କେଭିପିୱାଇରେ ଅତୀଶ ଓଡ଼ିଶା ଟପ୍‌ର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଅତୀଶ କୁମାର ସାହୁ

ଭୁବନେଶ୍ବର: ବେଙ୍ଗାଲୁରୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିୱାଇ)ର ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ଛାତ୍ର ଅତୀଶ କୁମାର ସାହୁ ଓଡ଼ିଶା ଟପ୍‌ର ହେବା ସହ ସର୍ବଭାରତୀୟସ୍ତରରେ ୧୩ତମ ରାଙ୍କ ଅକ୍ତିଆର କରିଛନ୍ତି। ଅତୀଶଙ୍କ ଏଭଳି ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ବିଜ୍ଞାନ ପାଠ୍ୟକ୍ରମ ଏବଂ ଅନୁସନ୍ଧାନ ବୃତ୍ତି ପାଇଁ ବିଜ୍ଞାନରେ ଉତ୍ସାହିତ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ଆୟୋଜନ କରିଥାଏ। ଦକ୍ଷତା ଓ ବ୍ୟକ୍ତିଗତ ସାକ୍ଷାତ୍‌କାର ପରୀକ୍ଷା ପରି ୨ଟି ପ୍ରକ୍ରିୟାରେ କେଭିପିୱାଇ ପରୀକ୍ଷା କରାଯାଇଥାଏ। ୨୦୨୦-୨୧ ବର୍ଷରେ କରୋନା ପାଇଁ କେବଳ ଦକ୍ଷତା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇଛି।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ୧୪ ଜଣ ଛାତ୍ରଛାତ୍ରୀ କେଭିପିୱାଇ ପାଇଁ ମନୋନୀତ ହୋଇଛନ୍ତି। ଜେଇଇ ମେନ୍‌-୧ରେ ଓଡ଼ିଶା ଟପ୍‌ର ହୋଇଥିବା ଗୌତମ ଦାସ କେଭିପିୱାଇରେ ସର୍ବଭାରତୀୟସ୍ତରରେ ୨୨୨ତମ ରାଙ୍କ ଅକ୍ତିଆର କରିଛନ୍ତି। ସେହିପରି ଆକାଶ ଇନଷ୍ଟିଚ୍ୟୁଟରେ କୋଚିଂ ନେଉଥିବା ଅତୀଶଙ୍କ ସମେତ ୨୧ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ସେମାନଙ୍କୁ ସଂସ୍ଥାର ନିର୍ଦ୍ଦେଶକ ଏ.ବି ସିଂହ ଶୁଭେଚ୍ଛା ଜଣାଇଛନ୍ତି।

ଅତୀଶ ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ଗଗନ ବିହାରୀ ସାହୁ ଘରୋଇ ସଂସ୍ଥାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ମା’ ଗୀତାଞ୍ଜଳି ସାହୁ ଜଣେ ଗୃହିଣୀ। ସେ ଦ୍ୱିତୀୟ ଶ୍ରେଣୀରୁ ବିଭିନ୍ନ କ୍ଷେତ୍ରରେ ମେଧାବୃତ୍ତି ପାଇଆସୁଛନ୍ତି। ଅତୀଶଙ୍କୁ ସ୍କୁଲ ପକ୍ଷରୁ ଶତ ପ୍ରତିଶତ ସ୍କଲାରସିପ୍ ଦିଆଯାଉଛି। ଭବିଷ୍ୟତରେ ଆଇଆଇଟି କିମ୍ବା ମେଡିକାଲ୍‌ ପାଠ୍ୟକ୍ରମରେ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ବିଜୟ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର