ସାଇଡ୍‌ ମାଗିବାରୁ ଆକ୍ରମଣ ଘଟଣା: ସନ୍ଦେହରେ ପୂର୍ବତନ କର୍ପୋରେଟର୍‌ଙ୍କ ପୁଅ

ରାଜଧାନୀରେ ଏପରି ଘଟଣା ନୂଆ ନୁହେଁ, ମାସକ ମଧ୍ୟରେ ୩ ଘଟଣା

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଆପାର୍ଟମେଣ୍ଟ ନିକଟରେ ସାଇଡ୍‌ ମାଗିବାକୁ କେନ୍ଦ୍ର କରି ଆଜି ୫ରୁ ୬ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ପ୍ରାଣାନ୍ତକ ଆକ୍ରମଣରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତେବେ ବଡ଼ କଥା ହେଲା, ପୁଲିସ ଆଗରେ ଏ ସବୁ କିଛି ଘଟୁଥିଲେ ମଧ୍ୟ ପୁଲିସ୍‌ ନିରବଦ୍ରଷ୍ଟା ସାଜିଥିଲା। ଅପରାଧୀମାନଙ୍କୁ ଧରିବା ବଦଳରେ ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀ ସାଜି ଚୁପ୍‌ ବସିଥିଲା। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସହରର ବୁଦ୍ଧିଜୀବୀମାନେ ଏଥିପାଇଁ କମିସନରେଟ୍‌ ପୁଲିସ୍‌କୁ କଡ଼ା ସମାଲୋଚନା କରିଛନ୍ତି। ସର୍ବସମ୍ମୁଖରେ ପୁଲିସ୍‌ ଆଗରେ ଯଦି ଅପରାଧୀମାନେ ଏପରି କାଣ୍ଡ ଘଟାଇବେ ଓ ପୁଲିସ୍‌ ନିରବଦ୍ରଷ୍ଟା ସାଜିବ, ତେବ‌େ ଆଇନଶୃଙ୍ଖଳା ରକ୍ଷା କରିବ କିଏ? ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ମାର୍କେଟ୍‌ ବିଲ୍‌ଡିଂରେ ବି ଗୋଡ଼େଇ ଗୋଡ଼େଇ ପିଟିଥିଲେ
ପୁଲିସ୍‌ର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ
ଅଭିଯୁକ୍ତ ଗିରଫ ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଶିଖ୍‌ ସଂପ୍ରଦାୟ

ଅପରପକ୍ଷେ ରାଜଧାନୀରେ ଏ ପ୍ରକାର ଘଟଣା ନୂଆ ନୁହେଁ। ଗତ ମାସକ ଉପରେ ନଜର ପକାଇଲେ, ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଏପରି ତିନିତିନିଟି ଘଟଣା ଘଟି ସାରଛି, ଯାହାକୁ ନେଇ ରାଜଧାନୀବାସୀ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ଲୋକେ ଏବେ ଘରୁ ବାହାରିବାକୁ ଡରିଲେଣି। ଅପରପକ୍ଷେ ‘ଆମ ପୁଲିସ, ଆମ ସୁରକ୍ଷା’ ନାରା ଦେଉଥିବା କମିସନରେଟ୍‌ ପୁଲିସ ଉପରୁ ମଧ୍ୟ ଲୋକଙ୍କ ଭରସା କମିବାରେ ଲାଗିଛି। ଗତ ୧୦ ତାରିଖରେ ଜନଗହଳିପୂର୍ଣ୍ଣ ମାର୍କେଟ୍‌ ବିଲ୍ଡିଂ ପଛପଟ ପାର୍କିଂ ସ୍ଥଳରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା। ଘଡ଼ିକିଣା ମୂଲଚାଲ ଭଳି ସାଧାରଣ ଘଟଣାକୁ ନେଇ ୨୦ରୁ ୨୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ଆତଙ୍କ ସୃଷ୍ଟି କରିଥିଲେ। ହକି ଷ୍ଟିକ୍, କ୍ରିକେଟ ଷ୍ଟମ୍ପ, ଲୁହାରଡ୍‌ ଆଦି ସାହାଯ୍ୟରେ ୧୦ରୁ ଅଧିକ ଦୋକାନ ଭାଙ୍ଗିରୁଜି ଛିନ୍‌ଛତର୍‌ କରି ଦେଇଥିଲେ। ଯିଏ ପ୍ରତିବାଦ କରିଥିଲା, ତାକୁ ବି ନିର୍ଧୂମ୍‌ ପିଟିଥିଲେ। ଏହି ଘଟଣାରେ ପୁଲିସ ୨୧ଜଣଙ୍କୁ ଗିରଫ କରିଛି ସତ, କିନ୍ତୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଜରିଆରେ ଏହାକୁ ରୋକା ଯାଇପାରିଥା’ନ୍ତା ବୋଲି ବୁଦ୍ଧିଜୀବୀ କହିଛନ୍ତି। ପାଟ୍ରୋଲିଂ ଅଭାବରୁ ସେଦିନ ଏତେବଡ଼ ଘଟଣା ଘଟିଗଲା ବୋଲି ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଥିଲେ। ସେହିପରି ୨୦୧୯ ଡିସେମ୍ବର ୨୫ ତାରିଖ ବଡ଼ଦିନ। ସାରା ରାଜଧାନୀ ଉତ୍ସବମୁଖର ଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ବେଳେ ମହର୍ଷି କଲେଜ ରାସ୍ତାରେ ୧୦ରୁ ୧୫ଜଣ ପରସ୍ପର ମଧ୍ୟରେ ମାର୍‌ପିଟ୍‌ ହୋଇଥିଲେ। ଏନେଇ ସାଧାରଣ ଲୋକ ପ୍ରତିବାଦ କରିବାରୁ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକଙ୍କୁ ଅମୁହାଁ ପିଟିଥିଲେ। ଫଳରେ ଅଧିକାଂଶ ସାଧାରଣ ଲୋକ ଏଥିରେ ଆହତ ହେବା ସହ ୫ଜଣ ଗୁରୁତର ହୋଇଥିଲେ। ସେତିକିରେ ମନ ଭରି ନ ଥିଲା ଯେ ଦୁର୍ବୃତ୍ତମାନେ ହକି ଷ୍ଟିକ୍‌ରେ ପିଟି ଗାଡ଼ି ମୋଟର ମଧ୍ୟ ଭଙ୍ଗାରୁଜା କରିଥିଲେ।

‌ଆଜିର ପ୍ରାଣାନ୍ତକ ମାମଲା‌ରେ ଜଣେ ପୂର୍ବତନ କର୍ପୋରେଟରଙ୍କ ପୁଅ ସମ୍ପୃକ୍ତ ଥିବା ଜଣାଯାଇଛି। ତାଙ୍କ ଇସାରାରେ ଏହି ଘଟଣା ଘଟିଛି। କିଏ ସେହି ବ୍ୟକ୍ତି? ପୁଲିସ୍‌ ତାଙ୍କୁ ଖୋଜିବ ନା ଛାଡ଼ିଦେବ? ଗୋଟିଏ ପଟେ ଏଭଳି ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପଟେ ଶିଖ୍‌ ସମ୍ପ୍ରଦାୟ ଏହି ପୂର୍ବତନ କର୍ପୋରେଟର୍‌ଙ୍କ ପୁଅକୁ ଚିହ୍ନଟ କରିଛି। ସେ ଗିରଫ ନ ହେଲେ ସମ୍ପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯିବ ବୋଲି ସିଧାସିଧା ଶୁଣାଇ ଦେଇଛି। ତେଣୁ ଏବେ ପୁଲିସ ହରଡ଼ଘଣାରେ ପଡ଼ିଛି।

ସମ୍ବନ୍ଧିତ ଖବର