ଭୁବନେଶ୍ୱରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଉଠିଲା ପ୍ରଶ୍ନ, ପିଏନବି ଏଟିଏମ ତାଡ଼ି ୨୭ ଲକ୍ଷ ଲୁଟ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଳମ୍ବିତ ରାତିରେ ଗ୍ୟାସ କଟରରେ ଏଟିଏମ ଭାଙ୍ଗି ୨୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପଟିଆ ମ୍ୟାଗ୍ନେଟିକ ଛକରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଏହି ଲୁଟ ହୋଇଛି । ଏଟିଏମର ଆଇରନ ଚେଷ୍ଟ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଗ୍ୟାସ କଟର ଜବତ ହୋଇଛି ।

ଏବେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ପାଖରେ ପହଞ୍ଚିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି । ଗତ କିଛି ଦିନ ହେବ ରାଜଧାନୀରେ ଅପରାଧ ବଢୁଥିବାରୁ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ଓ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀ ନାଗେଶ୍ୱର ମନ୍ଦିର ରାସ୍ତାରୁ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଲୁଟ୍‌ ହୋଇଥିଲା। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ପିପିଲି ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ। ତାଙ୍କ ବ୍ୟାଗ୍‌ରେ ୨୫ ଶହ ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଥିଲା‌। ଏ ନେଇ ରାଜଲକ୍ଷ୍ମୀ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଇକ୍‌ରେ ଥିବା ଦୁଇ ଲୁଟେରା ତାଙ୍କୁ ଧକ୍କା ମାରି ତଳେ ପକାଇବା ପରେ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍ ଛଡ଼େଇ ନେଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର