ଏଟିଏମ୍‌ ଲୁଟ୍‌ ମାମଲା: ଲୁଟେରା ଗ୍ୟାଙ୍ଗ୍‌ରେ ଆଇଟି ଇଞ୍ଜିନିୟର୍‌!

ଚନ୍ଦ୍ରଶେଖରପୁର: ପଟିଆ ଷ୍ଟେସନ୍ ରୋଡ୍‌ ପିଏନ୍‌ବି ଏଟିଏମ୍‌ରୁ ହୋଇଥିବା ୨୮ଲକ୍ଷ ଟଙ୍କା ଲୁଟ୍ ଘଟଣା ଏବେ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲୁଟ୍‌ ପୂର୍ବରୁ ଲୁଟେରାମାନେ ଏଟିଏମ୍‌ ସର୍ଭର ହ୍ୟାକ୍ କରିଥିବାରୁ ଏହି ଅଭିନବ ତରିକା ଲୁଟ୍‌ ବାବଦରେ ସୁରାକ୍‌ ପାଇବା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଗ୍ୟାଙ୍ଗ୍‌ରେ ଲୁଟେରାଙ୍କ ସହ କିଛି ଆଇଟି ଜ୍ଞାନ କୌଶଳରେ ଦକ୍ଷତା ଥିବା ଇଂଜିନିୟର ସାମିଲ୍‌ ଥିବା ସନ୍ଦେହ କରାଯାଉଛି। ତେଣୁ ଏଭଳି ବଡ଼ ଗ୍ୟାଙ୍ଗ୍‌କୁ ଠାବ କରିବାରେ କମିସନରେଟ୍‌ ପୁଲିସ ସଫଳ ହେବ କି ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇନ୍‌ଫୋସିଟି ଓ ନନ୍ଦକାନନ ଥାନା ପୁଲିସ ସହିତ ଏକ ସ୍ବତନ୍ତ୍ର ପୁଲିସ ଦଳ ଏହି ଏଟିଏମ୍ ଲୁଟେରାଙ୍କ ପିଛା କରୁଛି। ଏଥିମଧ୍ୟରେ କିଛି ସନ୍ଦିଗ୍ଧଙ୍କୁ ପୁଲିସ କାବୁ କରି ବିଭିନ୍ନ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। ଏହି ଘଟଣାର ଚେର କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। କଟକରୁ ଏକ ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଧରାପଡ଼ିବା ପରେ ଭୁବନେଶ୍ବର ପୁଲିସକୁ କିଛିଟା ସୁରାକ୍‌ ମିଳିଛି। କଟକରେ ଧରାପଡ଼ିଥିବା ଜଗତସିଂପୁରର ଯୁବକମାନେ ଆଇଟି ଜ୍ଞାନରେ ଦକ୍ଷ ଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ସହ କିଛି ପେସାଦାର ଲୁଟେରା ମିଶି ରାଜଧାନୀ ଓ କଟକର ଏଟିଏମ୍‌ଗୁଡ଼ିକୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି। ପଞ୍ଜାବ ନ୍ୟା‌ସନାଲ୍‌ ବ୍ୟାଙ୍କର ଆଇଟି ଇଂଜିନିୟରଙ୍କ ସୂଚନା ମୁତାବକ, ଏଟିଏମ୍‌ର ସର୍ଭର ହ୍ୟାକ୍ କରାଯାଇଥିଲା। ଫଳରେ ଲୁଟ୍‌ ସମୟରେ ଏଟିଏମ୍‌ର କୌଣସି ବ୍ୟାଙ୍କକୁ ଜଣାପଡ଼ିନଥିଲା। ପୁଣି ହ୍ୟାକ୍‌ କରିବା ସମୟ ଖୁବ୍ କମ୍ ହୋଇଥିବାରୁ ଦୁର୍ବୃତ୍ତମାନେ ତରବର ହୋଇ କାମ କରିଥିଲେ। ତେଣୁ ଲୁଟ୍‌ ପରେ ଗ୍ୟାସ୍ କଟର୍ ଓ ଅନ୍ୟ କିଛି ଉପକରଣ ଛାଡ଼ି ପଳାଇଥିଲେ। ତେବେ ସର୍ଭର୍‌ ହ୍ୟାକ୍‌ କରିଥିବାରୁ ଏହି ଗ୍ୟାଙ୍ଗ୍‌ରେ ଆଇଟି ଜ୍ଞାନକୌଶଳ ଥିବା ଇଂଜିନିୟର କିମ୍ବା ଇଂଜିନିୟରିଂ ଛାତ୍ର ଏହି ଗ୍ୟାଙ୍ଗ୍‌ରେ ସାମିଲ୍ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର