଗୋଳ’ ଶୀର୍ଷକ ଆଲୋଚନାରେ ଭାଷାବିତ୍ କୈଳାସ ଚନ୍ଦ୍ର ଟିକାୟତରାୟ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ଭାଗ ନେଇଥିଲେ। କଥାକାର ଅରବିନ୍ଦ ରାୟ ଏହାକୁ ସଂଯୋଜନା କରିଥିଲେ। ସେହିପରି ‘ଓଡ଼ିଶା: ମୋ ସ୍ବପ୍ନ ଓ ସମ୍ଭାବନା’ ଶୀର୍ଷକ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା, ଶିକ୍ଷାବିତ୍ ଡି.ଏନ୍ ମିଶ୍ର ଓ ଯୁବ ରାଜନେତା ଅମରେଶ ପତ୍ରୀ ଭାଗ ନେଇଥିଲେ। ଅଧ୍ୟାପକ ତଥା ସ୍ତମ୍ଭକାର ନେତାଜୀ ଅଭିନନ୍ଦନ ଏହାକୁ ସଂଯୋଜନା କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ବିଭୁକିଶୋର, ନାଜିଆ ଓ ସ୍ୱଦେଶ ପ୍ରମୁଖ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ। ମିଲନ୍ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସର୍କଲ୍‌ର କର୍ମକର୍ତ୍ତା ବିମଳ ଦାସ, ସାଲୁଟ୍ ସାହୁ, ବିଶ୍ବରଞ୍ଜନ ଦାଶ, କେଦାରନାଥ ରଣସିଂହ, ଶିତିକଣ୍ଠ ସେନାପତି, ଅଂଶୁମାନ ପଟ୍ଟନାୟକ, ପରେଶ ମାହୁନ୍ତ ଓ ସଂତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର