ରାଜଧାନୀରେ ହାଇଟେକ୍ ଏଟିଏମ୍ ଲୁଟେରା, ବିନା ଭଙ୍ଗାରୁଜାରେ ଲୁଟିନେଲେ ୧୬ ଲକ୍ଷ ୬୫ ହଜାର

ପାସ୍‌ଵାର୍ଡ କିମ୍ବା ସର୍ଭର ହ୍ୟାକ୍ କରି ଲୁଟିଥିବା ଅନୁମାନ
ସନ୍ଦେହ‌ ଘେରରେ କ୍ୟାସ୍ ମ୍ୟାନେଜମେଣ୍ଟ ସଂସ୍ଥା କର୍ମଚାରୀ

ଭୁବନେଶ୍ବର : ରାଜଧାନୀରେ ପୁଣି ମାତିଛନ୍ତି ହାଇଟେକ୍ ଏଟିଏମ୍ ଲୁଟେରା। ଏଟିଏମ୍ ଭାଙ୍ଗିଛନ୍ତି ନା ତାଡ଼ିଛନ୍ତି, କିନ୍ତୁ ଲୁଟି ନେଇଛନ୍ତି ୧୬ଲକ୍ଷ ୬୫ ହଜାର ଟଙ୍କା। ବାପୁଜୀନଗରରେ ଥିବା ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଦୁର୍ବୃତ୍ତମାନେ ଏତେ ଟଙ୍କା ଲୁଟି ନେଇଥିଲେ ହେଁ ଏ ସମ୍ପର୍କରେ କାହାକୁ କୌଣସି ଟେର୍ ମିଳି ନ ନାହିଁ। ପରେ ଏହା ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ପୁଲିସ ଏଯାଏ ଦୁର୍ବୃତ୍ତଙ୍କ ପତ୍ତା ଲଗାଇ ପାରିନାହିଁ।

ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ସମ୍ପୃକ୍ତ ଏଟିଏମ୍ କାଉଣ୍ଟରରୁ ଏହି ଟଙ୍କା ଲୁଟ୍ ହୋଇଛି। ମାତ୍ର ତିନିଦିନ ବ୍ୟବଧାନରେ ଏକାଧିକ ଥର ଟଙ୍କା ଉଠାଯାଇଛି। ଟଙ୍କାର ହିସାବରୁ ଏହା କମ୍ ଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପଛରେ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଭର୍ତ୍ତି ଓ ରକ୍ଷଣାବେକ୍ଷଣ କରୁଥିବା କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାର କୌଣସି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଟଙ୍କା ଭର୍ତ୍ତି କରିବା ଓ ମେସିନ୍ ଖୋଲିବା ସମୟରେ ଏକ ପାସଵାର୍ଡ ବ୍ୟବହାର କରାଯାଇଥାଏ। ଲକ୍ ଖୋଲିବା ପରେ ସେହି ପାସଓ୍ଵାର୍ଡ ଦିଆଗଲେ ମେସିନ୍ ଖୋଲିବ। ତେଣୁ ଏହା ବିଷୟରେ ଜାଣିଥିବା କେହି ଲୁଟେରା ଏପରି କରିଥିବା ସନ୍ଦେହ କରାଯାଉଛି। ନଚେତ୍ ସାଇବର ଅପରାଧୀ ମେସିନ୍ ସର୍ଭରକୁ ହ୍ୟାକ୍ କରି ଟଙ୍କା ଲୁଟ୍ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ଏହି ଦୁଇ ପ୍ରକାର ଲୁଟ୍ ଘଟଣା ପୂର୍ବରୁ ରାଜଧାନୀରେ ଘଟିସାରିଛି ଓ ଅପରାଧୀମାନେ ମଧ୍ୟ ଧରାପଡ଼ିଛନ୍ତି।

ପାସ୍‌ଓ୍ୱାର୍ଡ ପାଇଁ ସିକ୍ରେଟ କ୍ୟାମେରା
ଏଟିଏମ୍ ସହ ଜଡ଼ିତ କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାର କର୍ମଚାରୀ ଏ ବିଷୟରେ ଭଲ ଭାବେ ଅବଗତ ଥାଆନ୍ତି। ଚାକିରି ଛାଡ଼ିବା ପରେ କେତେକ ଅପରାଧ ମାନସିକତା ଥିବା କର୍ମଚାରୀ ଏଭଳି ଘଟଣାରେ ଲିପ୍ତ ରହନ୍ତି। ଏଟିଏମ୍ ମେସିନରେ ଟଙ୍କା ଭର୍ତ୍ତି କରାଯିବା ଓ ଏହାକୁ ଖୋଲାଯାଇ ରକ୍ଷଣାବେକ୍ଷଣ କରାଯିବା ସମ୍ପର୍କରେ ଜାଣିଥାନ୍ତି। ମେସିନକୁ ଫୋକସ୍ କରୁଥିବା ଦିଗରୁ ଏଟିଏମ୍ କାଉଣ୍ଟର ଛାତରେ ଏକ ଗୁପ୍ତ(ସିକ୍ରେଟ) କ୍ୟାମେରା ଲଗାଇ ଦିଅନ୍ତି। ଟଙ୍କା ଭର୍ତ୍ତି ସମୟରେ ନୂତନ ଭାବେ ଦିଆଯାଉଥିବା ପାସଵାର୍ଡ ସେହି କ୍ୟାମେରାରେ ରେକର୍ଡ ହୋଇଯାଏ। ଲୁଟେରା ପରେ ଆସି ସେହି କ୍ୟାମେରା ଖୋଲି ପାସଵାର୍ଡକୁ ପଢ଼ି ନିଅନ୍ତି। ପରେ ତାହାକୁ ବ୍ୟବହାର କରି ଏଟିଏମ୍ କାଉଣ୍ଟରରୁ ଟଙ୍କା ଲୁଟ୍ କରନ୍ତି। ଆଉ କେତେକ ଘଟଣାରେ କର୍ମଚାରୀ ଯେତିକି ଟଙ୍କା ପୂରାଇବା କଥା ତା’ ଠାରୁ କମ୍ ଭର୍ତ୍ତି କରି ବାକି ଟଙ୍କା ନିଜେ ନେଇଯାନ୍ତି। ଏହାକୁ ମାର୍କେଟରେ ସୁଧ ଆକାରରେ ଲଗାନ୍ତି। ସନ୍ଧ୍ୟାରେ ଲାଭ ସହ ଟଙ୍କା ଫେରି ଆସିବା ପରେ ମୂଳ ଟଙ୍କାକୁ ପୁଣି ଏଟିଏମ୍‌ କାଉଣ୍ଟରରେ ଭର୍ତ୍ତି କରି ଦିଅନ୍ତି। ଲାଭ ଟଙ୍କାକୁ ନିଜେ ରଖି ଦିଅନ୍ତି। ପୂର୍ବରୁ ଏମିତି କେତେକ ଘଟଣାର ନଜିର୍ ରହିଛି। ତେଣୁ ଏହି ଘଟଣାରେ ପୁଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର