ବାଲିଅନ୍ତା : ପୁରୀ ମୁଖ୍ୟ କେନାଲ ବନ୍ଧ ଅଟଳାଗଡ଼ା ରାସ୍ତାରେ ଦୁର୍ବଳ ପୁଲିସ ପାଟ୍ରୋଲିଂ ଲୁଟେରାଙ୍କୁ ସୁହାଉଛି ବୋଲି ଅଭିଯୋଗ ହେଉଛି। ବିଶେଷକରି ସୁରେଖା ବାଟିକା ବାସିନ୍ଦାମାନେ ଲୁଟେରାଙ୍କ ଟାର୍ଗେଟ୍ରେ ରହୁଛନ୍ତି। ବର୍ଷକ ମଧ୍ୟରେ ଏହି କଲୋନିର ୪ ଜଣ ଲୁଟ୍ର ଶିକାର ହେଲଣି।
ଗତ ମେ’ ମାସରେ ଏହି କଲୋନିର ଜଣକୁ ଦୁର୍ବୃତ୍ତମାନେ ମାଡ଼ ମାରି ସୁନାଚେନ୍ ଝାମ୍ପି ନେଇଥିଲେ। ଏହାପରେ ଜଣେ ମହିଳାଙ୍କ ସ୍କୁଟି ଓ ପର୍ସ ଛଡ଼ାଇ ନେଇଥିଲେ। ଅଗଷ୍ଟ ମାସରେ ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କଠାରୁ ୫୦୦୦ଟଙ୍କା ନେଇଯାଇଥିଲେ। ସେହିପରି ଗତକାଲି ଦୁବୁର୍ତ୍ତମାନେ ସୁରେଖାବାଟିକା ମାର୍କେଟ କଂପ୍ଲେକ୍ସରେ ଏକ ଔଷଧ ଦୋକାନର ବୟସ୍କ ମାଲିକ ପ୍ରସନ୍ନ ଦାଶଙ୍କୁ ମାଡ଼ ମାରି ସୁନାଚେନ୍ ଓ ବ୍ରେସଲେଟ୍ ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଏହି ଲୁଟ୍ ମାମଲାରେ ପୁଲିସ ଏପର୍ଯ୍ୟନ୍ତ ଲୁଟେରା ଯୋଡ଼ିଙ୍କୁ ଠାବ କରିପାରିନାହିଁ। ପୁଲିସ ସିସିଟିଭି ଫୁଟେଜ୍ ଧରି ବୁଲୁଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ରାସ୍ତାରେ ପୁଲିସ ପାଟ୍ରୋଲିଂ ଠିକରେ ହେଉନଥିବାରୁ ଚୋରି ବଢ଼ୁଛି।