ମା’କୁ ଆକ୍ରମଣ, ଝିଅକୁ ଅପହରଣ ଯୁବତୀ ଉଦ୍ଧାର

ଚନ୍ଦ୍ରଶେଖରପୁର: ଚନ୍ଦକା ଥାନା ଅଧୀନ ପଥରଗାଡ଼ିଆ ବସ୍ତି ନିକଟରେ ମା’କୁ ଆକ୍ରମଣ ଓ ଝିଅକୁ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ଦୁହେଁ ସମ୍ପର୍କରେ ମା’ ଝିଅ ନୁହନ୍ତି। ଓଲଟି ସେହି ମହିଳା ଜଣଙ୍କ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ। ମଙ୍ଗଳବାର ରାତିରେ ଯୁବତୀଙ୍କୁ କେତେକ ଯୁବକଙ୍କ ପାଖକୁ ପଠାଇଥିଲେ। ଟଙ୍କା, ପଇସା ଭାଗବଣ୍ଟା ଓ ଆଉ କେତେକ କାରଣ ପାଇଁ ମହିଳା ଜଣଙ୍କ ଏଭଳି ଅଭିନୟ କରିଥିଲେ। କମିସନରେଟ ପୁଲିସ ତଦନ୍ତ କରି ଏଭଳି କେତେକ ତଥ୍ୟ ପାଇଛି। ଏ ନେଇ ଚନ୍ଦକା ଥାନାରେ ସଂପୃକ୍ତ ମହିଳା ଓ କେତେକ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୁଲିସ ମଧ୍ୟ ଗୋଟିଏ ବାଇକ୍‌ ଜବତ କରିଛି। ସେହି ବାଇକ ନମ୍ବର ଅଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଉକ୍ତ ମହିଳା ଓ ଯୁବତୀ ଭରତପୁର ଅଞ୍ଚଳରେ ରୁହନ୍ତି। ମଙ୍ଗଳବାର ରାତିରେ ଏକ ଅଟୋରେ ମହିଳା ଓ ଯୁବତୀ ପଥରଗାଡ଼ିଆ ନିକଟରେ ପହଞ୍ଚିଥିଲେ। ସେଠାରେ‌ ପୂର୍ବରୁ ଜଗି ରହିଥିବା କେତେକ ଯୁବକ ଯୁବତୀଙ୍କୁ ସାଙ୍ଗରେ ନେଇ ଯିବାକୁ କହିଥିଲେ। କିନ୍ତୁ ଏତେ ସଂଖ୍ୟକ ଯୁବକଙ୍କୁ ଦେଖି ଯୁବତୀ ଜଣକ ରାଜି ହୋଇ ନ ଥିଲେ। ପରେ ଯୁବକମାନେ ଯୁବତୀଙ୍କୁ ଜବରଦସ୍ତ ଟେକି ନେଇଥିଲେ। ଏହା ଦେଖି ମହିଳା ଜଣଙ୍କ ମୋ ଝିଅକୁ ନେଇଗଲେ ବୋଲି ଚିତ୍କାର କରିଥିଲେ। ଏ ନେଇ ସେ ପୁଲିସ କଂଟ୍ରୋଲ ରୁମକୁ ଖବର ଦେଇଥିଲେ। ଏଭଳି ଏକ ସମମ୍ବେଦନଶୀଳ ଖବର ପାଇବା ପରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିଜେ ଘଟଣାର ତଦାରଖ କରିଥିଲେ। ଏହା ପରେ ନନ୍ଦନକାନନ, ଚନ୍ଦକା, ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ମିଳିତ ଭାବେ ପଥରଗାଡ଼ିଆ, କିସ୍‌ ସମ୍ମୁଖ, ଚନ୍ଦକା ଜଙ୍ଗଲରେ ରାତି ତମାମ ଖୋଜାଖୋଜି କରିଥିଲେ। ପୁଲିସ କମିସନର ଶ୍ରୀ ମହାନ୍ତି ରାତି ତମାମ ଘଟଣା ଉପରେ ନଜର ରଖିଥିଲେ। ଭୋରରୁ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା। ଯୁବତୀ ଜଣଙ୍କ ଉଦ୍ଧାର ହେବା ପରେ ସେ ଅପହରଣକାରୀଙ୍କ ସମ୍ପର୍କରେ ପୁଲିସକୁ ତଥ୍ୟ ଦେଇଛନ୍ତି। ଯୁବତୀଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଖୁବ ଶୀଘ୍ର ସେମାନେ ଗିରଫ ହେବେ। ଅନ୍ୟପଟେ ଏକ ନିଶ୍ଚିତ ଗଣ ଦୁଷ୍କର୍ମ ଘଟଣାରୁ ଯୁବତୀଙ୍କୁ ରକ୍ଷା କରାଯାଇ ପାରିଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଯୁବତୀଙ୍କ ବୟାନ ଆଧାରରେ ସେହି ମହିଳାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସିପି ରବି ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର