ଦବ୍‌ଦବା ପାଇଁ ହାଣୁଥିଲା: ଜେଲ୍‌ଗଲା ଦୁର୍ଦ୍ଦାନ୍ତ ମହିଳା

ଭୁବନେଶ୍ବର: କଥା କଥାକେ ହାଣିବାକୁ ଗୋଡ଼ାଉଥିଲା। କେତେଜଣଙ୍କୁ ହାଣି ରକ୍ତାକ୍ତ ବି କରିଥିଲା। ବଜାରରେ ନିଜର ଦବ୍‌ଦବା ଜାହିର ପାଇଁ କାହାକୁ ମିଛ ଦଫା ଲଗାଇବାର ଧମକ ଦେଉଥିଲା ତ କାହାକୁ ଜୀବନରୁ ମାରିଦେବାକୁ କହୁଥିଲା। ଏସ୍‌ପ୍ଲାନେଡ୍‌ ନିକଟ ମାର୍କେଟ୍‌ରେ ଏଭଳି ଆତଙ୍କ ରଚିଥିବା ଜଣେ ଦୁର୍ଦ୍ଦାନ୍ତ ମହିଳା ବ୍ୟବସାୟୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ, ବାରଙ୍ଗ ଅଞ୍ଚଳର ଭାରତୀ ବେଉରା(୩୮)। ପୁଲିସ ତା’ଠାରୁ କିଛି ମାରଣାସ୍ତ୍ର ଜବତ କରିଛି।

ସୂଚନା ମୁତାବକ, କିଛି ବର୍ଷ ‌ହେବ ଭାରତୀ ଏସ୍‌ପ୍ଲାନେଡ୍‌ ମଲ୍‌ ପଛ ଗେଟ୍‌ ନିକଟରେ ନିଜର ଚା’ ଓ ସ୍ନାକ୍ସ ଦୋକାନ କରିଥିଲେ। ତେବେ ବ୍ୟବସାୟକୁ ନେଇ ପଡ଼ୋଶୀ ଦୋକାନୀଙ୍କ ସହ ତାଙ୍କ ବିବାଦ ଲାଗି ରହିଥିଲା। ବିଭିନ୍ନ ସମୟରେ ଗଣ୍ଡଗୋଳ ସ୍ଥିତି ଉପୁଜୁଥିଲା। କିଛି ଦିନ ତଳେ ଜଣେ ଗ୍ୟାରେଜ୍‌ ବ୍ୟବସାୟୀଙ୍କୁ କଟୁରିରେ ହାଣି ରକ୍ତାକ୍ତ କରିଥିଲେ। ଏପରିକି ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲା। ଭୟରେ ଗ୍ୟାରେଜ୍‌ ‌ଦୋକାନୀ ଅଭିଯୋଗ କରିନଥିଲେ। ଗତ ୪ ମାସ ହେବ ସେ ଏଭଳି ଉତ୍ପାତ କରୁଥିଲେ ବି‌ କେହି ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନଥିଲେ। ତ‌େବେ ଗତ ୪ ତାରିଖ ସନ୍ଧ୍ୟାରେ ‌ପଡ଼ୋଶୀ ଦୋକାନୀ ତଥା ୭୨ ବର୍ଷୀୟ ବରିଷ୍ଠ ନାଗରିକ ଈଶ୍ବର ସାହୁଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ଭାରତୀ ରାଗିଯାଇ ତାଙ୍କୁ ଏକ ଟେଷ୍ଟର୍‌ରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର