ଚନ୍ଦ୍ରଶେଖରପୁର: ଅଟିଜିମ୍ର ଶିକାର ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ସବୁବର୍ଗରୁ ପ୍ରୟାସ ହେବା ଜରୁରୀ। ସେମାନଙ୍କର ମଧ୍ୟ ସମାଜରେ ବଞ୍ଚିବାର ସମାନ ଅଧିକାର ରହିଛି।। ସ୍ନେହ ଶ୍ରଦ୍ଧା ଓ ଭଲପାଇବା ପୂର୍ବକ ସେମାନଙ୍କୁ ବ୍ୟବହାର କରିବା ନିହାତି ଆବଶ୍ୟକ। ଆଜି ଅଟିଜିମ୍ ଥେରାପି କେନ୍ଦ୍ର (ଏଟିସି)ର ବାର୍ଷିକ ଉତ୍ସବ ତଥା ଅଟିଜିମ୍ ସଚେତନତା ଦିବସ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ଏହିପରି ମତ ଦେଇଛନ୍ତି। ଆର୍ଏମ୍ଆର୍ସି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ନୀତେନ ଚନ୍ଦ୍ରା(ଆଇଏଏସ୍) ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟିଜିମ୍ ଶିଶୁମାନଙ୍କୁ ସାଧାରଣ ଜୀବନପ୍ରକ୍ରିୟାରେ ସାମିଲ୍ କରିବା ନିମନ୍ତେ ଏହି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ବି କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଟିଜିମ୍ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମୁଗ୍ଧ କରିଥିଲା। ଏହାସହିତ ବାର୍ଷିକ କ୍ରୀଡ଼ା ଏବଂ ବକ୍ତତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଶିଶୁମାନଙ୍କର ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମଟିକୁ ରେନବୋ ସେଣ୍ଟର୍ ଫର୍ ଏଏସ୍ଡ଼ି, କର୍ଣ୍ଣାଟକର ନିର୍ଦ୍ଦେଶକ ଡ.ନଳିନୀ ମେନନ୍, ଏମ୍ସ ଭୁବନେଶ୍ୱରର ସାଇକିଆଟ୍ରିକ୍ ବିଭାଗର ଡ଼. ଇପ୍ସିତା ଏବଂ ଶିଶୁ ବିଭାଗର ଡ଼. ଅମିର ଶତପଥି ପ୍ରମୁଖଙ୍କ ସହିତ ଅଟିଜିମ୍ ପିଲାମାନଙ୍କର ପିତାମାତା ଏବଂ ଅନେକ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।