ବିଶାଖାପାଟଣା ପୁଲିସ୍‌ ହାତରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ଭୁବନେଶ୍ୱର ପିଏନ୍‌ବି ଏଟିଏମ୍‌ରୁ ଲୁଟିଥିଲେ ୨୮ ଲକ୍ଷ

ଭୁବନେଶ୍ୱର : ଗ୍ୟାସ୍ କଟର୍‌ରେ ଏଟିଏମ୍ ମେସିନ୍‌ର ଟଙ୍କା ଚାମ୍ବର କାଟି କଳାକନା ବୁଲାଇ ଦେଉଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ବିଶାଖାପାଟଣା ପୁଲିସ। ଦେଶର ବିଭିନ୍ନ ସହରରେ ଏମିତି ଏଟିଏମ୍‌କୁ ସଫା କରିଦେଉଥିବା ଏହି ଦୁଇ କୁଖ୍ୟାତ୍‌ ଲୁଟେରା ହେଲେ, ପଞ୍ଜାବର ସମର୍‌ଜ୍ୟୋତ ସିଂ ଓ କେରଳର ଜାଫର ସାଦ୍ଦିକ୍। ଗତ ଅକ୍ଟୋବର ୨୬ତାରିଖରେ ବିଶାଖ‌ାପାଟଣା ପୁଲିସ୍‌ ଗିରଫ କରିଥିବା ଏହି ଲୁଟେରା ଯୋଡ଼ି ଭୁବନେଶ୍ବର ପଟିଆସ୍ଥିତ ପଞ୍ଜାବ ନେସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଏଟିଏମ୍‌ରୁ ଅକ୍ଟୋବର ୧୦ ତାରିଖରେ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍ ବିଶାଖାପାଟଣା ଯାଇ ସେଠାକାର ପୁଲିସ ସହ ଆଲୋଚନା କରି ଫେରିଛି ଓ ଅଧିକ ତଦନ୍ତ ଲାଗି ଖୁବ୍‌ ଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିସନର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ପିଏନ୍‌ବି ଏଟିଏମ୍ କାଉଣ୍ଟର୍‌ରୁ ଲୁଟ୍ ହୋଇଥିବା ୨୮ଲକ୍ଷ ଟଙ୍କା ସମ୍ପର୍କରେ ପୁଲିସକୁ କୌଣସି ସୁରାକ୍ ମିଳି ପାରିନାହିଁ। ଉଭୟଙ୍କଠାରୁ ବିଶାଖାପାଟଣା ପୁଲିସ ୬ ଲକ୍ଷ ଟଙ୍କା, ବିପୁଳ ଏଟିଏମ୍ କାର୍ଡ, ମୋବାଇଲ ଫୋନ୍ ଜବତ କରିଛି। ସେଠାରୁ ଲୁଟ୍‌ କରିଥିବା ୯ ଲକ୍ଷ ଟଙ୍କାରୁ ସେମାନେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ।

ପୁଲିସ ସୂଚନା ଅନୁସାରେ, ବେଙ୍ଗାଲୁରୁରେ ରହୁଥିବା ସମରଜ୍ୟୋତ ଓ ଜାଫର୍‌ ଅକ୍ଟୋବର ୪ ତାରିଖରେ ବିମାନ ଯୋଗେ କୋଲକାତା ଯାଇ ସେଠାରୁ ୫ ତାରିଖରେ ଏକ ଭଡ଼ା ଟାକ୍ସିରେ ଭୁବନେଶ୍ବର ଆସିଥିଲେ। ପଟିଆ ନିକଟରେ ଥିବା ପବିତ୍ର ରୟାଲ୍‌ ରିଜେନ୍ସି ହୋଟେଲରେ ରହିଥିଲେ। ପଟିଆରେ ଭଡ଼ାରେ ମିଳୁଥିବା ଗୋଟିଏ ଦୁଇ ଚକିଆ ଗାଡ଼ି ଆଣିଥିଲେ। ପାଖ ଏକ ଦୋକାନରୁ ଗ୍ୟାସ୍ ସିଲିଣ୍ଡର ଓ କଟର୍ ଭଡ଼ାରେ ଆଣିଥିଲେ। ଫେରାଇବା ସମୟରେ ଆହୁରି କିଛି ଟଙ୍କା ଦେବେ ବୋଲି କହିଥିଲେ। ସିଲିଣ୍ଡର ଧରି ହୋଟେଲକୁ ଫେରିବା ପରେ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା ଓ ଏସବୁ କାହିଁକି ଆଣିଛନ୍ତି ବୋଲି ସେମାନଙ୍କୁ ପଚାରିଥିଲେ। ତେଣୁ ୭ ତାରିଖରେ ଲୁଟେରାଦ୍ବୟ ସେହି ହୋଟେଲକୁ ଛାଡ଼ି ଦେଇ ନିକଟରେ ଥିବା ଅର୍ବାନ୍ ଲିଜେଣ୍ଡରେ ରହିଥିଲେ। ୮ ଓ ୯ ତାରିଖ ଦୁଇ ଦିନ ଧରି ପିଏନ୍‌ବି ଏଟିଏମ୍‌କୁ ଯାଇ ରେକି କରିଥିଲେ। ଏକାଧିକଥର ରେକି କରିବା ପରେ ୯ ତାରିଖ ସନ୍ଧ୍ୟାରେ ଏଟିଏମ୍‌ରେ ଲାଗିଥିବା ସିସି କ୍ୟାମେରାକୁ ଅଚଳ କରି ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ସେମାନଙ୍କ ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇସାରିଥିଲା। ୧୦ ତାରିଖ ବିଳମ୍ବିତ ରାତିରେ ସେମାନେ ଲୁଟ୍‌ ଅପରେସନ୍‌ କରିଥିଲେ। ଏଟିଏମ୍ ମେସିନ୍‌ର ଟଙ୍କା ଚାମ୍ବରକୁ ଗ୍ୟାସ୍‌ କଟର୍‌‌ରେ କାଟି ମହଜୁଦ୍‌ ଥିବା ପ୍ରାୟ ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ୍ କରିସାରିବା ପରେ ଗ୍ୟାସ୍‌ କଟରକୁ ଘଟଣାସ୍ଥଳରେ ଫିଙ୍ଗି ଦେଇଥିଲେ ଓ ଭଡ଼ାରେ ଆଣିଥିବା ଗାଡ଼ି ଫେରାଇ ଦେଇଥିଲେ। ୧୧ ତାରିଖ ଭୋର ୪ଟା ୧୫ରେ ସେମାନେ ହୋଟେଲରୁ ବାହାରି ଭଡ଼ା କାର୍‌ରେ ଭୁବନେଶ୍ବର ବିମାନବନ୍ଦର ଯାଇ ୭ଟା ୪୦ରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ପଳାଇଥିଲେ। ପୁଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ପ୍ରାୟ ୩୦ ହଜାର ଫୁଟେଜ୍ ଯାଞ୍ଚ କରିବା ପରେ ଦୁଇ ଲୁଟେରା ଗାଡ଼ିରେ ଯାଉଥିବା ଦେଖିବାକୁ ପାଇଥିଲା। କମିସନରେଟ୍‌ ପୁଲିସ ହାତରେ ଏତିକି ସୁରାକ୍‌ ଲାଗିବା ପରେ ସ୍ପେସାଲ୍‌ ସ୍କ୍ବାଡ୍‌ ବେଙ୍ଗାଲୁରୁ ଯାଇଥିଲା। କିନ୍ତୁ ତା’ ପୂର୍ବରୁ ବିଶାଖାପାଟଣାରେ ସମାନ ଢଙ୍ଗରେ ହୋଇଥିବା ଏକ ଏଟିଏମ୍ ଲୁଟ୍‌ର ତଦନ୍ତ କରି ସେଠିକାର ପୁଲିସ ଦୁଇ ଲୁଟେରାଙ୍କୁ ଉଠାଇ ସାରିଥିଲା। ଭୁବନେଶ୍ବର ପୁଲିସ ଟିମ୍‌ ସେଠାରେ ଫୁଟେଜ୍, ଅନ୍ୟ ପ୍ରମାଣ ସବୁ ଯାଞ୍ଚ କରିବା ପରେ ବିଶାଖାପାଟଣା ପୁଲିସ ହାତରେ ଧରାପଡ଼ିଥିବା ସମର‌ାଜ୍ୟୋତ୍‌ ଓ ଜାଫର ଭୁବନେଶ୍ବର ଏଟିଏମ୍ ଲୁଟ୍‌ରେ ସମ୍ପୃକ୍ତ ଥିଲେ ବୋଲି ପ୍ରମାଣ ପାଇଥିଲା।

ଏଭଳି ମାମଲାର ତଦନ୍ତ ପ୍ରକ୍ରିୟା ମୋ ଚାକିରି ଜୀବନ କାଳରେ ବିରଳ ଘଟଣା ବୋଲି କହିଛନ୍ତି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ। ଏହି ହାଇପ୍ରୋଫାଇଲ୍‌ ଏଟିଏମ୍‌ ଲୁଟେରାଙ୍କୁ ଠାବ କରିବା କ୍ଷେତ୍ରରେ ଭୁବନେଶ୍ବର ପୁଲିସକୁ ମେଡାଲ୍ ମିଳିବା କଥା। ଏଥିପାଇଁ ଏହି ଟିମ୍‌ରେ ଥିବା ଅଧିକାରୀଙ୍କ ନାଁ କେନ୍ଦ୍ର ଗୃହ ବିଭାଗକୁ ସୁପାରିସ୍‌ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ହାଇପ୍ରୋଫାଇଲ ଲୁଟେରାଯୋଡ଼ି ସମଗ୍ର ଦେଶର ବହୁ ସହରରେ ଏଭଳି କାଣ୍ଡ ଭିଆଇଛନ୍ତି ଓ ବିଭିନ୍ନ ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ଜଣାପଡ଼ିଛି। ବୁଲି ବୁଲି ଲୁଟ୍‌ କରିବା ପରେ ଏମାନେ ବେଙ୍ଗାଲୁରୁ ପଳାଇ ଆସି ଲୁଚୁଥିଲେ। ଏମାନେ ଏଟିଏମ୍‌ ଲୁଟିବା ପାଇଁ ସହରରୁ ସହରକୁ ବିମାନରେ ବୁଲୁଥିଲେ।

ସମ୍ବନ୍ଧିତ ଖବର