ଅଟଳାଗଡ଼ା ହତ୍ୟାକାଣ୍ଡ : ବଡ଼ ଭାଇ ହତ୍ୟାକାରୀ

ବାଲିଅନ୍ତା : ପାହାଳ ଫାଣ୍ଡି ଅଧୀନ ଅଟଳାଗଡ଼ାଠାରେ ପ୍ରୀତମ୍‌ ରାଉତରାୟଙ୍କ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଚିହ୍ନଟ କରିଛି ପୁଲିସ। ସିସିଟିଭି ଫୁଟେଜ୍‌ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ଆଧାର କରି ପୁଲିସ ହତ୍ୟାକାରୀକୁ ଚିହ୍ନଟ କରି ଧରିବାକୁ ଉଦ୍ୟମ କରୁଛି। ହତ୍ୟାକାରୀ ଆଉ କେହି ନୁହେଁ ମୃତ ପ୍ରୀତମ୍‌(୩୫)ଙ୍କ ବଡ଼ ଭାଇ ତଥା ଅବସରପ୍ରାପ୍ତ ସବ୍‌-ରେଜିଷ୍ଟ୍ରାର୍‌ ନରେନ୍ଦ୍ର ନାଥ ରାଉତରାୟଙ୍କ ବଡ଼ ପୁଅ ମାମୁନ୍‌ ରାଉତରାୟ(୪୦) ବୋଲି ପୁଲିସ କହିଛି। ସେହିପରି ସେମାନେ ରହୁଥିବା ପଞ୍ଚମୁଖୀ ରିଜେନ୍ସିର ଫ୍ଲାଟ୍‌ ନମ୍ବର ୫୦୪ରେ ତାଲା ପଡ଼ିଥିବାରୁ ପୁଲିସର ସନ୍ଦେହ ଉକ୍ତ ପରିବାର ଉପରେ ପଡ଼ିଛି। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଭୟାନକ ଥିଲା ବୋଲି ଆପାର୍ଟମେଣ୍ଟ୍‌ ଲିଫ୍ଟ, ରୁମ୍‌ରେ ଲାଗିଥିବା ରକ୍ତ ଛିଟା ଓ ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ପୁଲିସ ଜାଣିବାକୁ ପାଇଛି। ଆପାର୍ଟମେଣ୍ଟ୍‌ରେ ରହୁଥିବା ସେମାନଙ୍କ ପଡ଼ୋଶୀ, କିଛି ସ୍ଥାନୀୟ ବାସିନ୍ଦା ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ପ୍ରୀତମଙ୍କ ବାପା ଓ ମାମୁନ୍‌ଙ୍କ ପତ୍ନୀଙ୍କୁ ଠାବ କରାଗଲେ ହତ୍ୟାର କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ନରେନ୍ଦ୍ର ନାଥଙ୍କ ଦୁଇ ଝିଅ ଥିଲେ ମଧ୍ୟ ସେମାନେ ଭାଇଙ୍କ ଶବ ନେବାକୁ ଆସି ନାହାନ୍ତି ବୋଲି ପୁଲିସ କହିଛି। ତେଣୁ ଏହା ଏକ ପାରିବାରିକ ବିବାଦ ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଏମିତି କି ବିବାଦ ଥିଲା ଯେ ବଡ଼ ଭାଇ ନିଜ ସାନ ଭାଇକୁ ଏପରି ବୀଭତ୍ସ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଲା ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ନରେନ୍ଦ୍ରନାଥଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ମାମୁନ୍‌ ବିବାହିତ ଓ ସେ ବ୍ୟବସାୟ କରନ୍ତି। ମାତ୍ର ପ୍ରୀତମ୍‌ ବେକାର। ଦୁଇ ଝିଅ ବିବାହ କରି ଅନ୍ୟତ୍ର ରହୁଛନ୍ତି। ଟଙ୍କା ଦେଣନେଣ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଘରେ ଅଧିକାଂଶ ସମୟ ପାଟିତୁଣ୍ଡ ‌ହୁଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ବାଲିଅନ୍ତା ଥାନା ପୁଲିସ କେସ ନଂ ୧୪୮/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ପତ୍ତି ଲୋଭ ଓ ଟଙ୍କାକୁ ନେଇ ଥିଲା ବିବାଦ

ଜୋନ୍‌ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁଯାୟୀ ସମ୍ପତ୍ତି ଓ ବାପାଙ୍କ ଟଙ୍କା ଭାଗବଣ୍ଟାକୁ ନେଇ ଦୁଇ ଭାଇ ପ୍ରୀତମ ଓ ମାମୁନ୍‌ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କୁହାଯାଉଛି ବାପାଙ୍କ ସମ୍ପତ୍ତିକୁ ଏକା କବ୍‌ଜା କରିବାକୁ ମାମୁନ୍‌ ଚାହୁଥିଲା। ମାତ୍ର ଏହାକୁ ପ୍ରୀତମ୍‌ ବିରୋଧ କରୁଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା।

ସିସିଟିଭି, ହାର୍ଡ ଡିସ୍କ ଜବତ

ପ୍ରୀତମ ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ବାସିନ୍ଦା ମୁହଁ ଖୋଲିବାକୁ ସାହସ କରୁ ନାହାନ୍ତି। ଆପାର୍ଟମେଣ୍ଟ୍‌ର ପ୍ରବେଶ ପଥ ମୁଖ୍ୟ ଗେଟ୍‌ ନିକଟରେ ଲାଗିଥିବା ସିସି କ୍ୟାମେରାରେ ହତ୍ୟାକାଣ୍ଡ ସଂପର୍କିତ ସ‌ବିଶେଷ ଦୃଶ୍ୟ କଏଦ୍‌ ହୋଇଥିବାରୁ ପୁଲିସ ସିସିଟିଭି ଓ ହାର୍ଡ ଡିସ୍କକୁ ଜବତ କରିଛି। ସିସିଟିଭିରେ ଦେଖିବାକୁ ମିଳିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ସେହିପରି ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ ସୁଧାଂଶୁ ଶେଖର ନନ୍ଦଙ୍କୁ ପଚରାଉଚରା କରାଯାଇଛି। ମାତ୍ର ଆପାର୍ଟମେଣ୍ଟରେ ସିସି କ୍ୟାମେରା ଲାଗି ନଥିବାରୁ ତଦନ୍ତରେ ସମସ୍ୟା ଉପୁଜିଛି।

ହତ୍ୟାକାଣ୍ଡର ଭିଡିଓ

ଅଟଳାଗଡ଼ା ହତ୍ୟାକାଣ୍ଡର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହତ୍ୟାକାରୀ ମାମୁନ୍‌ ସାନଭାଇକୁ ହତ୍ୟା କରିବା ପରେ ଖଣ୍ଡା ପରି ଦେଖାଯାଉଥିବା ଧାରୁଆ ଅସ୍ତ୍ରକୁ ଗାମୁଛାରେ ଗୁଡ଼ାଇ ବେଧଡ଼କ ଭାବେ ରାସ୍ତାରେ ଚାଲି ଚାଲି ଯାଉଥିବା ଭିଡିଓରେ ଦେଖାଯାଇଛି। କେହି ଜଣେ ମୋବାଇଲ୍‌ କ୍ୟାମେରାରେ ଆପାର୍ଟମେଣ୍ଟ୍‌ ଉପରୁ ଏହାକୁ ସୁଟିଂ କରିଥିବା ଜଣାପଡ଼ୁଛି।

ବାପା ଓ ଭାଇଙ୍କୁ ହତ୍ୟା ଧମକ ଦେଇଥିଲେ ପ୍ରୀତମ୍‌

ଅବସର ପରେ ନରେନ୍ଦ୍ରନାଥ ଲକ୍ଷ୍ମୀସାଗର ଶବର ସହି ଭଡ଼ାଘର ଛାଡ଼ି ୩ ବର୍ଷ ହେଲା ପଞ୍ଚମୁଖୀ ‌ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ ୫୦୪ ରହୁଛନ୍ତି। ତାଙ୍କର ଦୁଇ ଝିଅ ବିବାହ କରି ଅନ୍ୟତ୍ର ରହୁଛନ୍ତି। ସାନ ପୁଅ ପ୍ରୀତମ ଅବିବାହିତ। ବଡ଼ ପୁଅ ବ୍ୟବସାୟ କରୁଥିବା ବେଳେ ପ୍ରୀତମ କିଛି କରନ୍ତି ନାହିଁ। ମାତ୍ର ଉଭୟ ବାପାଙ୍କ ପଇସା ଉପରେ ନିର୍ଭର କରନ୍ତି। ୩ ଦିନ ତଳେ ଦୁଇ ଭାଇଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏପରିକି ପ୍ରୀତମ ବଡ଼ଭାଇ ମାମୁନ୍‌ ଓ ତାଙ୍କ ବାପାଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲା। ବିବାଦର ସମାଧାନ ପାଇଁ ନରେନ୍ଦ୍ରଙ୍କ ବଡ଼ ଜ୍ବାଇଁ ଉଦ୍ୟମ କରିଥିଲେ।

ଲିଫ୍ଟ ଓ ରୁମ୍‌ରେ ରକ୍ତ ଛିଟା

ଘଟଣାସ୍ଥଳରୁ ଆପାର୍ଟମେଣ୍ଟର ଲିଫ୍ଟ ଓ ୫ ମହଲା ଉପରେ ଥିବା ଉକ୍ତ ରୁମ୍‌ ନଂ ୫୦୪ ଚଟାଣରେ ରକ୍ତଛିଟା ଥିବା ପୁଲିସ ତଦନ୍ତ ସମୟରେ ଜଣାପଡ଼ିଛି। ସ୍ଥାନୀୟ କିଛି ଲୋକଙ୍କ କହିବାନୁଯାୟୀ ମାମୁନ ବ୍ୟବସାୟ କାମରେ ବାହାରକୁ ଯା’ନ୍ତି। ମଝିରେ ମଝିରେ ଘରକୁ ଆସନ୍ତି। ଘରେ ପ୍ରୀତମ, ତାଙ୍କ ଭାଉଜ ଓ ବାପା ରୁହନ୍ତି। ଶୁକ୍ରବାର ଅପରାହ୍‌ଣରେ ସମସ୍ତେ ଘରେ ଥିଲେ। ସମାଧାନ ପାଇଁ ବଡ଼ ଜ୍ବାଇଁ ବି ଆସିଥିଲେ। ହେଲେ ସେମାନଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଦୁଇ ଭାଇ ମାର୍‌ପିଟ୍‌ ଲାଗିଥିଲେ। ଏହାର କିଛି ସମୟ ପରେ ପ୍ରୀତମ ଗେଟ୍‌ ନିକଟ ପାନ ଦୋକାନୀଙ୍କୁ ସିଗାରେଟ୍‌ ମାଗିବା ବେଳେ ମାମୁନ୍‌ ସେଠାରେ ପହଞ୍ଚି ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରୀତମଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ମାମୁନ୍‌ ଓ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ପଳାଇ ଯାଇଥିଲେ।

ରୁମ୍‌ ନଂ ୫୦୪ରେ ତାଲା

ହତ୍ୟା ଘଟଣା ପରେ ପଞ୍ଚମୁଖୀ ରିଜେନ୍ସି ବି ବ୍ଲକ୍‌ର ରୁମ ନଂ ୫୦୪ରେ ତାଲା ଝୁଲୁଛି। ସମସ୍ତେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପ୍ରୀତମଙ୍କ ବାପା ନରେନ୍ଦ୍ର ନାଥ ଓ ମାମୁନଙ୍କ ପତ୍ନୀଙ୍କ ‌ଖୋଜ ଖବର ମିଳୁନି। ସେମାନଙ୍କୁ ଠାବ କରିବାକୁ ପୁଲିସ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ପ୍ରୀତମ୍‌ଙ୍କ ଦୁଇ ଭଉଣୀ ଥିଲେ ମଧ୍ୟ କେହି କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଶବ ନେବାକୁ ଆସି ନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର