ଏଟିଏମ୍‌ କାଟି ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣା : ପୁଲିସ୍‌କୁ ଭୁଆଁ ବୁଲାଉଛନ୍ତି ୨ ଲୁଟେରା

ହାଇଦ୍ରାବାଦରେ ସାଙ୍ଗକୁ ଦେଇଥିଲେ ୧୦ ଲକ୍ଷ
ରସୁଲଗଡ଼ରୁ ଆଣିଥିଲେ ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ୱର : ରାଜ୍ୟ ରାଜ୍ୟ ବୁଲି ଏଟିଏମ୍ ମେସିନ୍ କାଟି ଟଙ୍କା ଲୁଟ୍ କରୁଥିବା ଦୁଇ ଲୁଟେରା ସମରଜ୍ୟୋତ ସିଂ ଓ ଜାଫର ସିଦ୍ଦିକ ପୂରା ପେସାଦାର। ତିନି ଦିନିଆ କମିସନରେଟ୍‌ ପୁଲିସ୍‌ ରିମାଣ୍ଡରେ ଆସିଥିବା ଅଭିଯୁକ୍ତଦ୍ବୟଙ୍କୁ ଦୁଇ ଦିନ ଧରି ମାରାଥନ୍ ଜେରା କରୁଛି କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍। ଲୁଟ୍ ଘଟଣାର ଡେମୋ, ଟିଆଇ(ଚିହ୍ନଟ ପରେଡ୍) କରି ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୁଲିସ। କିନ୍ତୁ ଲୁଟ୍ ଟଙ୍କା ସମ୍ପର୍କରେ କାଣିଚାଏ ସୁରାକ୍ ମିଳି ପାରିନାହିଁ। ଲୁଟେରା ପେସାଦାର ହୋଇଥିବାରୁ ପୁଲିସକୁ ଭୂଆଁ ବୁଲାଇ ଚାଲିଛନ୍ତି।

ଲୁଟ୍ ପରେ ପ୍ରାୟ ୮ ଲକ୍ଷ ଟଙ୍କା ପଟିଆ-ମଞ୍ଚେଶ୍ବର ଷ୍ଟେସନର ମଧ୍ୟବର୍ତ୍ତୀ ଅଞ୍ଚଳ ଦୟାୱେଷ୍ଟ କେନାଲରେ ଫିଙ୍ଗି ଦେଇଥିବା ଗତକାଲି କହିଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରି ଖାଲି ହାତରେ ଫେରିଥିଲା। ସେହିପରି ଆଜି ପୁଲିସ ନିକଟରେ ଦେଇଥିବା ବୟାନରୁ ଜଣାପଡ଼ିଛି, ହାଇଦ୍ରାବାଦରେ ଜଣେ ସହଯୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବାକି ପ୍ରାୟ ୮ ଲକ୍ଷ ଟଙ୍କା ଏକ ଗାଡ଼ିରେ ନେଇ ଯାଉଥିଲେ। ପୁଲିସ ଚେକିଂ ଚାଲୁ ଥିବାରୁ ଗାଡ଼ିରେ ସେହି ଟଙ୍କାକୁ ଛାଡ଼ି ଫେରାର ହୋଇ ଯାଇଥିଲେ।

ଏଟିଏମ୍ ଲୁଟ୍ ପରେ ଘଟଣା ପରଦିନ ସେମାନେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ପଳାଇଥିଲେ। ସେଠାରୁ ଚଣ୍ଡିଗଡ଼ ଓ ପରେ ବେଙ୍ଗାଲୁରୁ ଚାଲି ଯାଇଥିଲେ। ତିନୋଟି ସହର ବୁଲିବାର ପ୍ରାୟ ୨୫ଦିନ ପରେ ସେମାନେ ବିଶାଖାପାଟଣା ଆସି ଆଉ ଏକ ଏଟିଏମ୍ ମେସିନ୍ କାଟି ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ସେମାନେ ଭୁବନେଶ୍ବରରୁ ଲୁଟ୍ ହୋଇଥିବା ଟଙ୍କା ଧରି କେମିତି ଏତେ ସହର ବୁଲିଥିଲେ? ବେଙ୍ଗାଲୁରୁରେ ରହୁଥିବା ବେଳେ ହାଇଦ୍ରାବାଦରେ କେମିତି ସହଯୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ? ଯେଉଁ ପୁଲିସ ଚେକ୍‌ପୋଷ୍ଟରେ ଗାଡ଼ି ଭିତରେ ୮ ଲକ୍ଷ ଟଙ୍କା ଛାଡ଼ି ପଳାଇଥିଲେ, ତାହା ଏବେ କେଉଁଠି? ହାଇଦ୍ରାବାଦ ପୁଲିସ ସହ ଯୋଗାଯୋଗ କରି ସେମିତି କିଛି ତଥ୍ୟ ହାସଲ କରିଛି କି କମିସନରେଟ ପୁଲିସ? ଆସନ୍ତାକାଲି ରିମାଣ୍ଡର ଶେଷ ଦିନ ଥିବାରୁ ଅଧିକ ପ୍ରମାଣ ସହ ଲୁଟ୍ ଟଙ୍କା ସମ୍ପର୍କରେ ପୁଲିସ ଖୋଳତାଡ଼ କରିବ।

ଆଜିର ଜେରା ବେଳେ ସେମାନେ ଗ୍ୟାସ ସିଲିଣ୍ଡର ରସୁଲଗଡ଼ର ଏକ ଦୋକାନରୁ ନେଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଗ୍ୟାସ ଫିଲିଂ ଦୋକାନକୁ ଇନଫୋସିଟି ଥାନା ପୁଲିସ ନୋଟିସ୍ କରିଛି। ଆସନ୍ତାକାଲି ଦୁଇ ଲୁଟେରାଙ୍କ ସହ ମୁହାଁମୁହିଁ ଜେରା କରାଯିବ। ସେଠାରେ ଟିଆଇ ପରେଡ୍ ମଧ୍ୟ ଅନୁଷ୍ଠିତ ହେବ। ଏହି ପ୍ରମାଣ ପୁଲିସ ପାଇଁ ବେଶ୍ ସହାୟକ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତଦ୍ବୟ ଅକ୍ଟୋବର ୧୦ ତାରିଖରେ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପିଏନ୍‌ବି ଏଟିଏମ୍‌କୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ସେଥିରୁ ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପରେ ସେମାନେ ବିମାନରେ ଫେରାର୍‌ ହୋଇଯାଇଥିଲେ। କିନ୍ତୁ ନଭେମ୍ବର ୬ ତାରିଖ‌ରେ ସେମାନେ ବିଶାଖାପାଟଣାରେ ସମାନ ଢଙ୍ଗରେ ଲୁଟ୍‌ କରି ଧରା ପଡ଼ିଥିଲେ। ଉଭୟଙ୍କୁ ହାଇଦ୍ରାବାଦ୍‌ ପୁଲିସ୍‌ ଗିରଫ କରିଥିଲା। ଉଭୟ ବିଶାଖାପଟଣା ଜେଲ୍‌ରେ ଥିବା ବେଳେ ଗତ ୧୧ ତାରିଖରେ କମିସନ‌ରେଟ୍‌ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ଆଣିଛି।

ସମ୍ବନ୍ଧିତ ଖବର