ଭୁବନେଶ୍ବର: ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ‘ଅଭିରୁଚି ଶିଶୁ ପ୍ରତିଭା ସମ୍ମାନ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ବିଧାୟକ ମହମ୍ମଦ ମୋକିମ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଗୀତିକାର ତଥା ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଶିକ୍ଷା ଓ ବିକାଶ ଉପରେ ମତବ୍ୟକ୍ତ କରିଥିଲେ। ଶିଶୁ ଦିବସ ଉପଲକ୍ଷେ ଅନୁଷ୍ଠାନ ଦ୍ବାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଫୋରମର ବାର୍ଷିକ ପତ୍ରିକା ‘ଅଭିରୁଚି’ ଲୋକାର୍ପିତ ହୋଇଥିଲା।
କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ରାଇମ୍ସ, ଓଡ଼ିଶୀ ଏବଂ ଆଧୁନିକ ନୃତ୍ୟର ବିଚାରକ ରୂପେ ଶୃତକିର୍ତ୍ତୀ ତ୍ରିପାଠୀ, ଉମା ପଟ୍ଟନାୟକ, ନୃତ୍ୟଗୁରୁ ନୀଳାଦ୍ରିଙ୍କୁ ସମ୍ମାନିତ କରାଯାଇଥିଲା। ଆନି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ‘ହେଭେନ୍ସ ଗ୍ରୁପ୍’ ବାଦ୍ୟଯନ୍ତ୍ର ସହ ସଂଗୀତ ପରିବେଷଣ କରିଥିଲେ। ଶୁଭୋଦିତା ରାୟ, ପ୍ରତିମା ତ୍ରିପାଠୀ, ଦିପ୍ତୀପ୍ରଭା ରଥା, ରତ୍ନମଞ୍ଜରୀ ସାମନ୍ତରାୟ, କାଜଲ ମହାପାତ୍ର, ମାନସୀ ପାଢ଼ୀ, ତ୍ରିବେଣୀ ଗାଙ୍ଗୁଲି, ସ୍ୱର୍ଣ୍ଣବାଳା ନାୟକ, ଗୋବିନ୍ଦ ପାତ୍ର, ଜିତ, ଅବିନାଶ ରାୟ ଚୌଧୁରୀ, ରଶ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉମାରାଣୀ ଶତପଥୀ ଧନ୍ୟବାଦ ଦେଇଥିଲେ।