ଖଣ୍ଡଗିରି: ୨୦ ଫେବ୍ରୁଆରିରେ ‘ଆନନ୍ଦବନ’ର ନାମ ପରିବର୍ତ୍ତନ କରାଯାଇ ‘ଅଟଳବିହାରୀ ବାଜପେୟୀ ଆନନ୍ଦବନ’ ହେଲା। ଏଲ୍‌ଇଡି ଲାଇଟ୍‌ରେ ନାଁ ‌ଲେଖାହେଲା। ‌ମେ ୭ ତାରିଖରେ ‘ସୁଭଦ୍ରା ଶକ୍ତି କା‌ଫେ’ ଭ‌ାବେ ଉପମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ। କେବଳ ଆନନ୍ଦବନ ଓ କାଫେର ନାଁ ସିନା ବଦଳିଲା ହେଲେ ‘ଆନନ୍ଦବନ’କୁ ଦୀର୍ଘାୟୁ କରିବା କଥା କାହା ମନକୁ ଆସିନି। ‘ଆନନ୍ଦବନ’ରୁ ଯେତିକି ‌ଆୟ ହେଉଛି, ଖର୍ଚ୍ଚ ତା’ର ୩୦ଗୁଣା। ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ରୋଜଗାରର ଯେଉଁ ବାଟ ଅଛି ତାକୁ ଖୋଲିବା ପାଇଁ ବନବିଭାଗ ଆଗ୍ରହ ପ୍ରକାଶ କରୁନାହିଁ।  ଅପରପକ୍ଷେ ଓଡ଼ିଶା ଖଣିନିଗମର ଆର୍ଥିକ ସହାୟତାରେ ‘ ଆନନ୍ଦବନ’ ପରିଚାଳିତ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଦିନକୁ ଦିନ ପରିଚାଳନା ବ୍ୟୟଭାର ବଢ଼ିବଢ଼ି ଚାଲିଥିବା ବେଳେ ଆନନ୍ଦବନ’ ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଯୋଜନା ହୋଇନାହିଁ। ଯଦି ‌ନିଗମ ଆର୍ଥିକ ସହାୟତା ଦେବା ବନ୍ଦ କରିଦିଏ, ତେବେ ‘ଆନନ୍ଦବନ’ର ଭବିଷ୍ୟତ ଅନ୍ଧକାରକୁ ଚାଲିଯାଇପାରେ। ପୁଣି ‌କଣ୍ଟେଇକୋଳି ଓ ନଟି ଭିତରେ ହଜିଯିବ କୋଟି କୋଟି ଟଙ୍କାରେ ବିକଶିତ ଏହି ଜଙ୍ଗଲ।   

Advertisment

କଳିଙ୍ଗନଗର କେ-୩ ସ୍ଥିତ ୯୦ ଏକର ଜାଗାରେ ନିର୍ମିତ ଏହି ‘ଆନନ୍ଦବନ’ ୨୦୨୪ ମସିହା ମାର୍ଚ୍ଚ ୧୨ରେ ଉଦ୍‌ଘାଟିତ ହୋଇଥିଲା।  ରାଜଧାନୀର ଲୋକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ଉଦ୍‌ଘାଟନର ୧୮ ଦିନରେ ଏଠାକୁ ୧୯,୭୮୦ ଲୋକ ବୁଲିବାକୁ ଆସିଥିଲେ। କେବଳ ପ୍ରଥମ ସପ୍ତାହରେ ୪୧୪ ଜଣ ‘ଆନନ୍ଦବନ’ ବୁଲିବାପାଇଁ ମାସିକିଆ ପାସ୍ କରିଥିଲେ। ଖୋଲିବାର ମାସେ ନପୂରୁଣୁ ଲୋକଙ୍କ ଏଭଳି ଆଗ୍ରହ ‘ଆନନ୍ଦବନ’ ଯେ ରାଜଧାନୀ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଆଣିବ ତାହା ପ୍ରମ‌ାଣିତ କରିଥିଲା। ‘ଆନନ୍ଦବନ’ ସବୁଜିମାରେ ଭରିଛି। ଏହା ଭିତରେ ଥିବା ଆକ୍ୟୁପ୍ରେସର୍‌ ରାସ୍ତା, ପୁଷ୍କରିଣୀ ଆକର୍ଷଣର କେନ୍ଦ୍ର ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶହେରୁ ଅଧିକ ପ୍ରକାରର ଗୋଲାପ ଫୁଲ ଓ ଅନ୍ୟ ଫୁଲ ଲାଗିଛି। ସେହିଭଳି ମୁଖ୍ୟରାସ୍ତାର ଉପରେ ଥିବା ଫୁଟ୍ ଓଭରବିଜ୍ ଉପରୁ ଜଙ୍ଗଲର ଦୃଶ୍ୟ ଅତ୍ୟନ୍ତ ମନୋରମ ଦିଶୁଥିବାରୁ ବ୍ରିଜ୍ ଉପରେ ଗହଳି ଲାଗି ରହୁଛି। କାଫେଟେରିଆରେ ମାଣ୍ଡିଆ ଜାଉ, ମାଣ୍ଡିଆ ମଣ୍ଡା ଓ କାକରା ସହିତ କୋରାପୁଟ କଫି ପାଇଁ ମଧ୍ୟ ବେଶ୍‌ ଭିଡ଼ ଜମୁଛି। 

ଗୋଟିଏ ବର୍ଷରେ ‘ଆନନ୍ଦବନ’କୁ ୨,୪୮,୨୭୦ ଜଣ ପର୍ଯ୍ୟଟକ ଭ୍ରମଣ କରିଛନ୍ତି। ମାସିକ ପାସ୍‌ ୨୩୩୭ ଜଣ କରିଛନ୍ତି। ୬ ମାସିଆ ପାସ୍‌ ୧୯୪ ଜଣ ଓ ବାର୍ଷିକ ପାସ୍‌ ୨୨ ଜଣ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ‘ଆନନ୍ଦବନ’ ଲୋକଙ୍କ ପ୍ରିୟ ସ୍ଥାନ ହୋଇ ପାରିଛି। ‘ଆନନ୍ଦବନ’ର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ,ଠାରେ  ୭୦ କର୍ମଚ‌ାରୀ ନିଯୁକ୍ତ ହୋଇଥିଲେ। ହେଲେ ଏବେ ମାତ୍ର ୨୧ ସୁରକ୍ଷା କର୍ମି ଓ ୨୪ ଦିନ ମଜୁରିଆ କାମ କରୁଛନ୍ତି।‌ 

ଖଣିନିଗମ ବନର ଉନ୍ନତି ପାଇଁ ପୂର୍ବରୁ ୩୦ କୋଟି ଖର୍ଚ୍ଚ କରିଥିବ‌ା ବେଳେ ବିଦ୍ୟୁତ୍‌ ବିଲ୍‌, କର୍ମଚାରୀଙ୍କ ଦରମା ଆନୁଷଙ୍ଗିକ ସାମଗ୍ରୀ ବାବଦରେ ମାସକୁ ପ୍ରାୟ ୧୨.୫ ଲକ୍ଷ ଟଙ୍କା ହିସାବରେ ଦେଢ଼କୋଟି ଟଙ୍କା ପ୍ରଦାନ କରୁଛି। ହେଲେ ‘ଆନନ୍ଦବନ’ର ରୋଜଗାର କହିଲେ ପ୍ରବେଶ ଶୁଳ୍କ (ମୁଣ୍ଡପିଛା ୫ଟଙ୍କା) ଓ ୫ କିଓସ୍କରୁ ମାସିକ ୮୪ ହଜାର ଟଙ୍କା ହିସାବରେ ଗତ ଦେଢ଼ ବର୍ଷରେ ୧୫ ଲକ୍ଷ ଟଙ୍କା ରୋଜଗାର କରିଛି। ଏ ନେଇ ସିଟି ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି, ‘ଆନନ୍ଦବନ’କୁ ପୂର୍ବ ବର୍ଷ ଭଳି ଆର୍ଥିକ ସହାୟତା ଦେବାକୁ ଖଣି ନିଗମକୁ ଲେଖାଯାଇଛି।