ଭୁବନେଶ୍ୱର : ରାଜଧାନୀରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତି ବିପଦ ଘନେଇଲାଣି। କାରଣ ଏବେ ବ୍ୟାଙ୍କ ଲୁଟେରାଙ୍କ ପ୍ରଥମ ଟାର୍ଗେଟ୍ରେ ରାଜଧାନୀ। ଏଠାରେ ଅଧିକାଂଶ ବ୍ୟାଙ୍କ କିମ୍ବା ଏଟିଏମ୍ରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନ ଥିବାରୁ ଏବଂ ଟିକିଏ ମୁଣ୍ଡ ଖର୍ଚ୍ଚ କଲେ ମୋଟା ଅଙ୍କର ଟଙ୍କା ମିଳି ଯିବାର ସମ୍ଭାବନା ଥିବାରୁ ଲୁଟେରାମାନେ ଏବେ ରାଜଧାନୀରେ ଡେରା ପକାଇଲେଣି। ବିଶେଷକରି ଲକ୍ଡାଉନ୍ ପରଠାରୁ ସେମାନଙ୍କ ଅପରେସନ୍ ବଢ଼ି ଯାଇଛି। ଲକ୍ଡାଉନ୍ ପରଠାରୁ ରାଜଧାନୀର ୨ଟି ବ୍ୟାଙ୍କ ଓ ଗୋଟିଏ ଏଟିଏମ୍ରୁ ୪୦ଲକ୍ଷରୁ ଊର୍ଧ୍ବ ଟଙ୍କା ଲୁଟ୍ ହୋଇସାରିଲାଣି। ଏହି ସମୟ ମଧ୍ୟରେ ଲୁଟେରାମାନେ ଅନ୍ୟ ୨ଟି ଏଟିଏମ୍ରୁ ଲୁଟ୍ ଉଦ୍ୟମ କରିଥିଲେ ହେଁ ସେଥିରେ ସଫଳ ହୋଇପାରିନାହାନ୍ତି। ଏଥିରୁ ରାଜଧାନୀର ବ୍ୟାଙ୍କ ଓ ଏଟିଏମ୍ଗୁଡ଼ିକ ପ୍ରତି ବିପଦ କେତେ, ତାହା ଜଳଜଳ ହୋଇ ଦିଶୁଛି।
ଦୁର୍ବୃତ୍ତମାନେ ପ୍ରଥମେ କିଛି ଦିନ ବ୍ୟାଙ୍କ ଭିତରେ ପଶି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କର୍ମଚାରୀଙ୍କ ହାବଭାବ, ଚାଲିଚଳଣ ପରଖୁଛନ୍ତି। ପରେ ଲୁଟ୍ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। କୋଭିଡ୍ କଟକଣା ପାଇଁ ବ୍ୟାଙ୍କ ଭିତରେ ସମସ୍ତେ ମୁହଁରେ ମାସ୍କ ପିନ୍ଧୁଥିବାରୁ ସିସିଟିଭି ଫୁଟେଜ୍ରୁ ସେମାନଙ୍କୁ ଠାବ କରିବା ବି ପୁଲିସ୍ ପକ୍ଷେ ସହଜ ହେଉନାହିଁ। ଗତ ସେପ୍ଟେମ୍ବର ମାସରେ ଏକୁଟିଆ ଦୁଇ ଦୁଇଟି ବ୍ୟାଙ୍କ ଲୁଟ୍ କରିଥିବା ଟାଙ୍ଗିବନ୍ତର ସୌମ୍ୟରଂଜନ ଜେନା ଓରଫ ଟୁଲୁର ବୟାନରୁ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି। ସେହିପରି ରାଜଧାନୀରେ ଥିବା ଅଧିକାଂଶ ଏଟିଏମ୍ ବି ଅସୁରକ୍ଷିତ ଅବସ୍ଥାରେ ରହିଛି। ନା ସେଠାରେ ଜଗୁଆଳି ଅଛନ୍ତି ନା ସିସିଟିଭି କାମ କରୁଛି। ତେଣୁ ବିଧିବଦ୍ଧ ଯୋଜନା କରି ଏଟିଏମ୍ ଲୁଟ୍ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳି ଯାଉଛି। ଗତକାଲି ଇନ୍ଫୋସିଟି ଥାନା ଅଧୀନ ପଟିଆ ଷ୍ଟେସନ୍ ରୋଡ୍ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଏଟିଏମ୍ ଲୁଟ୍ କରିବା ପୂର୍ବରୁ ମଧ୍ୟ ଦୁର୍ବୃତ୍ତମାନେ ଅନେକ ଦିନ ଧରି ଯୋଜନା କରିଥିବା ସନ୍ଦେହ କରାଯାଉଛି। ଲୁଟ୍ କରିବାର ୨୪ ଘଣ୍ଟା ପୂର୍ବରୁ ହଠାତ୍ ଏଟିଏମ୍ରେ ଲାଗିଥିବା ସିସିଟିଭି ଅଚଳ ହୋଇଯିବା, ଏହା ସୂଚାଉଛି। ପ୍ରଥମେ ସେମାନେ ସିସିଟିଭି ଅଚଳ କରିବାରେ ସକ୍ଷମ ହୋଇଯିବା ପରେ ଗତରାତିରେ ଗ୍ୟାସ୍ କଟର୍ ସାହାଯ୍ୟରେ ଏଟିଏମ୍ ତାଡ଼ି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ବୋଲି କୁହାଯାଉଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଲକ୍ଡାଉନ୍ ସମୟରେ ଆଉ ୨ଟି ଏଟିଏମ୍ରୁ ଲୁଟ୍ କରିବା ପାଇଁ ମଧ୍ୟ ଯୋଜନା ହୋଇଥିଲା। ଶିଖରଚଣ୍ଡି ଓ କାନନବିହାର ଅଞ୍ଚଳରେ ଥିବା ଦୁଇଟି ଏଟିଏମ୍ରୁ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନଥିଲେ।