ଭୁବନେଶ୍ବର: ଗତରାତିରେ ନୂଆପଲ୍ଲୀ ଭୋଇସାହିସ୍ଥିତ ଲେଡିଜ୍ ହଷ୍ଟେଲ୍‌ରେ ପଶି ଆତଙ୍କ ଖେଳାଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିପାରିନାହିଁ କମିସନରେଟ୍‌ ପୁଲିସ। ପୁଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। କିନ୍ତୁ ଘଟଣାକୁ ୨୪ ଘଣ୍ଟା ବିତିବା ପରେ ବି ପୁଲିସ ଅସାମାଜିକ ଯୁବକମାନଙ୍କ ପତ୍ତା ପାଇନାହିଁ। ଫଳରେ ଉକ୍ତ ହଷ୍ଟେଲର ଅନ୍ତ‌େବା‌ସୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଥାନା ନିକଟରେ ଦୁର୍ବୃତ୍ତମାନେ ଏଭଳି ଅଭାବନୀୟ ଘଟଣା ଘଟାଇବାକୁ ସାହସ କରି ପାରୁଥିବାରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।

Advertisment

ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଉଗ୍ରତାରା ହଷ୍ଟ‌‌େଲ ନିକଟକୁ ଆସି କିଛି ଯୁବକ ହଙ୍ଗାମା କରିଥିଲେ। କଦର୍ଯ୍ୟ ଭାଷାରେ ଗାଳିମନ୍ଦ କରିବା ସହ ହଷ୍ଟେଲକୁ ଟେକା ପଥର ମାରିଥିଲେ। ଫଳରେ କାଚ ଝରକା ଭାଙ୍ଗିଯାଇଥିଲା ଏବଂ ହଷ୍ଟେଲ ପରିସରରେ ଥିବ‌ା ଗାଡ଼ିଗୁଡ଼ିକ ଭାଙ୍ଗି ଯାଇଥିଲ‌ା। କାଚ ଝରକା ଭାଙ୍ଗିଯିବାରୁ ୩୦/୪୦ ଅନ୍ତ‌େବ‌ାସୀ ଭୟରେ ହଷ୍ଟେଲ ପଛକୁ ଯାଇ ଲୁଚିବାକୁ ଚେଷ୍ଟା କରିଥିଲେ। ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଲୀଳାବତୀ ସ୍ବାଇଁ ପୁଲିସକୁ ଫୋନ୍‌ କରିବା ସହ ସାହସ କରି ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିଥିଲେ।

କିନ୍ତୁ ସେମାନେ ତାଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ। ସେମାନେ ଲୀଳାବତୀଙ୍କୁ ମାଡ଼ ମାରି ଲହୁଲୁହା‌ଣ କରିଦେଇଥି‌ଲେ। ଲୀଳାବତୀଙ୍କୁ ମାଡ଼ ହେବା ଦେଖି ଅନ୍ତେବାସୀମାନେ ସମ୍ଭାଳି ପାରିନଥିଲେ ଏବଂ ଚିତ୍କାର କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ଏଥିସହିତ ଅନ୍ତେବାସୀମାନେ ବି ଏକାଠି ହୋଇ ମୁକାବିଲା କରିବାକୁ ଆଗେଇ ଆସିଥିଲେ। ପାଟି ଶୁଣି କିଛି ଯୁବକ ଘଟଣାସ୍ଥଳକୁ ଆସିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପିସିଆର୍‌ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇସାରିଥିଲେ। ସୂଚନାଯୋଗ୍ୟ ଯେ ଯୁବକମାନେ ସମସ୍ତ‌େ ସ୍ଥାନୀୟ। ପୂର୍ବରୁ ସେମାନେ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ କମେଣ୍ଟ ମାରି ହଇରାଣ କରୁଥିଲେ। ଏମିତିକି ସେମାନେ ବହୁ ସମୟରେ ହଷ୍ଟେଲ୍‌ ନିକଟରେ ଖଟି କରି ଅନ୍ତେବାସୀମାନଙ୍କୁ ଖରାପ ଇଙ୍ଗିତ ପ୍ରଦର୍ଶନ କରୁଥିଲେ। ତେଣୁ କିଛି ଦିନ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ କିଛି ଯୁବକଙ୍କୁ ତାଗିଦ୍‌ କରିଥିଲା। ତେଣୁ ସେହି ରାଗରେ ପୁଣି ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଅନୁମାନ କରାଯାଉଛି। ପୁଲିସ ସୂଚନାନୁସାରେ ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ। ତେବେ ହଷ୍ଟେଲ୍‌ ସିସିଟିଭି ଅଚଳଥିବାରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ବିଳମ୍ବ ହେଉଛି।