ଏଟିଏମ୍‌ରୁ ଟଙ୍କା ଆତ୍ମସାତ ମାମଲା : ସୁରକ୍ଷାବଳୟରେ ଅଭିଯୁକ୍ତର ଚିକିତ୍ସା

ଖଣ୍ଡଗିରି : ଏଟିଏମ୍‌ରୁ ପ୍ରାୟ ୨ କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୁକ୍ତ ମୀନକେତନ ପରିଜା ଏବେ ବି ଚିକିତ୍ସାଧୀନ ରହିଛି। ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସରୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସର ସୁରକ୍ଷା ବଳୟରେ ତାଙ୍କର ଚିକିତ୍ସା ଚାଲିଛି। କାରଣ ସୁସ୍ଥ ହେବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯିବା ସହ କୋର୍ଟ ଚାଲାଣ କରାଯିବ। ଏହି ମାମଲାରେ ବହୁତ କିଛି ଗୁଢ଼ ରହସ୍ୟ ଥିବାରୁ ପୁଲିସ ତଦନ୍ତ ବାବଦରେ ମୁହଁ ଖୋଲୁନାହିଁ। ଏଥିରେ ମାତ୍ର ୨ କୋଟି ନୁହେଁ, ବରଂ ଆହୁରି ଅଧିକ ଟଙ୍କା ହଡ଼ପ କରାଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଏହି ମାମଲାରେ ଅଭିଯୁକ୍ତ ମୀନକେତନ କେବଳ ଏକ ମୀନ ମାଛ, ଆଉ କିଛି ବଡ଼ ମାଛ ବା ମାଷ୍ଟର ମାଇଣ୍ଡ ଏହି ରୢାକେଟ୍‌ ପରିଚାଳନାରେ ଥିବା ପୁଲିସ ସନ୍ଦେହ କରୁଛି। ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଅନୁସାରେ ଜଟଣୀ ଥାନା ପୁଲିସ ଅଭିଯୁକ୍ତ ମୀନକେତନର ଘରେ ଚଢ଼ଉ କରି ୨ଟି ଦାମୀ କାର୍, ଗୋଟିଏ ଦାମୀ ବାଇକ୍‌(କେଟିଆର୍ ୨୦୦ ସିସି) ଓ ଗୋଟିଏ ଡିଜେ ଫିଟିଙ୍ଗ୍‌ସ ମିନି ଟ୍ରକ୍‌ ଜବତ କରିଛି। ଏହା ପରେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ଆଉ ଅଧିକ ସୂଚନା ଦେବାକୁ କୁଣ୍ଠାବୋଧ କରୁଛି। ଅଭିଯୁକ୍ତ ମୀନକେତନର ଚିକିତ୍ସା ସରିବା ପରେ ପୁଲିସ ଅଧିକ ଛାନ୍‌ଭିନ୍ କରିବ ଓ ରୢାକେଟ୍‌ର ପର୍ଦାଫାସ୍‌ କରିବାକୁ ଯୋଜନା ଚଳାଇଥିବା ସୂଚନା ମିଳିଛି। ତେବେ ସମଗ୍ର ଘଟଣାବଳୀ ଏକ ନାଟକୀୟ ଢ଼ଙ୍ଗରେ ଚାଲିଥିବାରୁ ପୁଲିସ ମାମଲାର ମୂଳରେ ପହଞ୍ଚିବାକୁ ବିଳମ୍ବ ହେବ ବୋଲି କହୁଛି। ପ୍ରାୟ ୩ ବର୍ଷ ହେଲା ମୀନକେତନ ଜଟଣୀ ଓ ଖୋର୍ଧା ସହରସ୍ଥିତ ଏଟିଏମ୍ ମାନଙ୍କରେ ଟଙ୍କା ଭର୍ତ୍ତି ଦାୟିତ୍ବ ନିର୍ବାହ କରୁଥିଲେ। ଏସ୍‌ବିଆଇ, ଆକ୍ସିସ୍ ଓ ଆଇସିଆଇସିଆଇ ଭଳି ବ୍ୟାଙ୍କର ଏଟିଏମ୍‌ରେ ମୀନକେତନ କାମ କରୁଥିବା ସିକ୍ୟୁଅର୍ ଭାଲ୍ୟୁ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଟଙ୍କା ଭରୁଥିଲା। ଅଭିଯୋଗ ଅନୁସାରେ ପ୍ରତି ଏଟିଏମ୍‌ ପାଇଁ ଯେତିକି ଟଙ୍କା ଆସୁଥିଲା, ମୀନକେତନ ସେଥିରୁ କିଛି ମୋଟା ଅଙ୍କ ନିଜ ପାଖରେ ରଖି ଦେଉଥିଲା। ଏମିତି ୩ ବର୍ଷ ହେଲା ଚାଲିଥିଲା। ଏତେ ଲମ୍ବା ସମୟ ଧରି ଏମିତି କାଣ୍ଡ ଚାଲିଥିଲେ ବି ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କିଭଳି ଜାଣିପାରୁନଥିଲେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର