ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୂଳ କରିବା ଅଭିଯୋଗରେ ପୂର୍ତ୍ତ ବିଭାଗ ଡିଭିଜନ୍-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ଆଜି ଜେଲ୍ ଯିବାକୁ ପଡ଼ିଛି। ଗତକାଲିଠାରୁ ଅଟକ ଥିବା ରାଜକିଶୋରଙ୍କୁ ଆଜି ଭିଜିଲାନ୍ସ ଟିମ୍ କୋର୍ଟ ଚାଲାଣ କରିଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପର୍ଯ୍ୟନ୍ତ ଜବତ ହୋଇଥିବା ରାଜକିଶୋରଙ୍କ ସମ୍ପତ୍ତି ତାଙ୍କ ଆୟର ୩୧୭% ବୋଲି ଭିଜିଲାନ୍ସ ହିସାବରୁ ଜଣାପଡ଼ିଛି। ମଙ୍ଗଳବାରଠାରୁ ଭିଜିଲାନ୍ସର ୧୦ଟି ଟିମ୍ ଯନ୍ତ୍ରୀ ଶ୍ରୀ ଜେନାଙ୍କ ୧୦ଟି ଠିକଣାରେ ଚଢ଼ଉ ସମୟରେ ଭୁବନେଶ୍ବର ନିଳାଦ୍ରୀବିହାର ଅଞ୍ଚଳରେ ଥିବା ୩୫୦୦ ବର୍ଗଫୁଟ୍ ପରିମତି ଜମିରେ ନିର୍ମିତ ୩ମହଲା ବିଳାସପୂର୍ଣ୍ଣ କୋଠା, ଖଣ୍ଡଗିରି କସ୍ମୋପଲିସ୍ରେ ୧୮୦୦ ବର୍ଗଫୁଟ୍ର ଗୋଟିଏ ଫ୍ଲାଟ୍ ଓ ୬୫୦ ବର୍ଗଫୁଟ୍ର ଆଉ ଏକ ଫ୍ଲାଟ୍ ଠାବ କରିଥିଲା। ପାହାଳସ୍ଥିତ ସିମ୍ଫୋନି ମଲ୍ରେ ଏକ ସପ୍, ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ୪୦୦ ବର୍ଗଫୁଟ୍ରେ ଅନ୍ୟ ଏକ ସପ୍ ମଧ୍ୟ ଠାବ କରାଯାଇଥିଲା। ଖାଲି ଏତିକି ନୁହେଁ, ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୯ଟି, ଖୋର୍ଦ୍ଧାରେ ଗୋଟିଏ ଏବଂ ନୟାଗଡ଼ରେ ୩ଟି ଏମିତି ମୋଟ୍ ୧୩ଟି ପ୍ଲଟ୍ ଠାବ ହୋଇଥିଲା। ଏଥିସହିତ ୩୦ଲକ୍ଷ ଟଙ୍କାର ଗୃହ ସାମଗ୍ରୀ ଏବଂ ୭୫ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ବୀମା ଓ ବଣ୍ଡ ଠାବ କରାଯାଇଛି। ସୁନାର ଛୋଟଛୋଟ ହାତୀ, ଗହଣା ଆଦି ଜବତ କରାଯାଇଥିଲା। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୫କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି।
ପିଲାଛୁଆଙ୍କ ପଢ଼ାରେ ୬୭ଲକ୍ଷ
ହାଉଜାଉ କଳା ଟଙ୍କାକୁ କେମିତି ନିବେଶ କରିବେ? କେଉଁଠି ନିବେଶ କରିବେ? ସବୁର ଯୋଜନା କରିଥିଲେ କୁବେର ବାବୁ ଶ୍ରୀ ଜେନା। କଳା ଟଙ୍କାର ୯୦ ପ୍ରତିଶତରୁ ଊର୍ଧ୍ବ ପ୍ଲଟ,ଫ୍ଲାଟ, ସପ୍ରେ ନିବେଶ କରିଥିବା ବେଳେ ବାକି ଟଙ୍କା ପିଲାଙ୍କ ପଢ଼ାରେ ଲଗାଇଥିଲେ। ଦୁଇ ପିଲାଙ୍କୁ ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ାଇବା ପାଇଁ ୬୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।
କଟକ-ଭୁବନେଶ୍ବରରେ ୧୮ ବର୍ଷ
କଟକ-ଭୁବନେଶ୍ବରରେ ଭଲ ରୋଜଗାର ହେଉଥିଲା। କେମିତି ବା ଏଠୁ ଚାକିରି ଛାଡ଼ି ଅନ୍ୟତ୍ର ଯିବେ। ଯଦିଓ ୪ମାସ କେନ୍ଧୁଝରରେ କାଟିଥିଲେ। ସେ କଳେବଳେ କୌଶଳେ ବଡ଼ ବଡ଼ିଆ ଓ ଉପରିସ୍ଥ ଅଧିକାରୀଙ୍କୁ ହାତ କରି କଟକ-ଭୁବନେଶ୍ବର ଛାଡ଼ି ନଥିଲେ। ୨୦୦୭ ମସିହାରେ ଚାକିରିରେ ଯୋଗଦେଇଥିବା କୁବେର ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ଚାକିରି କାଳର ୧୮ ବର୍ଷରୁ ମାତ୍ର ୪ମାସ କେନ୍ଦୁଝର ଜିଲ୍ଲାରେ କାମ କରିଥିବା ବେଳେ ବାକି ୧୭ ବର୍ଷ ୮ମାସ କଟକ-ଭୁବନେଶ୍ବରରେ କାଟିଥିଲେ।
ରାଗିଗଲେ ମାଡାମ୍
ଘରେ ଭିଜିଲାନ୍ସ ଚଢ଼ଉ ଦେଖି ଶ୍ରୀ ଜେନାଙ୍କ ପତ୍ନୀ ରାଗିଯାଇଥିଲେ। କଳା ଟଙ୍କାର ଗୁମର ଖୋଲୁଥିବାରୁ ମାଡ଼ାମ ରାଗିଯାଇ ପାଲଟା ଭିଜିଲାନ୍ସ ଉପରେ ବର୍ଷିଥିଲେ। କହିଥିଲେ ଏହି ଭିଜିଲାନ୍ସ ଅଧିକାରୀଙ୍କ ମଧ୍ୟରେ ଅନେକ ଲାଞ୍ଚୁଆ ଅଧିକାରୀ ଅଛନ୍ତି। ସେମାନଙ୍କର ଆମଠାରୁ ବଡ଼ବଡ଼ କୋଠ ଅଛି, କୋଟି କୋଟି ଟଙ୍କା ରଖିଛନ୍ତି। ଏ ସରକାର ରାଜ୍ୟରେ ଇଂଜିନିୟର୍ସଙ୍କୁ ରଖେଇଦେବେ ନାହିଁ। ଇଂନିୟର ସଂଘକୁ ମୋର ନିବେଦନ ସେମାନେ ପ୍ରତିବାଦ କରନ୍ତୁ।