ରିପୋର୍ଟ: ସସ୍ମିତା ସାହୁ/ ଫଟୋ: ନରସିଂହ
ଭୁବନେଶ୍ବର: ସେ ବଡ଼ଖିଆ ବଡ଼ଠାକୁର। ସେ ରସିକନାଗର। ସ୍ବର୍ଣ୍ଣ ଅଳଙ୍କାର, ମୋତି ମାଣିକରେ ସୁସଜ୍ଜିତ କଳାଠାକୁର ଆହା କି ସୁନ୍ଦର। ଖାଲି ଶ୍ରୀକ୍ଷେତ୍ରରେ ନୁହନ୍ତି, କାଳିଆଠାକୁର ଯେଉଁଠି ରୁହନ୍ତି ସାଆନ୍ତ ଠାଣିରେ ହିଁ ରୁହନ୍ତି। ହେଇ ଯେମିତି ବରମୁଣ୍ଡା ଶ୍ରୀଜଗନ୍ନାଥ ମନ୍ଦିରରେ ସାଆନ୍ତ ବାର ଦେଖି ଯୋଡ଼ ପିନ୍ଧନ୍ତି। ନିଇତି ବଦଳେ ତାଙ୍କର ବସ୍ତ୍ର। ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ରରେ ଶ୍ରୀଅଙ୍ଗ ଶୋଭିତ ହୁଏ। ଆସନ୍ତୁ ଜାଣିବା ବରମୁଣ୍ଡା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାହାଣୀ।
ବରମୁଣ୍ଡା ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦର ସମ୍ପାଦକ ରଘୁନାଥ ନନ୍ଦ କହିଛନ୍ତି, ୯୦ ଦଶକର ଆରମ୍ଭ ଆଡ଼କୁ ବରମୁଣ୍ଡା ଗାଁର ଜଣେ ବ୍ୟକ୍ତି ପୁରୀ ଯାଇଥିଲେ। ସେଠାରୁ କୁନି ଚତୁର୍ଦ୍ଧାମୂର୍ତ୍ତି ଘେନି ଆସିଥିଲେ। ମୂର୍ତ୍ତି ସ୍ଥାପନ କରି ପୂଜା କରିବାକୁ ଏବଂ ଦେଉଳଟିଏ ଗଢ଼ିବାକୁ ସେ ଅଞ୍ଚଳବାସୀଙ୍କୁ କହିଥିଲେ। ଅଞ୍ଚଳବାସୀ ବି ଏଥିରେ ହଁ ଭରିଥିଲେ। ଏକ ବରଗଛ ମୂଳେ କୁନି ଦେଉଳଟିଏ ଗଢ଼ି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରାଯାଇଥିଲା ଓ ୧୯୯୧ ମସିହାରୁ ବିଧି ମୁତାବକ ରଥଯାତ୍ରା ଆରମ୍ଭ ହୋଇଥିଲା। ତେବେ ଏହି ମନ୍ଦିରକୁ ବଡ଼ କରିବାକୁ ସ୍ଥାନୀୟ ଲୋକେ ଭାବିଥିଲେ। ୨୦୦୭ ମସିହାରେ ସାଗର ମହାରଣା ନାମକ କାରିଗରଙ୍କୁ ନେଇ ମନ୍ଦିରର ଶୁଭ ପଡ଼ିଥିଲା। ହେଲେ ଶ୍ରୀ ମହାରଣା ରାଉରକେଲା ଗଲେ ଯେ ଫେରିଲେ ନାହିଁ। ଏହାପରେ ନୟାଗଡ଼ ଓଡ଼ଗାଁର ମନ୍ଦିର କାରିଗର ଦଣ୍ଡପାଣି ସାହୁଙ୍କୁ ନେଇ ୨୦୦୮ ମସିହା ନଭେମ୍ବରରେ ପୁଣି ମନ୍ଦିରର ଶୁଭ ପଡ଼ିଥିଲା।
ପରିଷଦର କୋଷାଧ୍ୟକ୍ଷ ରାମଚନ୍ଦ୍ର ବିଶ୍ବାଳ କହିଛନ୍ତି, ମନ୍ଦିର ଏବେ ଯେଉଁ ସ୍ଥାନରେ ଅବସ୍ଥିତ, ତାହା ହେଉଛି ସରକାରୀ ଜାଗା। ଏହା ଶ୍ମଶାନକୁ ଲାଗି ରହିଥିବା ବେଳେ ଶ୍ମଶାନ ନିକଟସ୍ଥ ଏହି ସ୍ଥାନଟି ଫାଙ୍କା ପଡ଼ିଥିଲା। ତତ୍କାଳୀନ ବିଏମ୍ସି କାଉନ୍ସିଲର୍ ହେମନ୍ତ ସ୍ବାଇଁ (ଗୁଣ୍ଠ) ଏହି ଜାଗାରେ ପାଚେରୀ ବୁଲେଇ ମନ୍ଦିର କରିବାରେ ସହଯୋଗ କରିଥିଲେ। ମନ୍ଦିରଟି ପ୍ରାୟ ୧ ଏକର ପରିମିତ ଜାଗାରେ ହୋଇଥିବା ବେଳେ ୨୦୧୫ ମସିହା ନବକଳେବର ଦିନ ମନ୍ଦିର ପ୍ରତିଷ୍ଠା ସହ ଠାକୁରଙ୍କୁ ଜୀବନ୍ୟାସ ମିଳିଥିଲା। ମନ୍ଦିରର ଉଚ୍ଚତା ୭୬ ଫୁଟ ହୋଇଥିବା ବେଳେ ଚିନ୍ତାମଣି ମହାରଣା ନାମକ ଜଣେ ଶିଳ୍ପୀ ନିମକାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ଗଢ଼ିଥିଲେ। ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ୫ ଜଣ ବ୍ରାହ୍ମଣଙ୍କ ସହ ସ୍ଥାନୀୟ ଅଞ୍ଚଳର ଆଉ ୧୦ ଜଣ ବ୍ରାହ୍ମଣ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଆର୍ଥିକ ଅନୁଦାନରେ ମୁଖ୍ୟ ମନ୍ଦିର ସମେତ ଜଗମୋହନ, ଭୋଗ ମଣ୍ଡପ, ମା’ ଲକ୍ଷ୍ମୀ, ମା’ ବିମଳାଙ୍କ ମନ୍ଦିର ଏକାସାଥେ ପ୍ରତିଷ୍ଠା ଲାଭ କରିଥିଲା। ପରବର୍ତ୍ତୀ ସମୟରେ ମା’ ସରସ୍ବତୀ, କାଶୀ ବିଶ୍ବନାଥ, ହନୁମାନ, ଗଣେଶ ଓ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ମନ୍ଦିର ସ୍ଥାପିତ ହୋଇଥିବା ବେଳେ ଲକ୍ଷ୍ମୀ ମନ୍ଦିର ପାଇଁ ସମ୍ପୂର୍ଣ୍ଣ ଅନୁଦାନ ସ୍ଥାନୀୟ ବାସିନ୍ଦା ବିମ୍ବାଧର ସ୍ବାଇଁ ପ୍ରଦାନ କରିଥିଲେ।
ପରିଷଦର ପରିଚାଳନା ସଦସ୍ୟ ନରସିଂହ ପାତ୍ର କହିଛନ୍ତି, ଏଠାରେ ୩୪ ବର୍ଷ ହେଲା ରଥଯାତ୍ରା ପାଳିତ ହୋଇଆସୁଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ଗୋଟିଏ ରଥ ହେଉଥିବା ବେଳେ ନିକଟସ୍ଥ ନୀଳକଣ୍ଠେଶ୍ବର ମନ୍ଦିରରେ ଠାକୁର ଯାଇ ୯ ଦିନ ରୁହନ୍ତି। ଏହାଛଡ଼ା ମନ୍ଦିରରେ ସ୍ନାନପୂର୍ଣ୍ଣିମା, ଝୁଲଣ ଯାତ୍ରା, ଚନ୍ଦନ ଯାତ୍ରା ଆଦି ବି ମହାଆଡ଼ମ୍ବରରେ ପାଳିତ ହୁଏ। ମହାପ୍ରଭୁ ଏଠାରେ ନିଇତି ଭିନ୍ନ ବାରରେ ଭିନ୍ନ ରଙ୍ଗର ଅଙ୍ଗବସ୍ତ୍ର ପରିଧାନ କରିଥା’ନ୍ତି। ସୋମବାରେ ଗାର ପଡ଼ିଥିବା ଶ୍ବେତବସ୍ତ୍ର, ମଙ୍ଗଳବାରେ ଲାଲ୍, ବୁଧବାରେ ସବୁଜ, ଗୁରୁବାରେ ହଳଦିଆ, ଶୁକ୍ରବାରେ ସମ୍ପୂର୍ଣ୍ଣ ଶୁଭ୍ର ରଙ୍ଗ, ଶନିବାରେ ସମ୍ପୂର୍ଣ୍ଣ କଳା ଓ ରବିବାରେ ପୁଣି ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରିଥା’ନ୍ତି। ସାଆନ୍ତଙ୍କୁ ଏଠି ଦିନରେ ଥରେ ସଙ୍କୁଡ଼ି ଭୋଗ ଓ ରାତିରେ ଫଳ ଭୋଗ ଅର୍ପଣ କରାଯାଉଥିବା ପରାମର୍ଶଦାତା ଇନ୍ଦୁଭୂଷଣ ମହାନ୍ତି କହିଛନ୍ତି। ସ୍ଥାନୀୟ ବାସିନ୍ଦା ଇଂ ଶରତ ସାହୁ ଓ ରମେଶ ଚନ୍ଦ୍ର ଖୁଣ୍ଟିଆଙ୍କ ଅନୁଦାନରେ ମନ୍ଦିରରେ ଯୋଗେନ୍ଦ୍ର ମଣ୍ଡପ ନିର୍ମିତ ହୋଇଛି। ଏଠାରେ ବିବାହ, ବ୍ରତ, ନିର୍ବନ୍ଧ ଓ ଜନ୍ମଦିନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।