କରୋନା ସଂକ୍ରମିତଙ୍କୁ ‘ଆଟ୍‌ ହୋମ୍ ଟ୍ରିଟ୍‌ମେଣ୍ଟ’

ଭୁବନେଶ୍ବର : କରୋନା ସଂକ୍ରମିତଙ୍କୁ ଘରେ ମିଳୁଛି ହସ୍ପିଟାଲର ଚିକିତ୍ସା ସେବା। ଅବଶ୍ୟ ପ୍ରାଥମିକ ଅବସ୍ଥାରେ ଥିବା ସଂକ୍ରମିତଙ୍କୁ ଟେକ୍‌ ଟ୍ରିକ୍‌ସ ହୋମ୍ କେୟାର୍‌ ସଂସ୍ଥା ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି। ଯେଉଁମାନେ ଡାକ୍ତରଖାନାକୁ ଯିବା ପାଇଁ ଭୟ କରୁଛନ୍ତି ବା ଶଯ୍ୟା ଅଭାବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇପାରୁନାହାନ୍ତି, ସେମାନେ ଏହି ସେବାକୁ ଆପଣାଉଥିବା ଦେଖିବାକୁ ମିଳୁଛି। ଡାକ୍ତର, ନର୍ସ ପହଞ୍ଚି ଘରେ ରୋଗୀର ରୀତିମତ ପରୀକ୍ଷା କରି ଔଷଧ ସେବନ କରାଉଥିବାରୁ ଏହାର ଚାହିଦା ବୃଦ୍ଧି ପାଉଛି।

ପ୍ରାଥମିକ ପର୍ଯ୍ୟାୟରେ ଥିବା କରୋନା ରୋଗୀମାନଙ୍କ ପାଇଁ ମେଡିକାଲ ଶଯ୍ୟା ଅଭାବ ରହୁଛି। ତେଣୁ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବାକୁ ପଡ଼ୁଛି। ଏହି ସମୟରେ ପରିବାରଲୋକେ ରୋଗୀଙ୍କ ସେବା କରିବାକୁ ଭୟ କରୁଛନ୍ତି। ସଂକ୍ରମିତ ହେବା ଭୟରେ ପାଖ ମାଡ଼ୁ ନାହାନ୍ତି। ଫଳରେ ରୋଗୀର ମାନସିକ ସ୍ଥିତି ଭଲ ରହୁନାହିଁ ଓ ରୋଗ ବଢ଼ୁଛି। ତେଣୁ ଏମିତି ସମୟରେ ଲୋକେ ଏହି ସଂସ୍ଥାର ସହଯୋଗ ଲୋଡ଼ୁଛନ୍ତି। କିଛି ଅର୍ଥ ଖର୍ଚ୍ଚ ହେଉ ପଛେ ଲୋକେ ଘରେ ରୋଗୀ ସେବା କରାଇବାକୁ ପସନ୍ଦ କରୁଛନ୍ତି। ତେଣୁ ଫୋନ୍‌ କଲ୍‌ ପାଇବା ମାତ୍ରେ ଟେକ୍ ଟ୍ରିକ୍ସ ହୋମ୍‌ କେୟାର ସଂସ୍ଥାର ଡାକ୍ତର ଓ ନର୍ସ ଘରେ ପହଞ୍ଚୁଛନ୍ତି। ଜଣେ ନର୍ସଙ୍କୁ ରୋଗୀଙ୍କ ପାଖରେ ନିୟୋଜିତ କରାଯାଉଛି। ସେ ରୋଗୀଙ୍କୁ ନିୟମିତ ଔଷଧ ଦେବାଠାରୁ ତାଙ୍କ ଖାଇବା ପର୍ଯ୍ୟନ୍ତ ସବୁ ବୁଝୁଛନ୍ତି।

ଏହି ସଂସ୍ଥାରେ ୪ଜଣ ଡାକ୍ତର, ୩୦ଜଣ ନର୍ସ ଓ ୧୦ ଜଣ ଆଇସିୟୁ ଟେକ୍‌ନିସିଆନ୍‌ କାମ କରୁଛନ୍ତି। ଏମିତିକି ଘରେ ରୋଗୀଙ୍କୁ ସିଲିଣ୍ଡର୍‌ ଦ୍ବାରା ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏ ପର୍ଯ୍ୟନ୍ତ ଭୁବନେଶ୍ବରରେ ୫୫ଜଣଙ୍କ ଘରେ କରୋନା ରୋଗୀଙ୍କ ସେବା କରାଯାଇଛି ଏବଂ ଅନେକ ବୁକିଂ ରହିଛି ବୋଲି କହିଛନ୍ତି ସଂସ୍ଥାର ନିର୍ଦ୍ଦେଶକ ରଶ୍ମିରଂଜନ ମଲ୍ଲିକ। ରୋଗୀ ସେବା ସହ ସଂସ୍ଥା ପକ୍ଷରୁ ହାଇଜେନିକ୍ ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି ଓ ନିୟମିତ ବ୍ୟବଧାନରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଉଛି।

ସମ୍ବନ୍ଧିତ ଖବର