ଭୁବନେଶ୍ୱର: ବିଏମ୍ଡବ୍ଲୁ କାର୍ରେ ଯାଉଥିଲେ। ଟର୍ଣ୍ଣିଂରେ ଆଗପଟୁ ଆସୁଥିବା କାର୍ ହର୍ଣ୍ଣ ମାରିଲାନି କିମ୍ବା ଏମାନେ ମଧ୍ୟ ମାରିଲେ ନାହିଁ। ଏଣୁ ଦୁଇଟି କାର୍ ମୁହାଁମୁହିଁ ହୋଇଗଲା। ‘ବିଏମ୍ଡବ୍ଲୁ ଆଗରେ ଗାଡ଼ି ଏମିତି ସଡନ୍ ବ୍ରେକ୍ ମାରି ଚମ୍କେଇବାକୁ ସାହସ କେମିତି ହେଲା?’ ବୋଲି ପ୍ରଶ୍ନ କରି ଗାଡ଼ି ଭିତରୁ ତିନିଜଣ ଓହ୍ଲାଇ ପଡ଼ିଲେ। ଅନ୍ୟଗାଡ଼ିରୁ ଡ୍ରାଇଭର ଓ ଅନ୍ୟଜଣଙ୍କୁ ଭିଡ଼ି ଆଣିଲେ। ମାତ୍ର ସେମାନେ ଜୀବନ ବିକଳରେ ଏଣେ ତେଣେ ଦଉଡ଼ିଲେ। ହେଲେ ଜଣେ ସାମ୍ନାରେ ପଡ଼ିଗଲେ। ତିନି ଅଭିଯୁକ୍ତ ତାଙ୍କୁ ନିର୍ଧୁମ ମାଡ଼ ମାରିଲେ। ଏହା ଦେଖି ତାଙ୍କ ବନ୍ଧୁ ବିରୋଧ କରିବାରୁ ସେ ମଧ୍ୟ ବର୍ତ୍ତିଲେନି। ତାଙ୍କୁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଧରିଲା ଓ ଅନ୍ୟଜଣେ ଛୁରା ମାଡ଼ କଲା। ଆଉ ଜଣେ ଏକ ବାଉଁଶ ଉଠାଇ ଆଣି ଗାଡ଼ିକୁ ପିଟି ପିଟି ଭାଙ୍ଗିଲା। ଆହତ ହେଉଛନ୍ତି ପାତ୍ରପଡ଼ାର ଅବିନାଶ ପ୍ରଧାନ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସାଙ୍ଗରେ ଥିବା ବନ୍ଧୁ ରୋହିତ ପଣ୍ଡାଙ୍କୁ ଦୁର୍ବୃତ୍ତ ନିର୍ଧୁମ ମାଡ଼ ମାରି ତାଙ୍କୁ ମଧ୍ୟ ଲହୁଲୁହାଣ କରିଛନ୍ତି। ତେବେ ପ୍ରାଥମିକ ଚିକିତ୍ସା ପରେ ରୋହିତଙ୍କୁ ଘରକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅବିନାଶ ତାଙ୍କ ଗାଡ଼ି ମରାମତି ପାଇଁ ଇସ୍କନ ମନ୍ଦିର କଡ଼ରେ ଥିବା ଏକ ଗ୍ୟାରେଜ୍କୁ ଆଣିଥିଲେ। ମରାମତି ପାଇଁ ଘଣ୍ଟାଏରୁ ଅଧିକ ସମୟ ଲାଗିବା ଜାଣି ସେ ତାଙ୍କ ସାଙ୍ଗ ରୋହିତକୁ ଡକାଇଥିଲେ। ରୋହିତ କାର୍(ହୋଣ୍ଡା ବ୍ରିଓ) ଆଣି ତାଙ୍କୁ ନେଇ ଯାଇଥିଲେ। ସନ୍ଧ୍ୟାରେ ସେ ତାଙ୍କୁ ପୁଣି ଥରେ ଗ୍ୟାରେଜ୍ରେ ଛାଡ଼ିବା ପାଇଁ ଆଣୁଥିଲେ। ଇସ୍କନ ମନ୍ଦିର କଡ଼ରେ ଏକ ଟର୍ଣ୍ଣିଂରେ ଆସୁଥିବା ବେଳେ ରୋହିତଙ୍କ କାର୍ ସହ ବିଏମଡବ୍ଲୁ ସାମ୍ନାସାମ୍ନି ହୋଇ ଯାଇଥିଲା। ସେଠାରୁ ହିଁ ଆରମ୍ଭ ହୋଇଥିଲା ଏଭଳି କାଣ୍ଡ। ଅପରାହ୍ନ ୩ଟା ବେଳେ ଜନଗହଳିପୂର୍ଣ୍ଣ ଜାଗାରେ ଏହି ଘଟଣା ଘଟିଥିଲା। ବିଏମ୍ଡବ୍ଲୁ ଗାଡ଼ି(ଏଚ୍ଆର୨୬ ବିଜି-୧୧୪୫)ରେ ଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଦୁଇଭାଇଙ୍କ ନାମରେ ଅନେକ ସଙ୍ଗିନ ଅଭିଯୋଗ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଆଜିର ଘଟଣା ସାମାନ୍ୟ କଥାକୁ ନେଇ ଘଟିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହା ପଛରେ ଅନ୍ୟ କିଛି ରହସ୍ୟ ଥିବା ପୁଲିସକୁ ସୁରାକ ମିଳିଛି। ନୂଆପଲ୍ଲୀ ଥାନା ପୁଲିସ ଏତଲା ପାଇବା ପରେ ଅନୁସନ୍ଧାନ ଆରମ୍ଭ କରିଛି। ବିଏମ୍ଡବ୍ଲୁ କାର୍ରେ ଆସିଥିବା ଏହି ଅଭିଯୁକ୍ତମାନେ ଏଠାରେ ଏଭଳି କାଣ୍ଡ ଘଟାଇବା ପରେ ଖୋର୍ଦ୍ଧା ଯାଇଛନ୍ତି। ସେଠାରେ ଏହି ଅଭିଯୁକ୍ତମାନେ ଏକ ହତ୍ୟାକାଣ୍ଡରେ ସାମିଲ ଥିବା ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୫ ତାରିଖ ଅପରାହ୍ନ ୩ଟା ବେଳେ ବାପୁଜୀ ନଗରରେ ଦୁଇ ଭାଇଙ୍କୁ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ। ଠିକ ତା’ ପରଦିନ ଅର୍ଥାତ୍ ୬ ତାରିଖରେ ସାଲିଆସାହିରେ ଗଞ୍ଜାମ ଫେରନ୍ତାକୁ ବିରୋଧ କରି ଖଣ୍ଡା ବୁଲିଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ। ଆଜି ଏହି ଅଭାବନୀୟ ଘଟଣା କମିସନରେଟ୍ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି।