ହୋଟେଲ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା : ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

୨୪ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ ଦାବି,ଲୋକଙ୍କୁ ବୁଝାଇଲେ କମିସନର୍‌,

ଭୁବନେଶ୍ୱର : ଆଉ ମ‌େଞ୍ଚଶ୍ବର ଥାନା ପୁଲିସ ଉପରେ ଭରସା ନାହିଁ। ଲୁଟେରା ଆତଙ୍କ ଖେଳାଇ ଅଞ୍ଚଳବାସୀଙ୍କୁ ନାକରେ କନ୍ଦାଇ ସାରିଲେଣି। ଥରେ ଘରୁ ଗୋଡ଼ କାଢ଼ିଲେ ସୁରକ୍ଷିତ ଭାବେ ଘରେ ପହଞ୍ଚିବାର ଗ୍ୟାରେଣ୍ଟି ନାହିଁ। ଆମକୁ ସୁରକ୍ଷା ଦିଅ। ୨୪ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଗିରଫ କର। ନଚେତ ଆମେ ଆଇନ ହାତକୁ ନେବୁ। ଆଜି ରସୁଲଗଡ଼ ଗ୍ରାମବାସୀ ପୁଲିସ ବିରୋଧରେ ପ୍ରଥମେ ଏପରି ଢଙ୍ଗରେ ସ୍ବର ଉତ୍ତୋଳନ ଆରମ୍ଭ କରିଛନ୍ତି।

ଗ୍ରାମବାସୀ ଟାୟାର ଜାଳି ଜାତୀୟ ରାଜପଥ ଅବ‌ରୋଧ କରିଥିଲେ। କଟକ ପଟୁ ଆସୁଥିବା ଗାଡ଼ି ମୋଟର ରସୁଲଗଡ଼ ଛକରେ ଅଟକି ରହିଥିଲା। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏଭଳି ଅପରାଧ ଘଟଣା ବଢ଼ିବା ପରେ ଏବେ ଲୋକ ତାତିବା ଆରମ୍ଭ କଲେଣି।

ମଞ୍ଚେଶ୍ବର ଥାନା ନିକଟରେ ଥିବା ହୋଟେଲ ତୃପ୍ତି ମାଲିକ ବୁଲୁ ସାମନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟପାଟ କରିଥିବା ଲୁଟେରାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ରସୁଲଗଡ଼ ଯୁବକ ସଂଘର ଯୁବକଙ୍କ ସମେତ ବିଭିନ୍ନ ଗ୍ରା‌ମର ଶତାଧିକ ବାସିନ୍ଦା ଫ୍ଲାଏ ଓଭର ତଳେ ରାଜପଥ ଅବରୋଧ କରି ଟାୟାର ଜାଳି ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ରାସ୍ତା ଉପରେ ବସି ରହିଥିଲେ। ଘଟଣାସ୍ଥଳରେ ମଞ୍ଚେଶ୍ବର, ସହିଦ ନଗର ଥାନା ଅଧିକାରୀଙ୍କ ସମେତ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ କୁମାର ସାହୁ, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଟ୍ରାଫିକ୍‌ ଏସିପି ପହଞ୍ଚିଥିଲେ। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅଞ୍ଚଳରେ ଅପରାଧ ନିୟନ୍ତ୍ରଣକୁ ନେଇ କମିସନର ଲୋକଙ୍କ ସହ ସ୍ବତନ୍ତ୍ର ଆଲେଚାନା କରିବା ପାଇଁ ସ୍ଥିର ହେବାରୁ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ଉଠିଥିଲେ। ସନ୍ଧ୍ୟାରେ ଯୁବକ ସଂଘର ସଦସ୍ୟଙ୍କ ସମେତ ରସୁଲଗଡ଼, ପଳାସୁଣି, ପାଣ୍ଡରା, ରଙ୍ଗାମାଟିଆ ପ୍ରଭୃତି ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଗ୍ରାମର ପ୍ରତିନିଧିମାନଙ୍କର ପୁଲିସ କମିସନରଙ୍କ ସହ ଆଲୋଚନା ହୋଇଥିଲା। ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ଆଗକୁ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ଯୁବକମାନଙ୍କର ସହଯୋଗ ଲୋଡ଼ିଥିଲା। ଯୁବକମାନେ ଏଥିପାଇଁ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ। କମିସନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାର ତଦନ୍ତ କରିବାକୁ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦିଆଯାଇଛି। ସ୍ପେସାଲ ସ୍କ୍ବାଡ୍‌ ସିସି ଟିଭି ଫୁଟେଜ ଓ ମୋବାଇଲ ଫୋନ ମାଧ୍ୟମରେ ଛାନଭିନ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ମଞ୍ଚେଶ୍ବର ଅଞ୍ଚଳରେ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ଧାରରେ ପୁଲିସ
ଗତ ରାତି ପ୍ରାୟ ୧୨ଟା ବେଳେ ରସୁଲଗଡ଼ ଛକ ତୃପ୍ତି ରେଷ୍ଟୁରାଣ୍ଟ ମାଲିକ ବୁଲୁ ସାମନ୍ତରାୟ ଘରକୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେବା ସହ ତାଙ୍କ ପାଖରୁ ଟଙ୍କା ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରସୁଲଗଡ଼ ଗାଁ’ରେ ଥିବା ତାଙ୍କ ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିଲେ। ଅଭିଯୋଗ ହେବା ପରେ ମଞ୍ଚେଶ୍ବର ଥାନା ପୁଲିସ ସମେତ ସ୍ପେଶାଲ ସ୍କ୍ବା‌ଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା କୌଣସି ସଫଳତା ମିଳିପାରିନାହିଁ।

ଜାରି ହେଲା ଜରୁରୀ ନମ୍ବର
ଭୁବନେଶ୍ବରରେ ଅପରାଧୀଙ୍କ ଗତିବିଧି ଉପରେ ସୂଚନା ଦେବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ଜରୁରୀ ଫୋନ୍‌ ନମ୍ବର ଜାରି କରାଯାଇଛି। ଯେ କେହି ବି ବ୍ୟକ୍ତି ୮୨୮୦୩୩୮୩୦୦ ନମ୍ବରରେ ଫୋନ୍‌ କରି ଅପରାଧୀଙ୍କ ସମ୍ବନ୍ଧରେ ସୂଚନା ଦେଇପାରିବେ।

ସିସିଟିଭିରେ ଦୁର୍ବୃତ୍ତ
ସିପିଙ୍କ ସହ ଅମୂଲ୍ୟ ପରିଡ଼ା, ଅନୀଲ ବଳିୟାରସିଂହ, କାଳନ୍ଦୀ ଜଗଦ୍ଦେବ, ଜିତେନ୍ଦ୍ର ଚମ୍ପତି, ମିଟୁ ଶ୍ରୀଚନ୍ଦନ, ଟୁଟୁ ବଳିୟାରସିଂହ, ବାପି ରାଉତ, ଟିକନ ଛୋଟରାୟ ପ୍ରମୁଖଙ୍କ ସମେତ ୩୦ ଜଣ ଆଲୋଚନା କରିଛନ୍ତି। ଗାଁ ଭିତରେ ଏଭଳି ସାହସ କରିବା ସାଧାରଣ ଲୁଟେରାର କାମ ନୁହେଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏଭଳି ଏକ ଘଟଣା ଘଟିଥିବାରୁ ଅନ୍ୟ ବାସିନ୍ଦାମାନେ ମଧ୍ୟ ଭୟଭୀତ ହୋଇଛନ୍ତି। ସେମାନଙ୍କ କହିବା ମୁତାବକ, ବୁଲୁଙ୍କୁ ଆକ୍ରମଣ ହେଉଥିବା ସମୟରେ ତାଙ୍କର ଚିତ୍କାର ଶୁଣି ଲୋକମାନେ ଉଠିଥିଲେ। ଉପର ମହଲାରୁ ଜଣେ ଆକ୍ରମଣକାରୀଙ୍କ ଉପରକୁ ଚୌକି ଫିଙ୍ଗିବାରୁ ଦୁର୍ବୃତ୍ତମାନେ ଦଉଡ଼ି ପଳାଇଥିଲେ। ସେମାନେ ରାଜପଥ ଆଡ଼େ ନ ଯାଇ ଗାଁ ଭିତର ଦେଇ କେନାଲ ରୋଡ୍‌ରେ ଫେରାର ହୋଇଯାଇଥିଲେ। କେତେକଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତଙ୍କ ଚିତ୍ର ରହିଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର