ପୂଜା ପୂର୍ବରୁ ରାଜଧାନୀ ଅଶାନ୍ତ: ଦୁଇ ପରିବା ବେପାରୀଙ୍କୁ ହାଣିଲେ, ପ୍ରତିବାଦ କରିବାରୁ ପଡ଼ୋଶୀଙ୍କୁ ଗୁଳି

ଭୁବନେଶ୍ବର: ପୂଜା ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଗୋଟିଏ ଦିନରେ ତିନି ତିନୋଟି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ବ୍ୟାଙ୍କ ଲୁଟ୍, ବଡ଼ଗଡ଼ ଥାନା ଗୌତମନଗରରେ ଦୁଇଜଣଙ୍କୁ ହାଣିଦେବା ଓ ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରିଛି। ଅପରାଧୀ କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗୋଟିଏ ପଟେ ନାବାଳିକା ଗଣଦୁଷ୍କର୍ମ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରି ନଥିବା ବେଳେ ଆଜି ଗୋଟିଏ ଦିନରେ ତିନି ତିନୋଟି ଆପରାଧିକ ଘଟଣା କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଛି। ବଡ଼ଗଡ଼ ଥାନା ଗୌତମନଗରରେ ରାତି ପ୍ରାୟ ୮ଟାରେ ଦୁର୍ବୃତ୍ତ ଦୁଇଜଣ ପରିବା ବେପାରୀଙ୍କୁ ହାଣି ଦେଇଛନ୍ତି। ସେମାନେ ହେଲେ, ମଣ୍ଟୁ ମହାନ୍ତି ଓ ତାଙ୍କ ସମ୍ପର୍କୀୟ ରାଜକିଶୋର ରାୟ। ଦୁର୍ବୃତ୍ତଙ୍କ ଖଣ୍ଡାଚୋଟରେ ମଣ୍ଟୁ ଓ ରାଜକିଶୋରଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିଶୋମ ହୋଟେଲ ନିକଟରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି।

ଅଭିଯୋଗରୁ ଜଣାପଡ଼ିଛି, ମଣ୍ଟୁ ଓ ରାଜକିଶୋରଙ୍କୁ ସ୍ଥାନୀୟ ଅଞ୍ଚଳର ୩ଜଣ ଦୁର୍ବୃତ୍ତ ଦାଦାବଟି ମାଗିବା ସହ ଧମକଚମକ ଦେଇଥିଲେ। ଏନେଇ ମଣ୍ଟୁ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ରାତି ପ୍ରାୟ ୮ଟାରେ ମଣ୍ଟୁଙ୍କ ପରିବା ଦୋକାନ ନିକଟରେ ଦୁର୍ବୃତ୍ତମାନେ ପହଞ୍ଚିଥିଲେ। କାହିଁକି ଥାନାରେ ଅଭିଯୋଗ କଲୁ ବୋଲି କହି ମାରଣାସ୍ତ୍ରରେ ହାଣି ପକାଇଥିଲେ। ଏହା ପରେ ମଣ୍ଟୁଙ୍କ ସମ୍ପର୍କୀୟ ରାଜକିଶୋରଙ୍କୁ ବି ହାଣି ପକାଇଥିଲେ। ଉଭୟ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ନିଷ୍କ୍ରିୟତା ପାଇଁ ଏହି ଘଟଣା ଘଟିଲା ବୋଲି ମଣ୍ଟୁଙ୍କ ପୁଅ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି।

ଭୁବନେଶ୍ବର: ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ପ୍ରତି ରାତିରେ ନିଶାସକ୍ତ ଅବସ୍ଥାରେ ବସ୍ତିରେ ପହଞ୍ଚି ଗାଳିଗୁଲଜ କରନ୍ତି। ନିତିଦିନିଆ ଘଟଣା ହୋଇଥିବାରୁ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ ଦିନକୁ ଦିନ ତାଙ୍କର ଉତ୍ପାତ ବଢ଼ିବା‌ରେ ଲାଗିଲା। ଅସହ୍ୟ ହୋଇପଡ଼ିବାରୁ ସାହସ ଜୁଟାଇ ତାଙ୍କର ଜଣେ ପଡ଼ୋଶୀ ଏହାର ପ୍ରତିବାଦ କଲେ। କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅବସରପ୍ରାପ୍ତ ସେନା କର୍ମଚାରୀଜଣଙ୍କ କାନ୍ଧରେ ରଖିଥିବା ବନ୍ଧୁକରୁ ୫ରାଉଣ୍ଡ ଗୁଳି ତାଙ୍କ ଉପରକୁ ଚଳାଇଦେଲେ। ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ଥିବା ବିଜୁନଗର ବସ୍ତିରେ ଆଜି ଏହି ଆପରାଧିକ ଘଟଣା ଘଟିଛି। ଗୁଳିକାଣ୍ଡର ଶିକାର ହୋଇଛନ୍ତି, ବସ୍ତିର କୁଞ୍ଜ ବେହେରା। ସବୁତକ ଗୁଳି ତାଙ୍କ ହାତରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସ୍ତ୍ରୋପଚାର ଜରିଆରେ ୩ଟି ଗୁଳି କଢ଼ାଯାଇଥିବା ବେଳେ ଆଉ ୨ଟି ବାହାରି ପାରିନାହିଁ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ବିନୀ ରାଉତଙ୍କୁ କାବୁ କରିଛି।

କୁଞ୍ଜଙ୍କ ଅଭିଯୋଗ ମୁତାବକ, ସେ ଓ ଅଶ୍ବିନୀ ଭରତପୁର ବିଜୁନଗର ବସ୍ତିରେ ରୁହନ୍ତି। ଅଶ୍ବିନୀ ଏବେ ସହିଦନଗରରେ ଏକ ବ୍ୟାଙ୍କ୍‌ରେ ସୁରକ୍ଷାକର୍ମୀ ଭାବରେ କାମ କରନ୍ତି। ତାଙ୍କର ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି। ୨୦୧୬ ମସିହାରେ ଅଶ୍ବିନୀ ସେଠାରେ ଜାଗା କିଣିବା ବେଳେ ସ୍ଥାନୀୟ କିଛି ଲୋକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ସେବେଠାରୁ ବସ୍ତି ଲୋକଙ୍କ ସହ ତାଙ୍କର ପଡ଼ୁନଥିଲା। ପ୍ରତି ରାତିରେ ଡ୍ୟୁଟିରୁ ଫେରିବା ବେଳେ ସେ ପ୍ରଚୁର ମଦ ପିଇ ଆସନ୍ତି ଓ ମନଇଚ୍ଛା‌ ଗାଳିଗୁଲଜ କରନ୍ତି। ନିତିଦିନିଆ ଘଟଣା ହୋଇଥିବାରୁ ବସ୍ତିଲୋକ ଏଥିପ୍ରତି ଧ୍ୟାନ ଦେଉନଥି‌ଲେ। ତେବେ ଦିନକୁ ଦିନ ତାଙ୍କ ଉତ୍ପାତ ବଢ଼ିବାରୁ ଏହା ଅସହ୍ୟ ହୋଇପଡ଼ିଲା। ତେଣୁ ଆଜି ସେ ଗାଳିଗୁଲଜ କରୁଥିବା ବେଳେ କୁଞ୍ଜ ତାଙ୍କୁ ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଶ୍ବିନୀ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ତାଙ୍କ ଉପରକୁ ଚଳାଇଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର