ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ, ମେସିନ୍‌ ତାଡ଼ିଦେଲେ, ଟଙ୍କା ନେଇପାରିଲେନି

କାହିଁକି ଗଲାନି ଡାଉନ୍‌ କଲ୍‌?

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ପୁଣି ଏକ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ ହୋଇଛି। ବଡ଼ଗଡ଼ ଥାନା ବିଜେବିନଗରସ୍ଥିତ ଏହି ଏଟିଏମ୍‌ରୁ ଲୁଟେରାମାନେ ମେସିନ୍‌ ତାଡ଼ି ଦେଇଥିଲେ ବି କିଛି ଟଙ୍କା ନେଇ ପାରିନଥିବା ଜଣାପଡ଼ିଛି। ତେବେ ଏଟିଏମ୍‌ ମେସିନ୍‌ ଭଙ୍ଗାରୁଜା ବେଳେ ସତର୍କ ଘଣ୍ଟି ବାଜିବା ଓ ଡାଉନ୍‌ କଲ୍‌ ଯିବା ଭଳି କୌଣସି ଘଟଣା ଘଟି ନଥିବାରୁ ଏହି ଲୁଟ୍‌ ଉଦ୍ୟମକୁ ନେଇ ବିଭିନ୍ନ ଦିଗ ଉପ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖବର ଅନୁସାରେ ଗୁରୁବାର ରାତି ପାଖାପାଖି ୨ଟା ବେଳେ ଏହି ଲୁଟ୍‌ ଉଦ୍ୟମ ହୋଇଥିଲା। ୫ରୁ ୭ଜଣ ଲୁଟେରା ପ୍ରଥମେ ଏଟିଏମ୍‌ କାଉଣ୍ଟରର ସିସିଟିଭି ଭାଙ୍ଗିଦେଲେ। ଭିତରେ ପଶି ଏଟିଏମ୍‌ ମେସିନ୍‌କୁ ବି ତାଡ଼ିଦେଲେ। ହେଲେ କୌଣସି କାରଣରୁ ଟଙ୍କା ନ ନେଇ ପଳାଇଥିଲେ। ଆଜି ସକାଳୁ କୌଣସି ଗ୍ରାହକ ଏଟିଏମ୍‌କୁ ଆସିବା ପରେ ଘଟଣା ଜଣାପଡ଼ିଥିଲା। ଖବର ପାଇ ବଡ଼ଗଡ଼ ଥାନା ଓ ବ୍ୟାଙ୍କ କର୍ତ୍ତୃପକ୍ଷ ସେଠାରେ ପହଞ୍ଚିଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ଛାନ୍‌ଭିନ୍ କରିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଚୋରି ବାବଦରେ ତଦନ୍ତ କରିଥିଲେ। ମାତ୍ର ଏଟିଏମ୍‌ରୁ କିଛି ଟଙ୍କା ଚୋରି ହୋଇନଥିବା ଜଣାପଡ଼ିଥିଲା। ତେବେ ତଦନ୍ତରୁ ଯେଉଁ ସାଂଘାତିକ କଥାଟି ଜଣାପଡ଼ିଛି, ତାହା ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ଲୁଟେରାମାନେ ସିସିଟିଭି ଓ ଏଟିଏମ୍‌ ଭାଙ୍ଗିଲେ ମଧ୍ୟ ଏଟିଏମ୍‌ର ଆଲାରାମ୍‌ ବାଜି ନଥିଲା। ସେହିଭଳି ପୁନେସ୍ଥିତ ସର୍ଭର କାର୍ଯ୍ୟାଳୟକୁ ଡାଉନ୍‌ କଲ୍‌ ବି ଯାଇନଥିଲା। ଏହାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଲୁଟେରାଙ୍କ ଜ୍ଞାନକୌଶଳ ଆଗରେ ବ୍ୟାଙ୍କର ଟେକ୍ନୋଲୋଜି ଫେଲ୍‌ ମାରିଛି ନା କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କିଛି ନହେଲେ ପୁନେକୁ ଡାଉନ୍‌ କଲ୍ ଯିବା ନିଶ୍ଚତ ଥିବା ବେଳେ କାହିଁକି ହେଲା ନାହିଁ ବୋଲି ପୁଲିସ ଖୋଳତାଡ଼ ଚଳାଇଛି। ଏଭଳି ହେଲେ ଆଗକୁ ଏଟିଏମ୍‌ ଲୁଟ୍‌କୁ ନେଇ ପୁଲିସ ଅଡ଼ୁଆରେ ପଡ଼ିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଦୁଇ ମାସ ତଳେ ଧଉଳି ଇନ୍ଦିରା କଲୋନି ଏଟିଏମ୍‌ ତାଡ଼ି ୨୫ଲକ୍ଷ ଟଙ୍କା ଲୁଟିଥିବା ମାମଲାରେ ପୁଲିସ ବେଙ୍ଗାଲୁରୁ ଦୁଇ ବାଂଲାଦେଶୀଙ୍କୁ ଗିରଫ କରିଥିଲା। କିନ୍ତୁ ସେମାନଙ୍କଠାରୁ ପାହୁଲାଟିଏ ମିଳି ନଥିଲା।

ସମ୍ବନ୍ଧିତ ଖବର