ଭୁବନେଶ୍ବର/ବାଲିଅନ୍ତା : ଅଟଳାଗଡ଼ା ପ୍ରୀତମ ରାଉତରାୟ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ସଂପୃକ୍ତ ହତ୍ୟାକାରୀ ତଥା ମୃତକର ବଡ଼ଭାଇ ମାମୁନ୍ ରାଉତରାୟ(୪୦)କୁ ଆଜି ଭୋର୍ରେ ବାଲିଅନ୍ତା ଥାନା ପୁଲିସ ଗିରଫ କରିଛି। ନଖରାଗଡ଼ା ନିକଟ ଓଭରବ୍ରିଜ୍ ତଳେ ଛିଡ଼ା ହୋଇଥିବା ବେଳେ ବାଲିଅନ୍ତା ପୁଲିସ ତାକୁ ଗିରଫ କରିଥିଲା ବୋଲି ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି। ନଖରା-ନିଆଳି ମୁଖ୍ୟ ରାସ୍ତା ଦେଇ ସେ କଟକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବାଲିଅନ୍ତା ଥାନା ଇନ୍ସପେକ୍ଟର ପ୍ରଦୀପ ରାଉତରାୟ ଓ ଏସିପି ଅମରେନ୍ଦ୍ର ପଣ୍ଡା ସଦଳବଳେ ଚଢ଼ଉ କରି ତାକୁ ଧରିଥିଲେ। ଘଟଣାସ୍ଥଳରୁ ତା’ର ବାଇକ୍ ମଧ୍ୟ ଜବତ କରାଯାଇଛି। ଗିରଫ ପରେ ମାମୁନ୍ ସାନଭାଇକୁ ହତ୍ୟା କରିଥିବା ସ୍ବୀକାର କରିଛି। ‘ଘରେ ସମସ୍ତଙ୍କୁ ଦୀର୍ଘ ଦିନ ଧରି ଅଶାନ୍ତି କରି ରଖିଥିଲା। ଯେତେବେଳେ ସୀମା ଲଂଘିଲା, ମାରିଦେଲି’ ବୋଲି କହିଛି ମାମୁନ୍।
କାହିଁକି ଭାଇ ହେଲା ଭଗାରି
ପ୍ରୀତମ୍ର ହାବଭାବ ଭିନ୍ନଧରଣର ଥିଲା। ପରିବାର ସଦସ୍ୟ ହିଁ ତା’ର ଶତ୍ରୁ ଥିଲେ। ଘରଲୋକଙ୍କୁ ଧମକାଇବା, ମାଡ଼ ମାରିବା ତା’ର ଅଭ୍ୟାସ ଥିଲା। ଅନେକଥର ସେ ମା’ଙ୍କୁ ପ୍ରବଳ ମାଡ଼ ମାରିଛି। ମା’ଙ୍କୁ ସିଗାରେଟ୍ ଆଣିବାକୁ ପ୍ରୀତମ ଦୋକାନକୁ ପଠାଉଥିଲା। ଡେରି ହେଲେ ବେଲ୍ଟରେ ମାଡ଼ ମାରୁଥିଲା। ମା’ଙ୍କର ୫ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଟଙ୍କା ଓ ସମ୍ପତ୍ତି ପାଇଁ ପ୍ରୀତମ ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲା। ଏଥିପାଇଁ ଦୁଇଭାଇ ମୁହାଁମୁହିଁ ହୋଇଥିଲେ। ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ବାପା ନରେନ୍ଦ୍ର ସବ୍ରେଜିଷ୍ଟ୍ରାର୍ ଥିଲେ। ଅବସର ପରେ ଘରେ ରହିବା ସହ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ। ଦିନେ କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ପ୍ରୀତମ୍ ବାପାଙ୍କର ତଣ୍ଟି ଚିପି ଧରିଥିଲା। ପ୍ରତିବାଦ କରିବାରୁ ପ୍ରୀତମ୍ ବଡ଼ଭାଇ ମାମୁନ୍କୁ ପିଟିଥିଲା। ଏଣୁ ନରେନ୍ଦ୍ର ବଡ଼ ଝିଅଙ୍କ ପାଖକୁ ଚାଲି ଯାଇଥିଲେ। ୩ ଦିନ ତଳେ ବାପା ଓ ଭାଇକୁ ମାରିଦେବ ବୋଲି ପ୍ରୀତମ୍ ଧମକ ଦେଇଥିଲା। ଗଣ୍ଡଗୋଳର ସ୍ଥାୟୀ ସମାଧାନ ପାଇଁ ବାପା ତାଙ୍କ ବଡ଼ଝିଅ ଜ୍ବାଇଁଙ୍କୁ ଘରକୁ ଡକାଇଥିଲେ। ହେଲେ ବଡ଼ଝିଅ ଜ୍ବାଇଁଙ୍କ ଉପସ୍ଥିତିରେ ମାମୁନ ଓ ପ୍ରୀତମଙ୍କ ମଧ୍ୟରେ ପୁଣି ଭୀଷଣ ଗଣ୍ଡଗୋଳ ହୋଇଥିଲା। କୌଣସି ସମାଧାନ ହୋଇପାରିନଥିଲା। ଘଟଣା ଦିନ ସକାଳେ ମାମୁନ୍ଙ୍କ ପତ୍ନୀ ବାହାରକୁ ଆବର୍ଜନା ପକାଇବାକୁ ଆସିଥିବା ବେଳେ ପ୍ରୀତମ୍ ଭିତର ପଟୁ ଘର ବନ୍ଦ କରିଦେଇଥିଲା। ଫଳରେ ସେ ଆଉ ଭିତରେ ପଶି ପାରିନଥିଲେ। ଏ ନେଇ ମାମୁନ୍ ଫୋନ୍ ପାଇବା ପରେ ସାନ ଭାଇକୁ ହତ୍ୟା କରିବାକୁ ସ୍ଥିର କରିଥିଲା। ସେ ରସୁଲଗଡ଼ରୁ ଏକ କଟୁରି କିଣି ସିଧା ଘରକୁ ଆସି କବାଟ ବାଡ଼େଇଥିଲା। ପ୍ରୀତମ୍ ଖୋଲୁ ଖୋଲୁ ତାକୁ କଟୁରିରେ ଚୋଟ ପକାଇଥିଲା। ଏଥିରେ ତା’ର ହାତର ଆଙ୍ଗୁଠି କଟି ଯାଇଥିଲା। ସେ ବାହାରି ଦଉଡ଼ିବା ପରେ ଖଣ୍ଡେ ଦୂରରେ ଗୋଡ଼ାଇ ହାଣିଥିଲା। ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଥିବା ମାମୁନ୍ ବୟାନ ଦେଇଛି।
ପୁଲିସ ନୟାନ୍ତ
ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ମୋବାଇଲ୍ ବନ୍ଦ ରଖିଥିଲା। ଏଣୁ ପୁଲିସ ତା’ର ଗତିବିଧି ଜାଣି ପାରୁନଥିଲା। ଚଳାଉଥିବା ବାଇକ୍ର ନମ୍ବର ପ୍ଲେଟ ମଧ୍ୟ ବଙ୍କା କରି ଦେଇଥିଲା। ଦୂରରୁ ବାଇକ୍ ନମ୍ବର ଜଣାପଡ଼ୁନଥିଲା। ତାକୁ ଧରିବା ପାଇଁ ତା’ ଶ୍ବଶୁର ଘର, ଖୋର୍ଧା, ଅନୁଗୁଳ, ଢ଼େଙ୍କାନାଳ କଟକ ଓ ଭୁବନେଶ୍ବର ଷ୍ଟେସନ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ଧାରରେ ବାଡ଼ି ବୁଲାଉଥିଲା ପୁଲିସ। ଶେଷରେ ମାମୁନକୁ ଗିରଫ କରିବା ପରେ ପୁଲିସ ଆଜି ସକାଳେ ଟିଆଇ ପରେଡ୍ କରିଥିଲା। ପୁଲିସ ଅଭିଯୁକ୍ତକୁ ନେଇ ଘରଠାରୁ ଆରମ୍ଭ କରି ହତ୍ୟାକାଣ୍ଡସ୍ଥଳ ପର୍ଯ୍ୟନ୍ତ ଛାନ୍ଭିନ୍ କରି ହତ୍ୟାକାଣ୍ଡ ସଂପର୍କିତ ସବିଶେଷ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ସେ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ବାଲିଅନ୍ତା ସାଇଫନ ଛକ ନିକଟରେ ହତ୍ୟାରେ ବ୍ୟବହୃତ କଟୁରିକୁ ଫିଙ୍ଗି ଦେଇଥିବା ଜଣାଇବା ପରେ ପୁଲିସ ସେଠାରୁ ରକ୍ତଭିଜା ଖଣ୍ଡା ଜବତ କରିଥିଲା। ଆଜି ସଂଧ୍ୟାରେ ପ୍ରୀତମର ବାପା ନରେନ୍ଦ୍ର ଗୁଜୁରାଟରୁ ବଡ଼ଝିଅ ସହ ଆସି ପହଞ୍ଚିବା ପରେ ପ୍ରୀତମଙ୍କ ଶବ ହସ୍ତାନ୍ତର କରାଯାଇଛି। ପ୍ରୀତମ୍ର ବାପାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଆସନ୍ତାକାଲି ମାମୁନ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।