ଘର ସାମ୍ନାରେ ପରିସ୍ରା ବାରଣ କଲେ ବୋଲି… ହାଣିଦେଲା

ଭୁବନେଶ୍ୱର: ଘର ସାମ୍ନାରେ ପରିସ୍ରା କଲା ବେଳେ ବାରଣ କରିବାରୁ ଏକ ଦମ୍ପତି ହଣା ଖାଇଛନ୍ତି। ଘଟଣା ନୂଆପଲ୍ଲୀ ଥାନା ସାଲିଆସାହିର ମୁଣ୍ଡା ସାହିରେ ଘଟିଛି। ଆହତ ଦମ୍ପତିଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ହେଉଛି ମୁଣ୍ଡା ସାହିର ଲକ୍ଷ୍ମଣ ମୁର୍ମୁ। ହତ୍ୟା ଉଦ୍ୟମ ଅଭିଯୋଗରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ ରାତି ପ୍ରାୟ ସାଢ଼େ ୮ଟା ବେଳେ ଲକ୍ଷ୍ମଣ କିଶୋର ‌ଚନ୍ଦ୍ର ସେଠୀଙ୍କ ଘର ସାମ୍ନାରେ ପରିସ୍ରା କରୁଥିଲା। କିଶୋର ଏହା ଦେଖି ବାରଣ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହୋ ହଲ୍ଲା ଶୁଣି କିଶୋରଙ୍କ ପତ୍ନୀ ବିଷ୍ଣୁ ବାହାରକୁ ଆସିଥିଲେ। ଲକ୍ଷ୍ମଣ ଘର ଭିତରେ ପଶି ମାଂସ କଟା ଚାପଡ଼ ଆଣି କିଶୋରଙ୍କୁ ଆକ୍ରମଣ କରିଥିଲା। କିଶୋର ଡାହାଣ ହାତ ଦେଖାଇ ଦେବାରୁ ତାଙ୍କର ହାତରେ ଚୋଟ ବସିଥିଲା। ତାଙ୍କୁ ରକ୍ଷା କରିବାକୁ ପତ୍ନୀ ବିଷ୍ଣୁ ଦଉଡ଼ି ଆସିବାରୁ ତାଙ୍କ ହାତରେ ମଧ୍ୟ ଚୋଟ ବସିଥିଲା। ଉଭୟ ଲହୁଲୁହାଣ ହୋଇ ତଳେ ପଡ଼ି ଚିତ୍କାର କରିବାରୁ ଲକ୍ଷ୍ମଣ ଦଉଡ଼ି ପଳାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିଶୋରଙ୍କ ଅଭିଯୋଗକୁ ଆଧାର କରି ଲକ୍ଷ୍ମଣକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର