ଖଣ୍ଡଗିରି : ଯୌନରୋଗ ଓ ଏଡ୍‌ସ ନିରାକରଣ ଏବେ ବି ବେଶ୍‌ କିଛି ମାତ୍ରାରେ ଅପହଞ୍ଚ ହୋଇ ରହିଛି। କିନ୍ତୁ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପଡ଼ିବ। ଏହି ଲକ୍ଷ୍ୟ ସାଧନ ପାଇଁ ଭାରତୀୟ ଚର୍ମ, ଯୌନରୋଗ ଓ ଏଡ୍‌ସ ଚିକିତ୍ସକ ସଂଘ ପକ୍ଷରୁ ଭୁବନେଶ୍ୱର ଏମ୍‌ସରେ ଆଜି ଉଦ୍‌ଘାଟିତ ହୋଇଛି ଆଷ୍ଟିକନ୍‌-୨୦୧୭। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠିତ ସରକାରୀ ତଥା କର୍ପୋରେଟ୍‌ ହସ୍ପିଟାଲରୁ ପ୍ରାୟ ୩ ଶହରୁ ଅଧିକ ଡାକ୍ତର ଓ ପିଜି ଛାତ୍ରମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ୩ ଦିନ ଧରି ଏହି ସମ୍ମିଳନୀରେ ପ୍ରଖ୍ୟାତ ବିଶେଷଜ୍ଞମାନେ ଏହି ରୋଗର ନିରାକରଣ ପାଇଁ ଆବିଷ୍କାର ହୋଇଥିବା ନୂତନ ଚିକିତ୍ସା ପଦ୍ଧତି ଓ ସଚେତନତା ଉପରେ ଆଲୋଚନା କରିବେ। ପିଜିଆଇ ଚଣ୍ଡୀଗଡ଼ରୁ ଚର୍ମ ଓ ଯୌନରୋଗ ବିଶେଷଜ୍ଞ ପ୍ରଫେସର ସଂଜୀବ ହୋଣ୍ଡା, ଦିଲ୍ଲୀ ଏମ୍‌ସରୁ ବିନୋଦ ଶର୍ମା, ସୋମେଶ ଗୁପ୍ତା, କୋଲକାତାରୁ ଆର୍‌ଏନ୍‌ ଦତ୍ତ ଓ ଦିଲ୍ଲୀ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍‌ସରୁ ଦୀପିକା ପାଣ୍ଡି ପ୍ରମୁଖ ଆଲୋଚନା କରିବେ।

Advertisment

ଆଜି ଏମ୍‌ସ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାବାଁନେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏଭଳି ଜାତୀୟ ସମ୍ମିଳନୀର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ନୂତନ ଜ୍ଞାନ କୌଶଳ ବିତରଣ ଓ ଆହରଣ ଦ୍ୱାରା ମାନବ ସମାଜର ଅଶେଷ କଲ୍ୟାଣ ସାଧିତ ହେଉଥିବାରୁ ଏହି ସମ୍ମିଳନୀ ଆୟୋଜନ କରିଥିବା ଚିକିତ୍ସକ ସଂଘକୁ ସାଧୁବାଦ ଜଣାଇଥିଲେ। ସଂଘର ସଭାପତି ପ୍ରଫେସର କେ ଭେଙ୍କଟେଶ୍ୱରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ସର ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିି ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ଦିନକୁ ଦିନ ନୂତନ ଚିକତ୍ସା ପଦ୍ଧତି ସହ କମ୍ପାନିମାନେ ନୂତନ ଔଷଧ ଆବିଷ୍କାର କରୁଛନ୍ତି। ତେଣୁ ଏଭଳି ସମ୍ମିଳନୀ ଡାକ୍ତର ଓ ପିଜି ଛାତ୍ରମାନଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ପ୍ରଫେସର ମହାନ୍ତି କହିଥିଲେ। ସଂଗଠକ ସଭାପତି ପ୍ରଫେସର ପିସି ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ସଂଘର ସମ୍ପାଦକ ପ୍ରଫେସର ଏସ୍‌ ଅରୁଣ କୁମାର ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଠଗନ ସମ୍ପାଦକ ପ୍ରଫେସର ସତ୍ୟଦର୍ଶୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।