ଭୁବନେଶ୍ବର: ୨୦୨୦ ମସିହାରେ ଜଟଣୀ ଅଞ୍ଚଳରେ ଘଟିଥିଲା ଏକ ନାବାଳିକା ଦୁଷ୍କର୍ମ ମାମଲା। ନିଜ ସାଙ୍ଗର ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିଲା ଯୌନପିପାସୁ। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏଡିଜେ ୪(ପୋକ୍ସୋ) କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି ମାମଲାର ଶୁଣାଣି କରି ଆସାମୀ ପି. କ୍ରିଷ୍ଣା ରାଓକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହିତ ତା’ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦେୟ ହେଲେ ତାକୁ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଜଟଣୀରେ ରହୁଥିବା ଆସାମୀ ପି. କ୍ରିଷ୍ଣା ରାଓ ଖୋର୍ଦ୍ଧା ମଡେଲ ଥାନା ଅଞ୍ଚଳରେ ରହୁଥିବା ତା’ର ସାଙ୍ଗ ଘରକୁ ରୀତିମତ ଯା’ଆସ କରୁଥିଲା।
ଘନିଷ୍ଠ ସାଙ୍ଗ ହିସାବରେ କ୍ରିଷ୍ଣା ତା’ର ବନ୍ଧୁ ଘରେ ରହିପାରୁଥିଲା। ମାତ୍ର ତା’ର ଲୋଲୁପ ନଜର ଥିଲା ୧୭ବର୍ଷୀୟ ନାବାଳିକା ଭଉଣୀ ଉପରେ। ୨୦୨୦ ଅଗଷ୍ଟ ୧୨ ତାରିଖ ଦିନ କ୍ରିଷ୍ଣା ବାହାନା କରି ନାବାଳିକାଙ୍କୁ ତା’ ଜଟଣୀସ୍ଥିତ ଘରୁ ନେଇଥିଲା। ଏହାପରେ ସେ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଏଣେ ନାବାଳିକାଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ ଏବଂ କ୍ରିଷ୍ଣାର ଫୋନ୍ ବନ୍ଦ ଥିବା ଦେଖି ପରିବାର ଲୋକେ ଆଶଙ୍କା କରିଥିଲେ ଏବଂ ଖୋର୍ଦ୍ଧା ମଡେଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କ୍ରିଷ୍ଣାକୁ ଜଟଣୀ ଲେପର୍ସି କଲୋନିରୁ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲା। ୭ଜଣ ସାକ୍ଷୀ ଓ ୪୧ଟି ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଆଜିର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ବରିଷ୍ଠ ପିପି ସୁବ୍ରତ ପ୍ରିୟଦର୍ଶୀ ଏହି ମାମଲା ପରିଚାଳନା କରୁଥିଲେ। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।