ଏଟିଏମ୍‌ରୁ ଲୁଟ୍ ଯୋଜନା ଫେଲ୍ : ୫ ଗିରଫ‌, ଲୁହାରଡ୍ ଜବତ

ଗୋଟିଏ ସିସି କ୍ୟାମେରା ଭାଙ୍ଗି ଦେଇଥିଲେ, ଅନ୍ୟଟିରେ କାଦୁଅ ବୋଳି ଥିଲେ

ଭୁବନେଶ୍ୱର : ଲକ୍ଷପତି ହେବାର ନିଶା ଘାରିଥିଲା। ଏଟିଏମ୍ ମେସିନ୍ ତାଡ଼ି ଟଙ୍କା ଲୁଟିବାର ଯୋଜନା ପ୍ରସ୍ତୁତ କରିଥିଲେ। ଧରା ନ ପଡ଼ିବା ପାଇଁ ମାସ୍କ ପିନ୍ଧି ଯାଇଥିଲେ। ଏଟିଏମ୍ ସିସି କ୍ୟାମେରାକୁ ରଡରେ ବାଡ଼େଇ ଭାଙ୍ଗି ଦେଇଥିଲେ ଓ ଅନ୍ୟଟିରେ କାଦୁଅ ବୋଳି ଦେଇଥିଲେ। ଟଙ୍କା ବାହାରୁଥିବା(କ୍ୟାସ ଡିସପେନସର୍) ପ୍ଲେଟକୁ ଖୋଲି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଟଙ୍କା ଉଠାଇବାକୁ ଆସିଥିବା ଜଣେ ଯୁବକଙ୍କର ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଜଣଙ୍କୁ ମାଡ଼ି ବସିବା ପରେ ପୂରା ଗ୍ୟାଙ୍ଗ ଧରା ପଡ଼ି ଯାଇଥିଲା। ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ରାଜଧାନୀରେ କଡ଼ା ସୁରକ୍ଷା ଥିବା ବେଳେ ଝାରପଡ଼ା ଅଞ୍ଚ​ଳରେ ଏଟିଏମ୍ ଲୁଟ୍ ଉଦ୍ୟମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସ୍କ୍ରୁ ଡ୍ରାଇଭର, ଲୁହାରଡ୍ ଓ ବ୍ୟବହୃତ କିଛି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଲଲନ କୁମାର ଦାସ, ଟିଲୁ ଓରଫ୍ କୃଷ୍ଣଚନ୍ଦ୍ର ବାରିକ, କାଳିଆ ଓରଫ୍ କାଳନ୍ଦି ବେହେରା, ଭାଲୁ ଓରଫ୍ ଲିଟୁ ବେହେରା, ଟିକିନା ଓରଫ୍ ଶଙ୍କର କୁମାର ବେହେରା।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଝାରପଡ଼ା ଅଞ୍ଚଳର ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍‌କୁ ଭୋର ପ୍ରାୟ ୫ଟା ବେଳେ ଟଙ୍କା ଉଠାଇବାକୁ ଯାଇଥିଲେ। ସେତେବେଳେ ସେହି ଏଟିଏମ୍ କାଉଣ୍ଟର ନିକଟରେ କିଛି ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ସଟର୍ ଅଧା ବନ୍ଦ ରହିଥିଲା। ଭିତରୁ ଖୋଳାତଡ଼ା ହେଉଥିବାର ଶବ୍ଦ ଶୁଣିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେ ସେଠାରୁ ଫେରି ଆସିଥିଲେ। ବାଟରେ ପିସିଆର ଭ୍ୟାନ୍ ଦେଖି ଖବର ଦେଇଥିଲେ। ପିସିଆର ଭ୍ୟାନ୍ କର୍ମଚାରୀ ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାକୁ ସୂଚନା ଦେବା ସହ ଏଟିଏମ୍ କାଉଣ୍ଟର ନିକଟରେ ପହଞ୍ଚିଥିଲା। ଲକ୍ଷ୍ମୀସାଗର ଥାନାର କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ପୁଲିସ ଗାଡ଼ି ଦେଖି କାଉଣ୍ଟର ବାହାରେ ବୁଲୁଥିବା ୪ ଲୁଟେରା ଫେରାର ହୋଇଯାଇଥିଲେ। ପୁଲିସ ଭିତରେ ଥିବା ଲୁଟେରାକୁ କାବୁ କରିଥିଲା। ସେ ହଳଦୀପଡ଼ିଆର ଲଲନ୍ ଦାସ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତାକୁ ଥାନାରେ ପଚରାଉଚରା ପରେ ପୁଲିସ ଅନ୍ୟ ୪ ଜଣଙ୍କ ସମ୍ପର୍କରେ ଖବର ପାଇଥିଲା। ସେମାନଙ୍କୁ ହଳଦୀପଡ଼ିଆରୁ ଉଠାଇ ଆଣିଥିଲା। ଏହାପରେ ଏକ ପୁଲିସ ଟିମ୍ ବ୍ୟାଙ୍କକୁ ଯାଇ ସିସି କ୍ୟାମେରା ହାର୍ଡ ଡିସ୍କ ଯାଞ୍ଚ କରିଥିଲା। ସେଥିରୁ ଜଣାପଡ଼ିଛି ଲୁଟେରାମାନେ ପ୍ରଥମେ ଏଟିଏମ୍ କାଉଣ୍ଟର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଲୁହାରଡ଼ରେ ଭାଙ୍ଗି ଦେଇଥିଲେ। ଏହା ପରେ ଭିତରକୁ ଯାଇ ଅନ୍ୟ କ୍ୟାମେରାରେ କାଦୁଅ ବୋଳି ଦେଇଥିଲେ। ଦୁଇ ଜଣ ଭିତରେ ରେଞ୍ଚି ସାହାଯ୍ୟରେ ମେସିନ୍ ଖୋଲିବାକୁ ଚେଷ୍ଟା କରିଥିଲେ। ଟଙ୍କା ବାହାରୁଥିବା ଜାଗାରୁ ଗୋଟିଏ ପ୍ଲେଟ୍ ଖୋଲିବା ପରେ ଜଣେ ବାହାରକୁ ଚାଲି ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଏ ନେଇ ବ୍ୟାଙ୍କ ମ୍ୟାନେଜର ଅଜିତ ରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଟଙ୍କା କେଉଁଠି ଅଛି ଜଣା ନ ଥିଲା
ଏଟିଏମ୍ ମେସିନରେ ଟଙ୍କା କେଉଁଠି ଅଛି ଲୁଟେରାମାନଙ୍କୁ ଜଣା ନ ଥିଲା। ମେସିନର ତଳ ଭାଗରେ ଥିବା କ୍ୟାସ ବାକ୍ସରେ ଟ୍ରେରେ ଟଙ୍କା ରୁହେ। ପେସାଦାର ଲୁଟେରାଙ୍କୁ ଏହା ଭଲ ଭାବରେ ଜଣା। କିନ୍ତୁ କମ୍ ପାଠ ପଢ଼ିଥିବା ଓ ଏଟିଏମ୍ ମେସିନ୍ ସମ୍ପର୍କରେ ବିଶେଷ ଜ୍ଞାନ ନ ଥିବା ଏହି ଲୁଟେରା ଯେଉଁଠୁ ଟଙ୍କା ବାହାରେ ପ୍ରଥମେ ତାହାକୁ ଖୋଲିଥିଲେ। ଗୋଟିଏ ପ୍ଲେଟ୍ ଖୋଲିବା ପରେ ସେଠାରୁ କିଛି ନ ବାହାରିବା ପରେ ସେମାନେ ଲୁହାରଡରେ ପିଟିବା ଆରମ୍ଭ କରିଥିଲେ। କିନ୍ତୁ ସେଠାରେ ଟଙ୍କା ନ ଥିବା ସେମାନଙ୍କୁ ଜଣା ନ ଥିଲା। ଶେଷରେ ବିଫଳ ହୋଇ ପୁଲିସ ହାତରେ ଧରା ପଡ଼ିଥିଲେ।

ପଟିଆ ଏଟିଏମ୍ ଲୁଟ୍‌ ପରେ କରିଥିଲେ ଯୋଜନା
ଅକ୍ଟୋବର ୧୧ ତାରିଖରେ ପଟିଆସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ କାଉଣ୍ଟରରୁ ଦୁର୍ବୃତ୍ତ ଗ୍ୟାସ କଟରରେ କାଟି ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସମ୍ପୃକ୍ତ ଦୁଇ ଲୁଟେରା ଶିକ୍ଷିତ ଓ ପେସାଦାର ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ ଲକ୍ଷ୍ମୀସାଗର ପୁଲିସ ହାତରେ ଧରାପଡ଼ିଥିବା ୫ ଲୁଟେରା ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ। ଏଟିଏମ୍ କାଉଣ୍ଟରରେ ଏତେ ପରିମାଣର ଟଙ୍କା ରହୁଥିବା ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କିଛିଦିନ ଧରି ଲକ୍ଷ୍ମୀସାଗର ଥାନା ଅଞ୍ଚ​ଳର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍ କାଉଣ୍ଟର ବୁଲି ଦେଖିଥିଲେ। ଝାରପଡ଼ା ଅଞ୍ଚଳର ଏଟିଏମ୍ କାଉଣ୍ଟରକୁ ଟାର୍ଗେଟ କରିଥିଲେ। କିନ୍ତୁ ବିଫଳ ହୋଇଥିଲେ।

ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ
ପଟିଆ ନିକଟରେ ଲୁଟ୍ ହୋଇଥିବା ଏଟିଏମ୍ କାଉଣ୍ଟର ମୁଖ୍ୟ ରାସ୍ତା କଡ଼ରେ ରହିଥିଲା। ଏଟିଏମ୍ ଲୁଟ୍ କରିବାକୁ ୪୫ ମିନିଟ ଲାଗିଥିଲା। କିନ୍ତୁ ପୁଲିସର ପାଟ୍ରୋଲିଂ ନ ଥିବାରୁ ଜଣା ପଡ଼ି ନ ଥିଲା। ଝାରପଡ଼ାରେ ହୋଇଥିବା ଏଟିଏମ୍ କାଉଣ୍ଟର ଲୁଟ୍‌ ସମ୍ପର୍କରେ ମଧ୍ୟ ପୁଲିସ ଜାଣିପାରି ନ ଥିଲା। କିମ୍ବା ପାଟ୍ରୋଲିଂ ସମୟରେ ଠାବ ହୋଇ ପାରି ନ ଥିଲା। ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରା ଅପରେସନ୍ ବ୍ୟାଙ୍କରେ ରହିଛି। କିନ୍ତୁ ବ୍ୟାଙ୍କ ପାଖରେ ଏ ନେଇ କୌଣସି ସୂଚନା ନ ଥିଲା। ଯାହାଫଳରେ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ସୃଷ୍ଟି ହୋଇଛି। ଜଣେ ଯୁବକଙ୍କର ଉପସ୍ଥିତି ବୁଦ୍ଧି ଯୋଗୁଁ ଏଭଳି ଏକ ଲୁଟ୍‌କୁ ରୋକାଯାଇ ପାରିଲା ବୋଲି ଜଣେ ଏଟିଏମ୍ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର