ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ଆତ୍ମା’ କର୍ମଚାରୀଙ୍କ ଗଣଧାରଣା

ଭୁବନେଶ୍ୱର : ୫ ଦଫା ଦାବି ନେଇ ଆଜି ଓଡ଼ିଶା ଆତ୍ମା କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି। ସଂଘର କର୍ମକର୍ତା ଅରବିନ୍ଦ ସାହୁ, ସିଦ୍ଧାର୍ଥ ଶଙ୍କର ପାଳ ଓ ଲକ୍ଷ୍ମୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆତ୍ମା କର୍ମଚାରୀ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସଂଘର ଦାବି ମଧ୍ୟରେ ରହିଛି, କେନ୍ଦ୍ର ସରକାରଙ୍କ ୨୦୧୪ ମସିହାରେ ଏନ୍‌ଏମ୍‌ଏଇଟି ମାର୍ଗଦର୍ଶିକା ପୁସ୍ତିକା ଅନୁଯାୟୀ କାର୍ଯ୍ୟରତ ଆତ୍ମା କର୍ମଚାରୀଙ୍କ ବର୍ଦ୍ଧିତ ଦରମା ସହ ୧୦ପ୍ରତିଶତ ଭତ୍ତା ଲାଗୁ କରାଯାଉ। ଠିକା ସଂସ୍ଥାମାନେ ପ୍ରତ୍ୟେକ ମାସ ଆରମ୍ଭରୁ ସେବା କର ବାବଦକୁ ୨ହଜାର-ଅଢ଼େଇ ହଜାର ଟଙ୍କା କାଟି ନେଉଛନ୍ତି। କେନ୍ଦ୍ର ସରକାରଙ୍କ ୨୦୧୦ ମାର୍ଗଦର୍ଶିକା ପୁସ୍ତିକା ଅନୁଯାୟୀ ସମସ୍ତ ଅର୍ଥ କର୍ମଚାରୀଙ୍କୁ ଫେରସ୍ତ କରାଯାଉ। ଠିକା ସଂସ୍ଥା ଜରିଆରେ ନିଯୁକ୍ତି ପାଇବା ଦ୍ୱାରା ଠିକା ସଂସ୍ଥା କର୍ମଚାରୀଙ୍କୁ ଶୋଷଣ କରୁଛି। ତେଣୁ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ପରିବର୍ତେ ଅନ୍ୟ ରାଜ୍ୟ ଭଳି ଇମେଜ କିମ୍ବା ପ୍ରକଳ୍ପ ନିର୍ଦେଶକ ଆତ୍ମା ଜରିଆରେ ସିଧାସଳଖ ନିଯୁକ୍ତି ଦିଆଯାଉ। ଆତ୍ମା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ରୀୟ ଯୋଜନାରେ ଅର୍ଥ ଆସୁଥିଲେ ହେଁ ଆତ୍ମା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କିଛି ଯୋଜନା କରାଯାଉନାହିଁ। ତେଣୁ ଆତ୍ମା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କର୍ମଚାରୀଙ୍କୁ ପ୍ରର୍ଯ୍ୟାୟକ୍ରମେ ହାଇଦ୍ରବାଦସ୍ଥିତ ମ୍ୟାନେଜ୍‌କୁ ପ୍ରଶିକ୍ଷଣ ପାଇଁ ପଠାଯାଉ।

ରାଜ୍ୟରେ ଏବେ ୮ଶହ ଆତ୍ମା କର୍ମଚାରୀ ରହିଛନ୍ତି। ପ୍ରତି ବ୍ଲକ୍‌ରେ ୩ଜଣ ଓ ଜିଲ୍ଲାରେ ୨ଜଣ ଲେଖାଲଁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ୨୦୧୪ ମସିହାରୁ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହୋଇନାହିଁ। ତେଣୁ ବାଧ୍ୟହୋଇ ଆତ୍ମା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର