କଲେଜ ସମ୍ମୁଖରେ ଛାତ୍ରଙ୍କୁ ହାଣିଲେ, ଅମରେଶ ହତ୍ୟାକାଣ୍ଡର ପ୍ରତି‌ଶୋଧ

ଅଗ୍ନି ନେତୃତ୍ବରେ ଆକ୍ରମଣ

ଖଣ୍ଡଗିରି: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ଯାଁଳା ଫାଣ୍ଡି ଅଧୀନ ମଦନପୁରସ୍ଥିତ ନିସ୍‌ କଲେଜର ଜଣେ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଛାତ୍ରଜଣକ ହେଲେ, ସୁନ୍ଦରପଦା ଗାଁର ବିଜୟ ଗଜେନ୍ଦ୍ରଙ୍କ ପୁଅ ଜଗଜିତ୍‌(୧୯)। ସେ ନିସ୍ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ବିତୀୟ ବାର୍ଷର ଛାତ୍ର। ପ୍ରାୟ ୧୫ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଭୁଜାଲିରେ ଆକ୍ରମଣ କରିବାରୁ ତାଙ୍କର ଦୁଇ ଗୋଡ଼, ହାତ, ପିଠି ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଯାଁଳା ଫାଣ୍ଡି ପୁଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ପତ୍ତା ମିଳି ନାହିଁ। ତେବେ ଏହି ଆକ୍ରମଣରେ ଅମରେଶ ନାୟକଙ୍କ ଗୋଷ୍ଠୀ ସାମିଲ୍ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖଣ୍ଡଗିରି ଥାନା ଅଞ୍ଚଳର କୁଖ୍ୟାତ ଅପରାଧୀ ଅଗ୍ନି ଏହି ଆକ୍ରମଣର ନେତୃତ୍ବ ନେଇଥିବା ଜଣାପଡ଼ିଛି।

ସୂଚନାନୁସାରେ, କ୍ଲାସ୍‌ ସାରି ଜଗଜିତ୍‌ କଲେଜ ବାହାରକୁ ଖାଇବାକୁ ଆସିଥିଲେ। ସେ କଲେଜ ମୁଖ୍ୟ ଫାଟକ ପାଖରେ ପହଞ୍ଚିଥିବା ବେଳେ ହଠାତ୍ ପୂର୍ବରୁ ଛକି ରହିଥିବା ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣା ବେଳେ ସେଠାରେ ବହୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ବି ମାରଣାସ୍ତ୍ରରେ ସଜ୍ଜିତ ଯୁବକମାନଙ୍କୁ କେହି ପ୍ରତି‌ରୋଧ କରି ପାରିନଥି‌ଲେ। କିଛି ସ୍ଥାନୀୟ ଯୁବକ ଦୂରରେ ଥାଇ ପାଟି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫଳରେ ବର୍ତ୍ତି ଯାଇଥିଲେ ଜଗଜିତ୍‌। ତୁରନ୍ତ ତାଙ୍କୁ ଭୁବ‌ନେଶ୍ବର ଏମ୍‌ସ ନିଆଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏମ୍‌ସ ଯାଇ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ଜଗଜିତ୍‌ଙ୍କ ବାପା ବିଜୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଓ କିଛି ଦୁର୍ବୃତ୍ତମାନଙ୍କ ନାମ ଏତଲାରେ ଉଲ୍ଲେଖ କରିଛନ୍ତି।

ଜନ୍ମଦିନରେ ରକ୍ତର ଜବାବ୍ ରକ୍ତରେ
ଗତ ଅକ୍ଟୋବର ୨୭ ତାରିଖ ଦୀପାବଳି ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା। ପୂର୍ବରୁ ରହିଥିବା ଗୋଷ୍ଠୀ ବିବାଦରୁ ପ୍ରତିପକ୍ଷରୁ ସଦସ୍ୟମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ମାମଲାରେ ସୁନ୍ଦରପଦାର ଜଗଦୀଶ ଗଜେନ୍ଦ୍ର ଓ ଅନ୍ୟ ୫ ଜଣ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଆଜି ଅମରେଶଙ୍କ ଜନ୍ମ ଦିନ ଥିଲା। ତେଣୁ ତାଙ୍କ ଗୋଷ୍ଠୀ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ରକ୍ତର ଜବାବ୍ ରକ୍ତରେ ଦେବାକୁ ଯାଇ ବଡ଼ ଭାଇ ଜଗଦୀଶଙ୍କ ରାଗକୁ ସାନ ଭାଇ ଜଗଜିତ୍‌ଙ୍କ ଉପରେ ଶୁଝାଇଛନ୍ତି। ବଡ଼ କଥା ହେଉଛି ଖଣ୍ଡଗିରି ସରକନ୍ତରା ଅଞ୍ଚଳର ଅଗ୍ନି ଷଡ଼ଙ୍ଗୀ ଏହି ଆକ୍ରମଣର ନେତୃତ୍ବ ନେଇଥିବା ଜଣାପଡ଼ିଛି। ଅଗ୍ନିର ଭାଇ ଆକାଶକୁ କମିସନରେଟ୍‌ ପୁଲିସ ତଡ଼ିପାର୍ ଘୋଷଣା କରିଛି।

ସମ୍ବନ୍ଧିତ ଖବର