ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବଡ଼ଗଡ ଅଂଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ(୨୪), ସାଇପ୍ରୀତମ ପଟ୍ଟନାୟକ ଓରଫ ପ୍ରୀତମ(୧୯) ଓ ମଞ୍ଚେଶ୍ବର ଅଞ୍ଚଳର ଉଦିତ ନାରାୟଣ ପ୍ରଧାନ ଓରଫ କାହ୍ନା(୨୧)କୁ କିଏ ଏତେ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା? ଘଟଣାକୁ ବେଶ୍ କିଛି ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଟେର୍ ପାଉ ନ ଥିଲା। ପ୍ରକୃତରେ ପୁଲିସ ସେମାନଙ୍କ ଟେର୍ ପାଉ ନ ଥିଲା ନା ଜାଣି ଜାଣି ଗିରଫ କରୁ ନ ଥିଲା ସେ ନେଇ ଏବେ ବିଭିନ୍ନ ମହଲରେ ଚର୍ଚା। ଏପରିକି ଏହି ୩ ଜଣ ହାଇକୋର୍ଟରୁ ଆଗୁଆ ଜାମିନ୍ ପାଇବା ଲାଗି ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲେ। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ପୁଲିସ ମଧ୍ୟ ହାଲୁକା ହୋଇ ଯାଇଥିଲା। ଏପରିକି କ୍ୟାପିଟାଲ ଥାନା ପୁଲିସ ମଧ୍ୟ ସେମାନଙ୍କୁ ଖୋଜାଖୋଜି କରିବା ବନ୍ଦ କରି ଦେଇଥିଲା। ଠିକ୍ ଏହି ସମୟରେ ଲକ୍ଷ୍ମୀସାଗର ଥାନା ଅଧୀନରେ ଶିଖ ଯୁବକ ପରବିନ୍ଦର ପାଲ ସିଂଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ ବିଭିନ୍ନ ଆଡୁ ଚାପରେ ପଡ଼ିଥିଲା। ଗଣମାଧ୍ୟମରେ ପୁଣି ଥରେ ମାର୍କେଟ ବିଲ୍ଡିଂ ମାମଲା ଚର୍ଚା ହୋଇଥିଲା। ଯାହା ଫଳରେ ପୁଲିସ ଆହୁରି ଚାପରେ ଆସି ବାଧ୍ୟ ହୋଇ ୩ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ତେବେ ପୁଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କାହିଁକି ପଛ ଘୁଞ୍ଚା ଦେଉଥିଲା ତାକୁ ନେଇ ଏବେ ରୋଚକ ତଥ୍ୟ ପଦାକୁ ଆସିଛି।
ଚର୍ଚ୍ଚା ହେଉଛି କି, ମାର୍କେଟ ବିଲ୍ଡିଂ ଆତଙ୍କରାଜ ପରେ ୩ ମୁଖ୍ୟ ଅଭିଯୁକ୍ତ ପୁରୁଣା ଭୁବନେଶ୍ବର ଅଞ୍ଚଳର ଜଣେ ପୂର୍ବତନ କର୍ପୋରେଟରଙ୍କ ଶରଣ ପଶିଥିଲେ। ସେହି କପୋର୍ରେଟର ଜଣକ ମାର୍କେଟ ବିଲ୍ଡିଂରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ। ସଂପୃକ୍ତ କର୍ପୋରେଟର ଜଣକ ଶାସକ ଦଳର ଜଣେ ବିଧାୟକଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ, ଅତି ସହଜରେ ସେମାନଙ୍କୁ ଅଣ୍ଡରଗ୍ରାଉଣ୍ଡ କରିଦେଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ କମିସନରେଟ ପୁଲିସ ବଦନାମ ହେବାରୁ ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ କରିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା କି ଅଭିଯୁକ୍ତମାନେ ଜଣେ ନେତାଙ୍କ ଛତ୍ରଛାୟା ତଳେ ଅଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବାକୁ ସାହସ କରି ପାରି ନ ଥିଲା। ଠିକ୍ ଏହି ସମୟରେ ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଆପର୍ଟମେଣ୍ଟ ନିକଟରେ ପରବିନ୍ଦରଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ମଧ୍ୟ ଜଣେ ପୂର୍ବତନ କପୋର୍ରେଟରଙ୍କ ପୁତରା ସଂପୃକ୍ତ ଥିବା ଜଣା ପଡ଼ିଥିଲା। ପୁଲିସ କିନ୍ତୁ ତାଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଲିସ ସମାଲୋଚନାର ମଧ୍ୟ ଶରବ୍ୟ ହୋଇଥିଲା। ଏହି ମଉକାରେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ଶାସକ ଦଳର କେତେକ ବରିଷ୍ଠ ଓ କ୍ଷମତାଶାଳୀ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। କହିଥିଲେ ଏମିତି ହେଲେ ଦଳ ବଦନାମ ହୋଇଯିବ। ବିରୋଧୀ ରାଜନୈତିକ ଦଳମାନେ ଜାଣିଲେ ଏହାକୁ ଇସ୍ୟୁ କରିବେ। ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ଏହା ଶୁଣିବା ପରେ ଚିଣ୍ଟୁ, ପ୍ରୀତମ ଓ କାହ୍ନାଙ୍କୁ ଗିରଫ ଦିଗରେ ସମ୍ପୃକ୍ତ ତଥାକଥିତ ଗଡ୍ ଫାଦର କୋହଳ ମନୋଭାବ ପୋଷଣ କରିଥିଲେ ଏବଂ ପୁଲିସ ଗିରଫ କରିବାକୁ ସାହସ କରିଥିଲା। ଅପରପକ୍ଷରେ ୩ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସଂପୃକ୍ତ ଯୁବ ନେତା ଓ ଜଣେ ବିଧାୟକଙ୍କ ସହ ସେମାନେ ଉଠାଇଥିବା କେତେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଅନୁଧ୍ୟାନ କଲେ, ଅଭିଯୁକ୍ତମାନେ ନେତା ଓ ବିଧାୟକଙ୍କ ଅତି ଘନିଷ୍ଠ ବୋଲି ବେଶ ବାରି ହୋଇପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Market-building-violence.jpg)