ଆଜିଠୁ ବିଧାନସଭା ଅଧିବେଶନ: ସଚିବାଳୟ ମାର୍ଗରେ କଟକଣା

ପୁଲିସକୁ ଆତ୍ମାହୁତି ଭୟ, ଜଗିବେ ୩୦ ପ୍ଲାଟୁନ୍‌ ପୁଲିସ

ଭୁବନେଶ୍ବର: ବିଧାନସଭା ଅଧିବେଶନ ଚାଲିଥିବାବେଳେ ନ୍ୟାୟ ଦାବିରେ ଏବେ ବହୁ ଲୋକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି। ଏହା ଏବେ କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଛି। ତେଣୁ ଗୁରୁବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ କମିସନରେଟ୍ ପୁଲିସ ପକ୍ଷରୁ ସଚିବାଳୟ ମାର୍ଗରେ କଟକଣା ଲଗାଯାଇଛି। ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ସଚିବାଳୟ ମାର୍ଗ‌ର କିଛି ଅଂଶ ଉପରେ କଟକଣା ଲଗାଇଛନ୍ତି।

ପୁଲିସର ଏହି କଟକଣା ୧୮ ତାରିଖରୁ ବିଧାନସଭା କାର୍ଯ୍ୟ ଦିବସରେ ଲାଗୁ ହେବ। କଟକଣା ଅନୁଯାୟୀ, ହାଉସିଂବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମ ପାର୍ଶ୍ବ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନ ନିକଟରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାରେ ଆଗକୁ ଯିବେ। ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ଲୋୟର ପିଏମ୍‌ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ, କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ମିଳିବନି। ୧୨୦ ବାଟାଲିୟନ୍ ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍‌ଏ କଲୋନି ଓ ରବୀନ୍ଦ୍ର ମଣ୍ଡପ ଦିଗକୁ ଯାଉଥିବା ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ। ହେଲେ ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ।

ରାସ୍ତା କେମିତି ଅଛି ଜାଣିନାହାନ୍ତି, ଡାଇଭର୍ଟ କରିଦେଲେ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ କିଏ ଆତ୍ମାହୁତି ଉଦ୍ୟମ କ‌ଲେ କମିସନରେଟ୍ ପୁଲିସର ପାରିବାପଣିଆ ଉପରେ ଅଙ୍ଗୁଳି ଉଠିବ। ତେଣୁ ବିଧାନସଭା ଅଧିବେଶନ ପୂର୍ବରୁ ରାସ୍ତା ଡାଇଭର୍ଟ କ‌ରିଦେଲେ। କିଏ କେଉଁ ଆଡ଼େ ବୁଲିକି ଯିବେ ସେନେଇ ବିଜ୍ଞପ୍ତି ଜାରି କରିଦେଲେ। ହେଲେ କେଶରୀ ଟକିଜ୍‌ଠାରୁ ସବୁ ଗାଡ଼ି ବାମ ପାର୍ଶ୍ବରେ ଯିବ ବୋଲି ଯେଉଁ ରୁଟ୍‌ ସ୍ଥିର ହୋଇଛି ତାହାକୁ ନେଇ ସମସ୍ୟା ମୁଣ୍ଡ ଟେକିଛି।
ଏହି ରାସ୍ତାରେ ଏବେ ବି ଦୁଇଟି ଗାଡ଼ି ଏକ ସଙ୍ଗେ ଅତିକ୍ରମ କରିବା ସମ୍ଭବ ନୁହେଁ। ଯଦି ସଚିବାଳୟ ମାର୍ଗରେ ହାଉସିଂବୋର୍ଡ ପାର୍ଶ୍ବରୁ ଆସୁଥିବା ସମସ୍ତ ଗାଡ଼ି ବାମ ପାର୍ଶ୍ବରେ ଆର୍‌ବିଆଇ ଓ ଟ୍ରେଜେରି ପଛ ପାର୍ଶ୍ବ ଦେଇ ଯିବ ତେବେ ସ୍ଥିତି ଅଣାୟତ୍ତ ହେବ ତାହା ଜଳ ଜଳ ଦିଶିଲାଣି।
ଏହି ରାସ୍ତାର ସବୁଠୁ ବଡ଼ ସମସ୍ୟା ହେଲା ରାସ୍ତାକୁ ପ୍ରବେଶ କରିବାକୁ ହେଲେ ଏକ ଉଚ୍ଚା କଲଭର୍ଟ ଉପରେ ଚଢ଼ି ଯିବାକୁ ହେବ। କଲଭର୍ଟରୁ ଖସୁଖସୁ ରାସ୍ତାର ଦୁଇ ପାର୍ଶ୍ବରେ ଉଠା ଦୋକାନୀ ଜବରଦଖଲ କରିକି ଅଛନ୍ତି। ଏପରିକି ଏହି ୩୦୦ରୁ ୪୦୦ ମିଟର ରାସ୍ତାକୁ ପ୍ରାୟ ୪ଟି ଗଳି ସଂଯୋଗ କରିଛି। ରାସ୍ତା ଉପରେ ଉଠାଣିଆ ଡ୍ରେନ୍‌ କଭର୍‌, ମ୍ୟାନ୍‌ହୋଲ୍ ଚାମ୍ବର ଅଛି। ମାତ୍ର ୨୦ରୁ ୨୫ଫୁଟର ରାସ୍ତା ଅଛି। କେବଳ ଏତିକି ନୁହେଁ, ରାସ୍ତା ଖଣ୍ଡିଆ ଖାବରା ହୋଇଯାଇଛି। ତେଣୁ ଏତିକି ରାସ୍ତାରେ କିପରି ଏତେ ଗାଡ଼ି ଯାତାୟାତ କରିବ, ଦୁର୍ଘଟଣା ଘଟିଲେ କ’ଣ ହେବ ସେନେଇ କମିସନରେଟ୍ ପୁଲିସ ଚିନ୍ତା କରିଛି କି ନାହିଁ ସେ ପ୍ରଶ୍ନ ଉଠିଲାଣି। କମିସନରେଟ୍‌ ପୁଲିସ ନିଜର ଅପାରଗତାକୁ ଲୁଚାଇବାକୁ ଲୋକଙ୍କୁ ଏବେ ମରଣମୁହଁକୁ ଠେଲି ଦେଉଛି। ଏପରିକି ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମ୍‌ଜିକୁ ଆସୁଥିବା ଗାଡ଼ିକୁ ମହାତ୍ମା ଗାନ୍ଧୀ ମାର୍ଗରେ ଯିବାକୁ ଅନୁମତି ଦିଆଯାଉ ନ ଥିବାବେଳେ କେଶରୀ ଟକିଜ୍ ପାର୍ଶ୍ବରୁ ଏବଂ ଆଇଜି ପାର୍କ ପାର୍ଶ୍ବରୁ ଆସୁଥିବା ଗାଡ଼ି କିପରି ଏହି ରାସ୍ତାରେ ଯାତାୟାତ କରିବ ସେ‌ ପ୍ରଶ୍ନ ମଧ୍ୟ ଉଠିଛି।

ଭୁବନେଶ୍ବର: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୃହ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଛି। ଗତ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଏକାଧିକ ବାର ଆତ୍ମାହୁତି ଉଦ୍ୟମ ଓ ଅଘଟଣ ଘଟିଥିବାରୁ ଏଥର ସମ୍ମୁଖ ରାସ୍ତାକୁ ବନ୍ଦ କରାଯାଇଛି। ଏହା ଛଡ଼ା‌ ପାର୍ଶ୍ବବର୍ତ୍ତୀ ସମସ୍ତ ରାସ୍ତା ଓ ଗଳିରେ କଡ଼ା ନଜର ରଖାଯାଇଛି। ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯାଇଛି। କାହାରିକୁ ଆନ୍ଦୋଳନ କିମ୍ବା ଧାରଣା ଦେବାକୁ ସୁଯୋଗ ଦିଆଯିବ ନାହିଁ। ଏହା ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଚଳିତ ଅଧିବେଶନ କାଳରେ ଏହି ସବୁ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ପୁଲିସ ଡିଜି ଶ୍ରୀ ଅଭୟ। ବିଧାନସଭା ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ଏହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ବେଳେ ସେ ଏହା କହିଛନ୍ତି। ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ଏହି ୩୧ ଦିନ ବ୍ୟାପି କଡ଼ା ସୁରକ୍ଷା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। ତାଙ୍କ ସହିତ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନି‌ର୍ଦ୍ଦେଶକ ଆର୍ କେ ଶର୍ମା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇନ ଶୃଙ୍ଖଳା ଏଡିଜି ଯଶୱନ୍ତ ଜେଠ୍‌ୱା, ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର