ଏଟିଏମ୍‌ ଲୁଟ୍‌ ଘଟଣା : ୬ ବର୍ଷ ତଳେ ସୁରକ୍ଷାକର୍ମୀ ମୁତୟନ ପାଇଁ ପୁଲିସ କହିଥିଲା

ଶନିବାରକୁ ଟାର୍ଗେଟ୍, ତିନି ବର୍ଷରେ ୧୦୫ ଏଟିଏମ୍ ଲୁଟ୍

ଭୁବନେଶ୍ୱର :୨୦୧୩ରେ ବେଙ୍ଗାଲୁରୁରେ ଏଟିଏମ୍ କାଉଣ୍ଟର ଭିତରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସେହି ବର୍ଷ ରାଜଧାନୀରେ ଏଟିଏମ୍ କାଉଣ୍ଟର ଭିତରେ ଗ୍ରାହକଙ୍କଠାରୁ ଦୁର୍ବୃତ୍ତମାନେ ପ୍ରାୟ ୨୦ରୁ ଅଧିକ ଲୁଟ୍ ଘଟାଇଥିଲେ। ଏହି ସବୁ ଘଟଣାକୁ ନେଇ ୨୦୧୪ରେ ତତ୍କାଳୀନ ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସବୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ସୁରକ୍ଷାକର୍ମୀ ମୁତୟନ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ବୈଠକ ପରେ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ଏ ଦିଗରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା।

ଶନିବାରକୁ ଟାର୍ଗେଟ୍
ରାଜ୍ୟରେ ଏକାଧିକ ଏଟିଏମ୍ ଲୁଟ୍ ଘଟଣା ଶନିବାର ହୋଇଥିବାର ନଜିର୍ ରହିଛି। ଏହାର ଏକ ନିର୍ଦ୍ଦିଷ୍ଟ କାରଣ ମଧ୍ୟ ରହିଛି। ଦ୍ବିତୀୟ ଶନିବାର ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି। ରବିବାର ଛୁଟି ରହିଥାଏ। ତେଣୁ ଶୁକ୍ରବାର ପ୍ରମୁଖ ଏଟିଏମ୍ କାଉଣ୍ଟରଗୁଡ଼ିକରେ ବିପୁଳ ପରିମାଣର ଟଙ୍କା ଭର୍ତ୍ତି କରାଯାଏ। ଅଧିକାଂଶ ଏଟିଏମ୍ କାଉଣ୍ଟରକୁ ଶନିବାର ଟାର୍ଗେଟ୍ କରନ୍ତି ଦୁର୍ବୃତ୍ତ। ଶନିବାର ଲୁଟିଲେ ଏଟିଏମ୍ କାଉଣ୍ଟରରୁ ବିପୁଳ ଟଙ୍କା ମିଳିଥାଏ ବୋଲି ଜଣେ ଅଧିକାରୀ କହିଛନ୍ତି।

ତିନି ବର୍ଷରେ ୧୦୫ ଏଟିଏମ୍ ଲୁଟ୍
ରାଜ୍ୟରେ ଏଟିଏମ୍ ଲୁଟ୍ ଘଟଣା ଉଦ୍‌ବେଗଜନକ ରହିଛି। ୨୦୧୭ରୁ ୨୦୧୯; ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୦୫ଟି ଏଟିଏମ୍ କାଉଣ୍ଟର ଲୁଟ୍ ମାମଲା ହୋଇଛି। ଏହି ସମୟ ମଧ୍ୟରେ ସର୍ବାଧିକ ବାଲେଶ୍ବରରେ ୨୦ଟି ମାମଲା ରୁଜୁ ହୋଇଛି। ୨୦୧୭ରେ ୩ଟି, ୨୦୧୮ରେ ୧୨ଟି ଓ ୨୦୧୯ରେ ୫ଟି ଏଟିଏମ୍ ଲୁଟ୍ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହା ପଛକୁ ରହିଛି ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା। ଉଭୟ ଜିଲ୍ଲାରେ ୧୦ଟି ଲେଖାଏଁ ଏଟିଏମ୍‌ ଲୁଟ୍‌ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧାରେ ୯ଟି ଘଟଣା ଘଟିଥିବା ବେଳେ ପୁରୀରେ ୭ଟି ମାମଲା ପଞ୍ଜୀକୃତ ହୋଇଛି। ବ୍ରହ୍ମପୁର ଓ କେନ୍ଦୁଝରରେ ୬ଟି ଘଟଣା ଏବଂ ରାୟଗଡ଼ା, କଟକ ଓ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳରେ ୪ଟି ଲେଖାଏଁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର